ବାରିପଦା ୩୦/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅଞ୍ଚଳରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ଚାଲାଣ ହେଉଥିବାର ଅଭିଯୋଗ ହେଉଛି । ପୁରୁଣିଆ , ସଠିଲୋ , ବେତନଟୀ,କେନ୍ଦୁଆ,ବୈଶିଙ୍ଗା, ଗଡଦେଉଳିଆ, ମହୀଷାଶୋଳ , ଅମୁଗଡିଆ, ସଜଲା,ମେରଦ୍ଦା ଆଦି ଅଞ୍ଚଳକୁ ମାଫିଆମାନେ ବିନା ପରମିଟ , ବିନା ଲିଜରେ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ମୋରମ ଓ ଅନ୍ୟାନ୍ୟ ଲଘୁ ଖଣିଜ ଉତ୍ତୋଳନ କରୁଛନ୍ତି ଓ ବାହାର ଜିଲ୍ଲା ଓ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି । ଏଥିରୁ ଆସିବାକୁ ଥିବା କୋଟି କୋଟି ଟଙ୍କାର ସରକାରୀ ରାଜସ୍ବକୁ ମାଫିଆ ମାନେ ଗିଳି ଦେଉଛନ୍ତି । ପରିତାପର ବିଷୟ କିଛି ସରକାରୀ କର୍ମଚାରୀଙ୍କୁ ହାତ କରି ଏହି କାରବାର ଚଳାଉଛନ୍ତି ମାଫିଆ ।ମାଜନିଂ ଯୋଜନା ମୁତାବକ ଲିଜଧାରୀଙ୍କୁ ଦିଆଯାଇଥିବା ଅଞ୍ଚଳରୁ କେତେ ବାଲି ଉଠିବ କେତେକ ଗଭିର ପର୍ଯ୍ୟନ୍ତ ଖୋଳା ଯାଇ ପାରିବ ତାହା ଲିଜ ସମୟରେ ନିର୍ଦ୍ଧାରଣ କରାଯାଇଥାଏ । ହେଲେ ପଟାଦାର ଓ ମାଫିଆ ମାନେ ସବୁ ଅନୁମତି ପତ୍ର କୁ ଉଲଂଘନ କରି ବେଆଇନ ଭାବେ କାଢି ନେଉଛନ୍ତି ଲଘୁଖଣିଜ । ନ୍ୟାସନାଲ ଗ୍ରିନ୍ ଡ୍ରିବ୍ୟୁନାଲ ରାଜ୍ୟ ଅଡିଟ ଟିମ୍ ଜିଲ୍ଲା ଅଡିଟ ଟିମ୍ , ରାଜସ୍ୱ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ କେହି ହେଲେ ସିଧାସଳଖ ଖଣିଜ ଉତ୍ତୋଳନ ଅଞ୍ଚଳରେ ଯାଞ୍ଚ୍ କରୁନାହାନ୍ତି । ତହସିଲ କର୍ତ୍ତୃପକ୍ଷ ଯେଉଁ ରିପୋର୍ଟ ଦେଉଛନ୍ତି ତାହାକୁ ଆଖିବୁଜି ବିଶ୍ୱାସ କରୁଛନ୍ତି । ଏହାର ସୁଯୋଗରେ ବଳସ୍ତରରେ ଦୁର୍ନୀତି ପାଇଁ ବାଟ ଫୁଟୁଛି । ସେହିପରି ଅନୁମତି ନଥିବା ସ୍ଥାନରୁ କେତେ ଟଙ୍କାର ମୋରମ ଓ ବାଲି ଚାଲାଣ ହୋଇଛି ସଂପୃକ୍ତ ଅଞ୍ଚଳର ରାଜସ୍ବ ନିରୀକ୍ଷକଙ୍କ ସେ ନେଇ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କି ? ଯଦି କହିଛନ୍ତି ତେବେ ତହସିଲଦାର ଏହି ରିପୋର୍ଟ ଭିତ୍ତିରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ? ଏସବୁର ଉତ୍ତର କାହାରି ପାଖରେ ନାହିଁ ।
