ରାସ୍ତା ପାଇଁ ତିନି ପଂଚାୟତବାସୀଙ୍କ ବ୍ଲକ ସମ୍ମୁଖରେ ଧାରଣା

Spread the love

ବୈପାରିଗୁଡା,୩/୩ (ସନ୍ଧାନ ନିଉଜ) – ଗ୍ରାମକୁ ପ୍ରତିଦିନ ଯାତାୟତ କରିବା ପାଇଁ ପକା ରାସ୍ତା ନଥିବାରୁ ବୈପାରିଗୁଡା ବ୍ଲକର ତିନି ପଞ୍ଚାୟତର ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଥିବାର ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ରାଞ୍ଚି ବିଜୟଓ୍ବାର୍ଡା ରାସ୍ତାକୁ ସଂଯୋଗ କରି ରହିଥିବା ବୈପାରିଗୁଡା ଗ୍ରାମର କେନ୍ଦୁପଡା ରାସ୍ତା ଠାରୁ ଝଡିଗୁଡା, ପଟ୍ରଗୁଡା,ଦୋରାପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଦାବି ଜଣାଇଛନ୍ତି ଏହି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ । ଗଣ ସଂଗ୍ରାମ କମିଟି ପଟ୍ରଗୁଡା ପକ୍ଷରୁ ବୈପାରିଗୁଡା ମୁଖ୍ୟ ଛକରେ ଧାରଣା ଦେବା ସହ ବ୍ଲକ,ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ବାକି ଦିନ ମାନଙ୍କରେ ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୁଦ୍ଧାବୁଦ୍ଧି ପର୍ଯ୍ୟନ୍ତ ସମସ୍ତ ଏହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ ବର୍ଷା ଋତୁରେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ବିଷୟ ହୋଇପଡିଛି ବୋଲି ଧାରଣାରେ ବସିଥିବା ଲୋକେ କହିଛନ୍ତି । ସେହିପରି ଭାବେ କୌଣସି ସମୟରେ ଯଦି କାହାର ଦେହ ହଠାତ ଖରାପ ହୁଏ ତେବେ ଗାଁ ଭିତରକୁ କୌଣସି ଗାଡି କିମ୍ବା ଆମ୍ମୁଲାନ୍ସ ଗାଁ ଭିତରକୁ ଯାଇ ପାରୁନଥିବାର ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ବାରମ୍ବାର ବ୍ଲକ,ଜିଲ୍ଲା ପ୍ରଶାସନ,ବିଧାୟକ ଓ ସାସଂଦ ମାନଙ୍କୁ ଦେଖା କରି ଲିଖିତ ଭାବେ ଦାବି ଜଣାଇଲେ ମଧ୍ୟ ନେତା କିମ୍ବା ପ୍ରଶାସନ ଉପରେ ପ୍ରଭାବ ନ ପଡିବାରୁ ଆମେ ବାଧ୍ୟ ହୋଇ ରାଜରାସ୍ତାରେ ଧାରଣା ଦେଲୁ ବୋଲି କହିଥିଲେ । ଏ ବାବଦରେ ଗ୍ରାମବାସୀଙ୍କ ପକ୍ଷରୁ ବୈପାରିଗୁଡା ବିଡିଓ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଜନଶୁଣାଣୀ ଶିବିରରେ ଯାଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ବାଟ ନ ପାଇବା ନେଇ ସେମାନେ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଯଦି ନିର୍ବାଚନ ସମୟ ଭିତରେ ଆମର ଦାବି ସରକାର କିମ୍ବା ପ୍ରଶାସନ ନ ଶୁଣିଲେ ନିର୍ବାଚନ ସମୟରେ କୌଣସି ଦଳର ନେତାଙ୍କୁ ଗାଁ ଭିତରକୁ ଆସିବା ପାଇଁ ଦେବୁ ନାହିଁ ଏବଂ ଏହି ୩ ପଞ୍ଚାୟତର ଲୋକେ ଭୋଟ ବର୍ଜନ କରିବୁ ବୋଲି ଚେତାବନି ଦେଇଛନ୍ତି  । ତେବେ ବୈପାରିଗୁଡା ବିଡିଓ ଅନ୍ୟ ସ୍ଥାନକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ବୈପାରିଗୁଡାକୁ କେହି ଆସିନଥିବାରୁ ଘଟଣା ବିଷୟରେ ମତାମତ ମିଳିପାରିନାହିଁ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା ।

Related Posts

About The Author

Add Comment