ଲର୍ଡସରେ ‘କପ୍’ ଲଢ଼େଇ

Spread the love

ଲଣ୍ଡନ, ୧୪ /୭ (ସନ୍ଧାନ ନିଉଜ) : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଫାଇନାଲ୍ ରବିବାର ଖେଳାଯିବ। ଆୟୋଜକ ଇଂଲଣ୍ଡ ଏବଂ ଆତ୍ମବିଶ୍ବାସଭରା ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ ଷ୍ଟାଡିୟମରେ ଏହି ‘କପ୍’ ଲଢ଼େଇ ଅନୁଷ୍ଠିତ ହେବ। ବିଜେତା ଯିଏ ହେଉନା କାହିଁକି, କ୍ରିକେଟ୍ ବିଶ୍ବ ଏଥର ଏକ ନୂଆ ବିଜେତା ପାଇବ। କାରଣ ଉଭୟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେମାନେ ଆସନ୍ତାକାଲି ପ୍ରଥମ ଥର ପାଇଁ ବିଶ୍ବକପ୍ ତୋଳି ଧରିବା ଲାଗି ପଡ଼ିଆକୁ ଓହ୍ଲାଇବେ।

ସାରା ବିଶ୍ବର ନଜର
କ୍ରିକେଟ୍‌ର ଜନକ ଇଂଲଣ୍ଡ ପୂର୍ବରୁ ତିନି ଥର ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି। ହେଲେ ପ୍ରତିଥର ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି। ସେହିଭଳି ନ୍ୟୁଜିଲାଣ୍ଡ ପୂର୍ବରୁ ଥରେ ଫାଇନାଲ୍ ଖେଳି କପ୍ ଜିତିବାର ସୌଭାଗ୍ୟ ଲାଭ କରିନାହିଁ। ଇଂଲଣ୍ଡ ନିଜ ଚତୁର୍ଥ ଏବଂ ନ୍ୟୁଜିଲାଣ୍ଡ ଦ୍ବିତୀୟ ପ୍ରୟାସରେ ପ୍ରଥମ ଥର ପାଇଁ ବିଶ୍ବବିଜେତା ହେବାକୁ ଚେଷ୍ଟା କରିବେ। ଘରୋଇ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ୨୦୧୫ରେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ ଖେଳିବାର ଗୌରବ ଅର୍ଜନ କରିବ। ଇଂଲଣ୍ଡ ୨୦୧୫ ବିଜେତା ଅଷ୍ଟ୍ରେଲିଆକୁ ହରାଇ ଟ୍ରଫି ଟକ୍କର ପାଇଁ ଅବତୀର୍ଣ୍ଣ ହେବାର ଟିକେଟ୍‌ ପାଇଛି। ନ୍ୟୁଜିଲାଣ୍ଡ ୧୩୩ କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଚୁରମାର କରିବା ସହ କୋହଲି ବାହିନୀକୁ ଅପ୍ରତ୍ୟାଶିତ ଝଟକା ଦେଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି। ଲିଗ୍ ପର୍ଯ୍ୟାୟର ଶେଷ ତିନି ମ୍ୟାଚ୍ ସହ ସେମିଫାଇନାଲରେ ପୂରା ଆଧିପତ୍ୟ ବିସ୍ତାର କରିଥିଲା ଇଂଲଣ୍ଡ। ସେପଟେ ନେଟ୍ ରନ୍‌ରେଟ୍‌ରେ ପାକିସ୍ତାନକୁ ପଛରେ ପକାଇ ସେମିଫାଇନାଲ୍ ଓ ସେଠାରେ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲ୍ ଯାଇଛି। ସେଥିପାଇଁ ଏହି ଲର୍ଡସ ଲଢ଼େଇ ଉପରେ ସାରା ବିଶ୍ବର ନଜର ରହିଛି। ପଏଣ୍ଟ୍‌ ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବିଦାୟ ନେବା ସହ ତୃତୀୟ ଏବଂ ଚତୁର୍ଥରେ ଥିବା ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଫାଇନାଲ୍ ଖେଳିବା ଏଥରର ଟ୍ରଫି ମୁକାବିଲାକୁ ଉତ୍କଣ୍ଠାରେ ଭରି ଦେଇଛି। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ।

