ରାୟଗଡା ଜିଲ୍ଲାର ଚାଷୀ ପି. ବାବୁ ରାଓ ତିଆରି କଲେ‘ଡ୍ରୋନ୍: ୭ ମିନିଟ୍ ରେ ଏକର ଜମିରେ ସାର ଓ ବିହନ ବୁଣି ହେବ

Spread the love

ମାଲକାନଗିରି ୫/୧ (ସନ୍ଧାନ ନିୟୁଜ) ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ରାୟଗଡା ଜିଲ୍ଲାର ଚାଷୀ ପି. ବାବୁ ରାଓ । ଚାଷ କାମକୁ ସହଜ କରିବା ପାଇଁ ନିଜସ୍ବ ଜ୍ଞାନ କୌଶଳରେ ତିଆରି କରିଛନ୍ତି ‘ଡ୍ରୋନ୍’ । ଯାହା ଦ୍ବାରା ୭ ମିନିଟ୍ ମଧ୍ୟରେ ଗୋଟିଏ ଏକର ଜମିରେ ସାର ଓ ବିହନ ବୁଣି ହେବେ । ଡ୍ରୋନ୍ ତିଆରି ପରେ ବାବୁ ରାଓ ୪୦ ଏକର ଜମିରେ ଧାନ, ବିହନ ବୁଣି ଏହାର ପରୀକ୍ଷଣ ମଧ୍ୟ କରିସାରିଛନ୍ତି । କୃଷି କ୍ଷେତ୍ରରେ ରୁଚି ରଖିଥିବା ବାବୁ ରାଓଙ୍କ ଏହି ଉଦ୍ଭାବନକୁ ଜିଲ୍ଲା ପ୍ରଶାସନ ତାରିଫ୍ କରିବା ସହ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ସୁପାରିଶ୍ କରିଛି । ସେହିପରି ଭାରତ ସରକାରଙ୍କ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ଏନ୍ଆଇଏଫ୍) କର୍ତୃପକ୍ଷ ଆଜି ରାୟଗଡାରେ ଡ୍ରୋନର ନିରୀକ୍ଷଣ କରିଛନ୍ତି । ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ୍ ସନ୍ନ୍ୟାସୀଗୁଡାର ଚାଷୀ ପି. ବାବୁ ରାଓ । ୨୦୧୧ ମସିହାରେ ଗୁଡାରୀ ବିଜ୍ଞାନ କଲେଜରୁ ବିଏ/ବିଇଡି ପାଠ ପଢ଼ା ଶେଷ କରିବା ପରେ ଚାକିରୀ ପାଇଁ ଆବେଦନ କରିଥିଲେ । କିନ୍ତୁ ଚାକିରି ଖୋଜି ଖୋଜି ନିରାଶ ହେବା ପରେ ଚାଷ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ବାବୁ ରାଓଙ୍କ ନିଜର ୪୦ ଏକର ଜମି ଥିବା ବେଳେ ଭାଗ ଚାଷ ବାବଦକୁ ଆଉ ୪୦ ଏକର ମୋଟ ୮୦ ଏକର ଜମିରେ ଧାନ, କପା, କାନ୍ଦୁଲ, ମରିଚ, ବାଇଗଣ ଚାଷ କରୁଛନ୍ତି । ଦିନକୁ ଦିନ ଚାଷ ଜମିରେ କାମ କରିବାକୁ ଶ୍ରମିକ ମିଳିବା କଷ୍ଟକର ହୋଇଥିଲା । ତେରୁ ବାହାର ଦେଶ ଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ କରାଯାଉଥିବା ଚାଷ ସଂପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ୟୁ ଟ୍ୟୁବରେ ଅନୁସଂଧାନ କରିବା ପରେ ଡ୍ରୋନ୍ ନିର୍ମାଣ ଶୈଳୀକୁ ଅନୁସରଣ କରି ଡ୍ରୋନ୍ ତିଆରିରେ ଲାଗି ପଡିଥିଲେ ବାବୁ ରାଓ । ୨୦୧୭ ମେ ମାସରୁ ଆରମ୍ଭ ହୋଇଥିବା ଉଦ୍ୟମର ସଫଳତା ବାବୁଙ୍କ ମିଳିଥିଲା ୨୦୧୮ ଅକ୍ଟୋବର ମାସରେ । ଡ୍ରୋନ୍ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଭାରତରେ ମିଳୁନଥିବା ବେଳେ ଚୀନ୍ ଉପରେ ନିର୍ଭର କରିବାକୁ ପଡିଥିଲା । ଚୀନରୁ ଏହି ସବୁ ସାମଗ୍ରୀ ଆସିବାରେ ଅହେତୁକ ବିଳମ୍ବ ସହ ନିର୍ମାଣ ଜ୍ଞାନ କୌଶଳ ସଂପର୍କରେ ଅଧିକ ଜାଣିବା ପାଇଁ ବାହାର ରାଜ୍ୟରେ

ଅନୁଷ୍ଠିତ କୃଷି ବିଜ୍ଞାନ ସଂପର୍କିତ ମେଳା ପରିଦର୍ଶନରେ ମଧ୍ୟ ଯାଇଛନ୍ତି ବାବୁ ରାଓ । ଜାତୀୟ ଓ ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା ପରେ ପାଖାପାଖି ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ୫ଲକ୍ଷ ଟଂକା ବ୍ୟୟରେ ଶେଷରେ ଡ୍ରୋନ୍ ତିଆରି କରିବାର ସଫଳତା ବାବୁ ରାଓଙ୍କୁ ମିଳିଥିଲା । ୧୨ କେଜି ଓଜନର ଏହି ଡ୍ରୋନ୍ ସାଟେଲାଇଟ୍ ଦ୍ବାରା ପରିଚାଳିତ ହେଉଥିବା ବେଳେ ସର୍ବାଧିକ ୬୦ ଫୁଟ୍ ଉଚ୍ଚରେ ଉଡ଼ିବାର କ୍ଷମତା ରଖିଛି । ଆଜି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଉପସ୍ଥିତିରେ ବାବୁ ରାଓ ଡ୍ରୋନର ଉଡ଼ାଣ କରିଥିଲେ। ଜିଲ୍ଲାପାଳ ବାବୁ ରାଓଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏପରି ଉଦ୍ୟମ ଜାରି ରଖିବାକୁ ଉତ୍ସାହିତ କରିଥିଲେ ।

Related Posts

About The Author

Add Comment