ଲଦାଖ ନିକଟରେ ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି; ଭାରତ ସଜାଗ

Spread the love

ନୂଆଦିଲ୍ଲୀ,୧୨/୮ (ସନ୍ଧାନ ନିୟୁଜ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ କ୍ରୋଧିତ ହୋଇପଡ଼ିଥିବା ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ତର୍ଜାତୀୟ ସମୁଦାୟରୁ ସମର୍ଥନ ନ ମିଳିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନା ଜାମ୍ମୁ-କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ ଚଳାଇଛି। ପାକିସ୍ତାନ ଗିଲଗିତ୍‌ ବଲିସ୍ତାନସ୍ଥିତ ସ୍କର୍ଦୁ ବିମାନଘାଟିରେ ନିଜର ଯୁଦ୍ଧ ବିମାନ ଜେଏଫ-୧୭କୁ ମୁତୟନ କରିଛି। ପାକିସ୍ତାନର ଏହି ବିମାନଘାଟି ଲଦାଖ ନିକଟରେ ରହିଛି। ପାକ୍‌ ସେନାର ଏଭଳି ଗତିବିଧି ଉପରେ ଭାରତୀୟ ଗୋଇନ୍ଦା ସଂସ୍ଥା କଡ଼ା ନଜର ରଖିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନୀ ସେନା ସୀମାରେ ନିଜ ଶିବିରଗୁଡ଼ିକରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ସୈନ୍ୟଙ୍କୁ ମୁତୟନ କରିବାରେ ଲାଗିଛି। ଗତ ଶନିବାର ପାକିସ୍ତାନୀ ବାୟୁସେନାର ୩ଟି ସି-୧୩୦ ହର୍କୁଲସ ପରିବହନ ବିମାନ ସେନାର ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଧରି ଲଦାଖ ନିକଟ ସ୍କର୍ଦୁ ବିମାନଘାଟିରେ ପହଞ୍ଚିଛି। ଯେଉଁସବୁ ଉପରକଣ ଏଠାକୁ ଅଣାଯାଇଛି ସେଥିରୁ ଅଧିକାଂଶ ଉପକରଣ ଯୁଦ୍ଧ ସମୟରେ ଯୁଦ୍ଧବିମାନକୁ ସହାୟତା କରିବା ପାଇଁ ଆବଶ୍ୟକ ପଡ଼ିଥାଏ।

ଅନ୍ୟପଟେ ପାକିସ୍ତାନଠାରୁ କୌଣସି ପ୍ରକାର ସାମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି। ଭାରତର ଗୋଇନ୍ଦା ସଂସ୍ଥାଗୁଡ଼ିକ ପାକିସ୍ତାନର ସମସ୍ତ କାର୍ଯ୍ୟଣୈଳୀ ଉପରେ କଡ଼ା ନଜର ରଖିଛି। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ନିକଟରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ର ୫ରୁ ୭ଜଣ କମାଣ୍ଡରକୁ ଭାରତୀୟ ସେନା ନିପାତ କରିଥିଲା।

Related Posts

About The Author

Add Comment