ବଡ଼ସାହି ବିଧାୟକ ସନାତନ ବିଜୁଳି ଗତ ବର୍ଷ ବିଧାନସଭାରେ ବେତନଟୀ ଓ ବଡସାହି ତହସିଲ ଅଞ୍ଚଳରୁ ଚୋରା ମୋରମ ଓ ବାଲି ଚାଲାଣ ଖବର ସରକାରଙ୍କ ନିକଟରେ ଅଛିକି ନାହିଁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବେଧଡକ ଲଘୁ ଖଣିଜ ଚାଲାଣ ଅଭିଯୋଗକୁ ଖଣ୍ଡନ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡି । ରାଜସ୍ୱ ବିଭାଗ ୨୦୧୮-୧୯ ଓ ୨୦୧୯ -୨୦(ଅକ୍ଟୋବର ୩୧) ପର୍ଯ୍ୟନ୍ତ ଆଦାୟ ହୋଇଥିବା ରାଜସ୍ବ ଓ ଚୋରା ଚାଲାଣ ରୋକିବାକୁ ହୋଇଥିବା ବଡର ବାବଦରେ ସୂଚନା ଦେଇଥିଲା । ସୂଚନା ମୁତାବକ ବଡସାହି ତହସିଲ ଅଧିନରେ ମୋଟ ୫୨୫୩୪ ହେକ୍ଟର ବାଲି ସୈରାତ ଓ ୦.୫୫୮ ହେକ୍ଟର ମୋରମ ସୈରାତକୁ ଲିଜ୍ ଦିଆଯାଇ ୨୦୧୮- ୧୯ ଆର୍ଥିକ ବର୍ଷରେ ୮୭ ଲକ୍ଷ ୧୭ ହଜାର ଟଙ୍କା ରାଜସ୍ବ ଆଦାୟ ହୋଉଥିଲା ।୨୦୧୯-୨୦ ର ବାଗୁଳି ଓ ଆରପଟା ଘାଟ ପାଇଁ କୈାଣସି ରାଜସ୍ୱ ଆଦାୟ ହୋଇନଥିଲା । ଉକ୍ତ ଦୁଇ ବର୍ଷରେ କେତେକ ବାଲିଘାଟ ଉପରେ ୯୦ ଥର ଚଢଉ କରାଯାଇ ୨ ଲକ୍ଷ ୮୧ ହଜାର ଟଙ୍କା ଜରିମାନ ଆଦାୟ କରାଯାଇଥିଲା । ସେହିପରି ବେତନଟୀ ତହସିଲର ୨୫ ହେକ୍ଟର ବାଲି ସୈରାତକୁ ଲିକ୍ ଦିଆଯାଇ ୨୦୧୮-୧୯ ରେ ୪ ଲକ୍ଷ ୪୬ ହଜାର ଓ ୨୦୧୯-୨୦ ଅକ୍ଟୋବର ପର୍ଯ୍ୟନ୍ତ ୨ ଲକ୍ଷ ୬୩ ହଜାର ଟଙ୍କା ଆଦାୟ ହୋଇଥିଲା । ୨୦୧୯-୨୦ରେ ବାଉଁଶନାବ ବାଲି ଶଯ୍ୟା-୧ ବାଉଁଶନାଳ ବାଲି ଶଯ୍ୟା-୨ କୁ କୈାଣସି ରାଜସ୍ୱ ମିଳି ନଥିଲା । ବେତନଟୀ ତହସିଲରେ ବାଲି ଚୋରା ଚାଲାଣ ରୋକିବାକୁ ୨୭ ଥର ଚଢଉ କରାଯାଇ ୨ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା । ଏହି ସମଲିଜ୍ ଗୁଡ଼ିକର ଅବଧି ୩୧ ମାର୍ଚ୍ଚ ୨୦୨୦ ପଯ୍ୟନ୍ତ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
ତେବେ ଗତବର୍ଷ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଦେଇଥିବା ତଥ୍ୟ ଓ ଏ ବର୍ଷର ଚିତ୍ର ମଧ୍ୟରେ ଆକାଶ ପାତାଳ ଫରକ । ଚଳିତ ବର୍ଷ ବେତନଟୀ ଓ ବଡସାହି ତହସିଲ ଅଞ୍ଚଳରେ ମୋରମ ଉତ୍ତୋଳନ ପାଇଁ ସେମିତି କୈାଣସି ସରକାରୀ ସୈରାତ ମଧ୍ୟ ନାହିଁ । ହେଲେ ବାରମ୍ବାର ଚଢ଼ାଉ ହେଉଛି ଓ ବେଆଇନ ଗାଡି ସବୁ ଧରାପଡୁଛି । ହଜାର ହଜାର ଟ୍ରିପ୍ ମୋରମ ଉତ୍ତୋଳନ କରାଯାଇ ବେଆଇନ ଭାବେ ଚାଲାଣ ହେଉଛି । ଆଉ ପୁଣି ବେତନଟୀ ତହସିଲ ବିବାଦିୟ ସ୍ଥିତିରେ ବିଦା ହୋଇଛନ୍ତି । ଏମିତି ସମୟରେ ଲଘୁ ଚାଲାଣ , ଚୋରା ଚାଲାଣ ରୋକିବାକୁ ରାଜସ୍ୱ ବିଭାଗ କେଉଁ ଉପାୟ ଆପଣାଉଛି ତାହାକୁ ଅପେକ୍ଷା ।


