ଭୁବନେଶ୍ୱର,୦୩/୦୪ (ସନ୍ଧାନ ନିୟୁଜ): କରୋନା ବା କୋଭିଡ-୧୯ ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ ନିୟମ ଉଲଂଘନ କରିଥିବାରୁ ୨୪ ଘଣ୍ଟା ମଧ୍ୟରେ ୨୪୨୪୫ଟି ମାମଲା ରୁଜୁ ହୋଇଛି। ଏପ୍ରିଲ ୧ ତାରିଖ ସକାଳ ଠାରୁ ଏପ୍ରିଲ ୨ ତାରିଖ ମଧ୍ୟରେ ଏହି ମାମଲାଗୁଡ଼ିକ ରୁଜୁ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି। ଏଥିରୁ ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ୨୨୯ ଟି ମାମଲା ରୁଜୁ ହୋଇଥବା ବେଳେ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବା ଅଭିଯୋଗ ପାଇଁ ୬ଟି ମାମଲା ରୁଜୁ କରାଯାଇଛି। ଅନ୍ୟାନ୍ୟ ନିୟମ ଉଲଂଘନ ପାଇଁ ରୁଜୁ ହୋଇଛି ୧୦ଟି ମାମଲା।
ଏହାଛଡା ଓଡ଼ିଶା ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୯୦ଟି ଜେଲ ଥିବା ବେଳେ ଏଥିରେ ୧୮ ହଜାର ୧୨ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ଏହିସବୁ ଜେଲଗୁଡ଼ିକରେ ଏବେ ୧୭ ହଜାର ୫୧୯ ଜଣ କଏଦୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୩ ହଜାର ୭୫୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଖବର ଅନୁଯାୟୀ ୧ ହଜାର ୮୭୩ ୟୁଟିପି (ଅଣ୍ଡର ଟ୍ରାଏଲ ପ୍ରିଜନ୍ସ)ଙ୍କୁ ମାର୍ଚ୍ଚରୁ ଏପ୍ରିଲ ୧ ତାରିଖ ମଧ୍ୟରେ ଛାଡ଼ିଦିଆ ଯାଇଥିବା ବେଳେ ୯୮୯ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି।