ବାରିପଦା,୩/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାସଗୋବିନ୍ଦପୁର ବ୍ଲକ୍ ସଦର ମହକୁମାରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ଜୋର୍ ଧରିଛି । ଏହି ଦାବିରେ ରାସଗୋବିନ୍ଦପୁର ପଞ୍ଚାୟତବାସୀ ସୋମବାର ତହସିଲ ଅଫିସ୍ ଆଗରେ ଆମରଣ ଅନଶନ କରିଛନ୍ତି । କୋଭିଡ୍ -୧୯ ନିୟମ ମାନି ଏହି ଅନଶନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ, ବ୍ଲକ୍ ସଦର ମହକୁମା, ଗମନାଗମନ ଓ ଚିକିତ୍ସା ସେବା ଉପଲବ୍ଧ ହେଉଥିବା ସ୍ଥାନରେ ଏହି ଏକଲବ୍ୟ ବିଦ୍ୟାଳୟ ନିର୍ମାଣର ଆବଶ୍ୟକତା ଥିବା ଲୋକେ ଦାବି କରିଛନ୍ତି । ରାସଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ନ ଥିବାରୁ ଏହି ବିଦ୍ୟାଳୟ ଅନ୍ୟତ୍ର ନିର୍ମାଣ କରାଯିବାକୁ ମସୁଧା କରାଯାଉଛି । ରାସଗୋବିନ୍ଦପୁର ମୌଜାରେ ବିଜେ ପ୍ରଭୁ ଶ୍ରୀ ଶ୍ରୀ ବିନୋଦରାୟ ମହାପ୍ରଭୁଙ୍କ ନାମରେ ଡାହି (ପଡ଼ିଆ) କିସମ ଜମି ପ୍ରାୟ ୮୦ ଏକରୁ ଅଧିକ ଜମି ରହିଛି । ମାତ୍ର ପତିତ କିମ୍ବା ଉନ୍ନତି ବିନିଯୋଗ କିସମ ଜମି ଏହି ମୌଜାରେ ନ ଥିବାରୁ ମହୁଲିଆ ମୌଜାରେ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୦ଏକର ୪୩ ଡେସିମିଲ ଗୋଚର ଜମିରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ମହୁଲିଆ, ରାସଗୋବିନ୍ଦପୁର, ତକଡ଼ଦା, ପାଟଗଡ଼ିଆ, ଆରଡିହା ଗ୍ରାମବାସୀ ତହସିଲଦାରଙ୍କଠାରେ ଦାବି କରିଛନ୍ତି । କିଛି ହୀନଚକ୍ରାନ୍ତ ବ୍ୟକ୍ତି ରାସଗୋବିନ୍ଦପୁରଠାରେ ଏହି ବିଦ୍ୟାଳୟ ନିର୍ମାଣ କରାଯିବାକୁ ବିରୋଧ କରି ଅନ୍ୟତ୍ର କରାଯିବା ନେଇ ମସୁଧା କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନଶନରେ ବସିଥିବା ଗ୍ରାମବାସୀଙ୍କ ସହିତ ତହସିଲଦାର ସମି ତ ସଂଗ୍ରାମଜିତ ସାହୁ ଆଲୋଚନା କରିଥିଲେ । ରାସଗୋବିନ୍ଦପୁରଠାରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୃତି ନ ମିଳିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆନେଦାଳନକାରୀମାନେ ଚେତାବନୀ ଦେଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିଥିଲା । ତହସିଲଦାର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଜମି ପରିଦର୍ଶନରେ ଯାଇଥିବା ଜଣାପଡ଼ିଛି ।