ରାୟଗଡ଼ାରେ ଏକ୍ସପ୍ରେସ୍‌ ଇଂଜିନରେ ନିଆଁ: ୩ ରେଳବାଇ କର୍ମଚାରୀ ମୃତ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ରେଳ ମନ୍ତ୍ରାଳୟ

Spread the love

ରାୟଗଡ଼ା, ୨୭/୬ (ସନ୍ଧାନ ନିଉଜ) : ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଂଜିନ୍‌ରେ ମଙ୍ଗଳବାର ଅପରାହ୍ଣରେ ନିଆଁ ଲାଗିବାରୁ ରେଳବାଇର ୩ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ନିକଟ ଗାଦବାଗୁଡ଼ା ଠାରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନକୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଧକ୍କା ଦେବାରୁ ଏହି ଘଟଣା ଘଟିଥିଲା। ମୃତଦେହ ଗୁଡ଼ିକ ଉଦ୍ଧାର କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିବାକୁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି। ଏହି ୨ଟି ବସ୍‌ କୋରାପୁଟ ଓ ଜଗଦଲପୁରରେ ଯାତ୍ରୀମାନଙ୍କୁ ଛାଡ଼ିବ। ଟ୍ରେନରେ ୧୪୮ ଜଣ ଯାତ୍ରୀ ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଜିଲ୍ଲାପାଳ, ଏସ୍‌ପି ସମେତ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ରେ ଟ୍ରେନ୍‌ ନମ୍ବର ୧୮୦୦୫ ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନକୁ ଧକ୍କା ଦେଇଥିଲା। ରେଳବାଇ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ସିଙ୍ଗାପୁର ରୋଡ ଓ କେଉଟଗୁଡ଼ା ଷ୍ଟେସନ୍‌ମାଷ୍ଟରଙ୍କୁ ଚାକିରୀରୁ ନିଲମ୍ବିତ କରିଛି।

ଦୁର୍ଘଟଣା ପରେ ଟ୍ରେନ୍‌ର ଇଂଜିନ ଗୁଡ଼ିକ ବଗିରୁ ଅଲଗା ହୋଇଯାଇଥିଲା। ଯାତ୍ରୀମାନଙ୍କୁ ଦୁର୍ଘଟଣାସ୍ଥଳରୁ ନେବା ପାଇଁ ୨ଟି ବସ୍‌ ପଠାଯାଇଛି। ପୂର୍ବତଟ ରେଳପଥର ବିଶାଖାପାଟଣା ଜୋନ୍‌ରୁ ଅଧିକାରୀ ମାନେ ଘଟଣାସ୍ଥଳକୁ ସକାଳ ସୁଦ୍ଧା ପହଂଚିବେ ବୋଲି ଜଣାପଡ଼ିଛି।

Related Posts

About The Author

Add Comment