କିଭ୍, ୧୮/୦୩ (ସନ୍ଧାନ ନିଉଜ): ରୁଷିଆର ରକେଟ୍ ମାଡ଼ରେ ୟୁକ୍ରେନ୍ର ଅଭିନେତ୍ରୀ ଓକସାନା ଶେଭେଟ୍ସଙ୍କ ମୃତ୍ୟୁ ହୋଇଛି । ଯେଉଁ ସମୟରେ ରକେଟ ମାଡ଼ ହୋଇଥିଲା, ସେତେବେଳେ ଅଭିନେତ୍ରୀ ନିଜର କିଭ୍ସ୍ଥିତ ଆବାସିକ ଘରେ ଥିଲେ । ଓକସାନାଙ୍କ ମୃତ୍ୟୁ ନେଇ ତାଙ୍କର ନିକଟତର ଲୋକଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଏନେଇ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ରକେଟ ମାଡ଼ ଯୋଗୁଁ ଓକସାନାଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି ।
ହଲିଉଡ ରିପୋର୍ଟ ଅନୁସାରେ ଓକସାନାଙ୍କୁ ୬୭ ବର୍ଷ ବୟସ ହେଉଥିଲା । ସେ ୟୁକ୍ରେନ୍ର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଥିଲେ । ସୂଚନାଯୋଗ୍ୟ, ରୁଷିଆ ଗତମାସ ୨୪ ତାରିଖରେ ୟୁକ୍ରେନ୍ରେ ସେନା ଅପରେଶନ ଆରମ୍ଭ କରିଥିଲା । ସେହି ସମୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ୟୁକ୍ରେନ୍ର ସେନା ଭିତ୍ତିଭୂମିକୁ ଧ୍ୱଂସ କରିବାର ଲକ୍ଷ୍ୟ ରହିଛି । ତେବେ ୟୁନଏନ ଉଚ୍ଚାୟୋଗ ପକ୍ଷରୁ କୁହାଯାଇଛି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପାଖାପାଖି ୬୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।