ଦଳଗତ ଓ ବ୍ୟକ୍ତିଗତ ଲଢ଼େଇ
ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଦଳଗତ ଲଢ଼େଇ ସହ ମ୍ୟାଚ୍ ସାରା ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କେତେକ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଓ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍, ଦୁଇ ଦଳର ଦୁଇ ପ୍ରମୁଖ ବୋଲର ମ୍ୟାଟ୍ ହେନରି-କ୍ରିସ୍ ଓକ୍ସଙ୍କ ମଧ୍ୟରେ ବି ବ୍ୟକ୍ତିଗତ ଲଢ଼େଇ ଚାଲିବ। ୨୦୧୫ ବିଶ୍ବକପ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ମାର୍ଟିନ ଗପ୍ଟିଲ ଚଳିତ ବିଶ୍ବକପ୍‌ରେ ବିଶେଷ କିଛି କରି ପାରିନାହାନ୍ତି। ତଥାପି ରବିବାର ତାଙ୍କ ଭୂମିକା ମହତ୍ବପୂର୍ଣ୍ଣ ରହିବ। ଫାଇନାଲରେ ନ୍ୟୁଜିଲାଣ୍ଡ ତାଙ୍କଠାରୁ ଏକ ବଡ଼ ପାଳି ଆଶା କରିବ। ଇଂଲଣ୍ଡ ରନ୍ ମେସିନ୍ ଜୋ ରୁଟ୍ ଚଳିତ ବିଶ୍ବକପ୍‌ରେ ୧୦ ପାଳିରୁ ୫୪୯ ରନ୍ କରିଛନ୍ତି। ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଇଂଲଣ୍ଡର ସର୍ବାଧିକ ରନ୍ ସଂଗ୍ରହକାରୀ ମଧ୍ୟ। ଆସନ୍ତାକାଲି ସେ ଇଂଲଣ୍ଡ ବ୍ୟାଟିଂର ନେତୃତ୍ବ ନେବା ସମ୍ଭାବନା ଅଧିକ। ଇଂଲଣ୍ଡ ବ୍ୟାଟିଂର ଗଭୀରତା ତୁଳନାତ୍ମକ ଭାବେ ଅଧିକ ଥିଲା ବେଳେ ନ୍ୟୁଜିଲାଣ୍ଡ ୱିଲିୟମସନ୍ ଓ ରସ୍ ଟେଲରଙ୍କ ଉପରେ ଅଧିକ ନିଭର୍ରଶୀଳ ରହିବ। ଜନି ବେୟାରଷ୍ଟୋ, ଜାସନ ରୟ, ବେନ୍ ‌ଷ୍ଟୋକ୍ସଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ପାଇଁ ଇଂଲଣ୍ଡ ପଲ୍ଲା ଟିକିଏ ଭାରି ରହିବ।

ଶୁଖିଲା ପାଗ
ରବିବାର ଲଣ୍ଡନ ପାଗ ଶୁଖିଲା ରହିବାର ପୂର୍ବାନୁମାନ ରହିଛି। ବର୍ଷା ‌ହେବାର ଆଶଙ୍କା ପ୍ରାୟ ନାହିଁ। ସକାଳ ଓ ଅପରାହ୍‌ଣରେ ଟାଣ ଖରା ପଡ଼ିବ। ପଶ୍ଚାତଧାବନରେ ଥିବା ଚାପ ଲାଗି ଉଭୟ ଦଳର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରିବେ। ଲର୍ଡସ ପିଚ୍ ବ୍ୟାଟିଂକୁ ଅଧିକ ସୁହାଇବ। କାରଣ ଏଠାରେ ରବିବାର ପୂର୍ବରୁ ଖେଳା ଯାଇଥିବା ଚାରିଟି ମ୍ୟାଚ୍‌ରେ ଦୁଇଟି ଦଳ ୩୦୦ରୁ ଅଧିକ ରନ୍ କରିଥିଲେ। ଏବଂ ଦୁଇଟି ଯାକ ଦଳ ବିଜୟୀ ହୋଇଥିଲେ। ଚାରିଟି ଯାକ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବା ଦଳ ବିଜୟୀ ହୋଇଛନ୍ତି। ପଛରେ ବ୍ୟାଟିଂ କରିଥିବା ଚାରିଟିରୁ ତିନିଟି ଦଳ ଅଲଆଉଟ୍ ହୋଇଛନ୍ତି। ଇଂଲଣ୍ଡ ଦୁଇ ଜଣ ସ୍ପିନରଙ୍କୁ ଖେଳାଇପାରେ। ନ୍ୟୁଜିଲାଣ୍ଡ କେବଳ ମିଚେଲ ସାଣ୍ଟନରଙ୍କୁ ନେଇ ଓହ୍ଲାଇପାରେ। ଉଭୟ ଦଳରେ ବଡ଼ ଧରଣର ପରିବର୍ତନ ସମ୍ଭାବନା କମ୍। କହିବାକୁ ଗଲେ ରବିବାର ଇଂଲଣ୍ଡ ବ୍ୟାଟିଂ ସହ ନ୍ୟୁଜିଲାଣ୍ଡ ବୋଲିଂର ଜୋରଦାର ମୁକାବିଲା ହେବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, ହେନରି ନିକୋଲ୍ସ, ରସ୍ ଟେଲର, ଜିମି ନିସାମ, କଲିନ୍ ଡି’ ଗ୍ରାଣ୍ଢୋମେ, ଟମ୍ ଲାଥାମ, ମିଚେଲ ସାଣ୍ଟନର, ମ୍ୟାଟ୍ ହେନରି, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ୍।

