ନୂଆଦିଲ୍ଲୀ, ୯/୧ (ସନ୍ଧାନ ନିୟୁଜ) : ଅନେକ ଦିନରୁ ଟ୍ରେନ୍ରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ବେଡ଼୍ସିଟ୍ ଏବଂ କମ୍ବଳ ଚୋରି ହେଉଥିବାରୁ ଏହାକୁ ରୋକିବାକୁ ନୂଆ ନିୟମ ଆଣିଛି ଭାରତୀୟ ରେଳ । ଏବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ନୁହେଁ ପହଞ୍ଚିବାର ୩୦ମିନିଟ୍ ପୂର୍ବରୁ ଯାତ୍ରୀମାନଙ୍କଠାରୁ ଦିଆଯାଇଥିବା ବେଡ଼୍ସିଟ୍ ଏବଂ କମ୍ବଳ ଫେରାଇ ନିଆଯିବ । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଏହି ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି ରେଳ ରାଜ୍ୟ ମନ୍ତ୍ରୀ ରାଜେନ୍ ଗୋହୈନ୍ ।
ତାଙ୍କ କହିବା ଅନୁଯାୟୀ, କିଛି ବର୍ଷ ହେଲାଣି ଏସି କୋଚ୍ରେ ଯାତ୍ରୀମାନଙ୍କୁ ଦିଆଯାଉଥିବା କମ୍ବଳ,ଟାଓ୍ଵଲ,ବେଡ୍ସିଟ୍,ଫ୍ୟାନ୍,ଲାଇଟ୍ ଇତ୍ୟାଦି ଚୋରି ହୋଇ ଯାଉଥିବାର ଅଭିଯୋଗ ହୋଇଆସୁଛି । ବାରମ୍ବାର ଏହି ଅଭିଯୋଗ ହେବା ପରେ ଗନ୍ତବ୍ୟ ସ୍ଥଳରେ ଟ୍ରେନ୍ଟି ପହଞ୍ଚିବାର ୩୦ମିନିଟ୍ ପୂର୍ବରୁ ଯାତ୍ରୀମାନଙ୍କଠାରୁ କମ୍ବଳ,ଟାଓ୍ଵଲ,ବେଡ୍ସିଟ୍ ଇତ୍ୟାଦି ଫେରାଇ ଆଣିବାକୁ କୋଚ୍ ଆଟେଣ୍ଡାଣ୍ଟକୁ ଆଦେଶ ଦିଆ ଯାଇଥିବା କହିଛନ୍ତି ରେଳ ରାଜ୍ୟ ମନ୍ତ୍ରୀ ରାଜେନ୍ ଗୋହୈନ୍ । ଗତ ୫ବର୍ଷ ମଧ୍ୟରେ ୭ଜଣ ଯାତ୍ରୀ ଏବଂ ୩ଜଣ ରେଳ ଅଧିକାରୀଙ୍କୁ ଟ୍ରେନ୍ରୁ କମ୍ବଳ,ଟାଓ୍ଵଲ,ବେଡ୍ସିଟ୍ ଇତ୍ୟାଦି ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଥିବା ରେଳ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।
ଅନ୍ୟପକ୍ଷରେ, ପଶ୍ଚିମ ରେଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୧୭-୨୦୧୮ ମଧ୍ୟରେ ୧.୯୫ଲକ୍ଷ ଟାଓ୍ଵଲ,୮୧,୭୩୬ବେଡ୍ସିଟ୍, ୫,୦୩୮ ତକିଆ,୫୫,୫୭୩ ତକିଆ ଖୋଳ ଏବଂ ୭,୦୪୩ କମ୍ବଳ ଯାତ୍ରୀମାନେ ଚୋରୀ କରିଛନ୍ତିି ।



