ରାଉରକେଲା, ୩୧/୦୭/୨୦୨୦ (ସନ୍ଧାନ ନିଉଜ): ମାଟ୍ରିକ ପରୀକ୍ଷା ସୁନ୍ଦରଗଡ଼ ଜିଲାରେ ପାସ ହାର ୮୫.୮୫ ପ୍ରତିଶତ ରହିଥିବା ବେଳେ ଏ-୧ ଗ୍ରେଡ଼ରେ ୨୯ ଛାତ୍ରଛାତ୍ରୀ ଟପ୍ପର ତାଲିକାରେ ରହିଥିଲେ । ମାତ୍ର ଲାଠିକଟା ବ୍ଲକ ଦେଓକରଣ ବିଦ୍ୟାପୀଠର ଛାତ୍ରୀ ଲିପ୍ସାମୟୀ ନାୟକ ୫୬୪ ମାର୍କ ରଖି ଏ-୧ ଗ୍ରେଡ଼ ରଖି ଲାଠିକଟା ବ୍ଲକରେ ଶୀର୍ଷରେ ରହିଥିଲେ ସୁଦ୍ଧା ସୁନ୍ଦରଗଡ଼ ଜିଲାର ଟପ୍ପର ତାଲିକାରେ ତାଙ୍କ ନାମ କୌଣସି କାରଣ ବଶତଃ ପ୍ରକାଶ ନପାଇ ଅସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇଥିଲା । ଏହାକୁ ନେଇ ଲାଠିକଟା ଅଂଚଳ ସମେତ ଜିଲାର ଶିକ୍ଷାବିତ, ବୁଦ୍ଧିଜିବୀ, ଅଭିଭାବକ, ଶିକ୍ଷକ ମାନଙ୍କୁ ହତଚକିତ କରିଥିଲା । ଅନ୍ୟପକ୍ଷେ ଖୋଦ ମାଟ୍ରିକ ପାସ ଛାତ୍ରୀ ଲିପ୍ସାମୟୀ ଏହି ଘଟଣାକୁ ନେଇ ଅତ୍ୟନ୍ତ ମର୍ମାହତ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଲାଠିକଟା ବ୍ଲକର ଉମାକାନ୍ତ ନାୟକ ଓ ସୁଜାତାଙ୍କ କନ୍ୟା ଲିପ୍ସାମୟୀ ନାୟକ ମାଟ୍ରିକ ପରୀକ୍ଷାରେ ୫୬୪ ମାର୍କ ରଖି ଲାଠିକଟା ସ୍ଥିତ ଦେଓକରଣ ବିଦ୍ୟାପୀଠର ଗର୍ବ ଓ ଗୌରବ ପାଲଟିବା ସହ ଲାଠିକଟା ବ୍ଲକରେ ଶୀର୍ଷରେ ରହିଥିବା ଜଣାପଡ଼ିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୮ ତାରିଖରେ ଥିଲା ତାଙ୍କ ଜନ୍ମଦିନ । ସେହିଦିନ ଟିଭିରେ ମାଟ୍ରିିକ ପରୀକ୍ଷା ଫଳ ବାହାରିବ ଜାଣି ସେ ଖୁସି ଅନୁଭବ କରିଥିଲେ, ମାତ୍ର ସୁନ୍ଦରଗଡ଼ ଜିଲା ମାଟ୍ରିକ ପରୀକ୍ଷା ଫଳ ଟପ୍ପର ତାଲିକାରେ କୌଣସି କାରଣ ବଶତଃ ତାଙ୍କ ନାଁ ନଥିବା ଘଟଣା ବ୍ୟକ୍ତିଗତ ଭାବେ ଲିପ୍ସାମୟୀଙ୍କୁ ବହୁଳ ଭାବେ ମର୍ମାହତ କରିଥିଲା ବୋଲି ତାଙ୍କ ପରିବାରବର୍ଗଙ୍କ ପ୍ରକାଶ କରିଥିଲେ । ଯେ, ମୁଁ ମୋ ପରିଶ୍ରମର ଉପଯୁକ୍ତ ଫଳ ପାଇଛି । ମାଟ୍ରିକ ପରୀକ୍ଷା ପୂର୍ବରୁ ଦିନକୁ ୧୪ରୁ ୧୫ ଘଂଟା ପରିଶ୍ରମ କରୁଥିଲି । ଯୁକ୍ତ ଦୁଇ ବିଜ୍ଞାନ ପରେ ଜଣେ ସଫଳ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛି । ଏହି ସଫଳତାର ଶ୍ରେୟ ମୁଁ ମୋର ବାପା, ମା’, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦେବା ସହ ସର୍ବୋପରି ଇଶ୍ୱରଙ୍କ ବରଦାନ ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ନିଜ ପ୍ରତିକ୍ରିୟାରେ ଲାଠିକଟା ଦେଓକରଣ ବିଦ୍ୟାପୀଠର ଛାତ୍ରୀ ଲିପ୍ପାମୟୀ ନାୟକ ପ୍ରକାଶ କରିଥିଲେ ।