ସମ୍ଭାବ୍ୟ ଇଂଲଣ୍ଡ: ଇଅନ ମୋର୍ଗାନ (ଅଧିନାୟକ), ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, କ୍ରିସ୍ ଓକ୍ସ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋଫ୍ରା ଆଚର୍ର, ମାର୍କ ଉଡ୍।

ନୋ ଫ୍ଲାଏ ଜୋନ୍
ବିଶ୍ବକପ୍ ଫାଇନାଲ୍ ଅବସରରେ ଯେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଆଇସିସି ଅଣ୍ଟା ଭିଡ଼ିଛି। ସେଥିପାଇଁ ଲର୍ଡସ ପଡ଼ିଆକୁ ରବିବାରର ମ୍ୟାଚ୍ ବେଳେ ନୋ’ ଫ୍ଲାଏ ‌ଜୋନ୍ ଘୋଷଣା କରାଯିବ ବୋଲି ଆଇସିସି କହିଛି। ଅର୍ଥାତ୍ ମ୍ୟାଚ୍ ବେଳେ କୌଣସି ବିମାନ ଲର୍ଡସ ଉପର ଦେଇ ଉଡ଼ି ପାରିବନାହିଁ। ବିଶ୍ବକପ୍‌ର କେତେକ ମ୍ୟାଚ୍ ଅବସରରେ କଶ୍ମୀର ଏବଂ ବଲୁଚିସ୍ତାନକୁ ନେଇ ବିମାନରୁ ରାଜନୈତିକ ବାର୍ତା ଦିଆଯିବା ପରିପ୍ରେକ୍ଷୀରେ ଆଇସିସି ସ୍ଥାନୀୟ କର୍ତୁପକ୍ଷଙ୍କ ସହ ମିଶି ଏଭଳି ପଦକ୍ଷେପ ନେଇଛି। ଲର୍ଡସ ଉପରେ ବିମାନ ଉଡ଼ାଣ ନେଇ ଅଙ୍କୁଶ ୧୫ ତାରିଖରେ ମଧ୍ୟ ଲାଗୁ ରହିବ। ମ୍ୟାଚ୍ ବର୍ଷା ପାଇଁ ରବିବାର ଶେଷ ହୋଇ ନ ପାରିଲେ ସଂରକ୍ଷିତ ଦିବସକୁ ଯିବ। ଏହାକୁ ଆଖି ଆଗରେ ରଖି ସୋମବାର ମଧ୍ୟ ଲଡର୍ସ ନୋ’ ଫ୍ଲାଇଂ ଜୋନରେ ରହିବ। ସୂଚନାଯୋଗ୍ୟ ଯେ ହେଡିଂଲେରେ ଜୁଲାଇ ୬ରେ ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ମ୍ୟାଚ୍ ବେଳେ ବିମାନରୁ ବଡ଼ବଡ଼ ବ୍ୟାନରରେ ‘କଶ୍ମୀର ପାଇଁ ନ୍ୟାୟ, ଭାରତ ନରସଂହାର ବନ୍ଦ କର, କଶ୍ମୀରକୁ ସ୍ବାଧୀନତା ଦିଅ’ ବାର୍ତା ଦିଆଯାଇଥିଲା। ଉଭୟ ଭାରତ ଏବଂ ଶ୍ରୀଲଙ୍କା ପାଳିରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ସେହିଭଳି ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍ ବେଳେ ବଲୁଚିସ୍ତାନ ପାଇଁ ନ୍ୟାୟ ଲେଖାଥିବା ବ୍ୟାନର ବି ଷ୍ଟାଡିୟମ ଉପରେ ବିମାନରୁ ଉଡ଼ିଥିଲା।

Related Posts

About The Author

Add Comment