ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଗରମ

Spread the love

ନୂଆଦିଲ୍ଲୀ/କୋଲକାତା, : ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଗରମ ହୋଇସାରିଛି । ରାଜନେତାମାନେ ଲଗାତାର ବୈଠକ କରୁଛନ୍ତି । ଏକାଧିକ ନାମକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସ୍ଥିତି ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିରୋଧୀ ଦଳର ଏକ ବୈଠକ କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରପତି ପଦବି ପାଇଁ ଅନେକ ନାଁ ଚର୍ଚ୍ଚା ହୋଇଥିଲା । ବିଜେପି ବିରୋଧରେ ସଂଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ ଛିଡ଼ା କରାଯିବ ବୋଲି ଆଲୋଚନା ହୋଇଥିଲା ।

ବୈଠକରେ ଯେଉଁ ନାମ ଉଠିଥିଲା ଏଥିରେ ଏନସିପି ପ୍ରମୁଖ ଶରଦ ପାୱାର, ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ, ଏନ୍‌କେ ପ୍ରେମଚନ୍ଦ୍ର ଓ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ ଅବଦୁଲ୍ଲା ସାମିଲ ଅଛନ୍ତି । ସର୍ବ ପ୍ରଥମେ ଶରଦ ପାୱାରଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ମମତା ଏହି ନାଁକୁ ପ୍ରସ୍ତାବ ଦେଇଛନ୍ତି । ଅଧିକାଂଶ ପାର୍ଟି ଏକ ସ୍ୱରରେ ମମତାଙ୍କୁ ସମର୍ଥନ ଜଣାଇଛନ୍ତି ଓ ସଂଯୁକ୍ତ ପ୍ରାର୍ଥୀ ଘୋଷିତ କରିବାକୁ ମଧ୍ୟ ଉତ୍ସାହ ବଢ଼ାଇଛନ୍ତି । କିନ୍ତୁ ନିଜେ ଶରଦ ପାୱାର ଏହି ଦୌଡରୁ ବାହାରି ଯାଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଏବେ ତାଙ୍କୁ ସକ୍ରିୟ ରାଜନୀତିରେ ରହିବାର ଅଛି । ଯେତେବେଳେ ଶରଦ ପାୱାର ରାଜି ହେଲେ ନାହିଁ, ମମତା ବାନାର୍ଜୀଙ୍କ ନାଁ ଉଠିଥିଲା । ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହୋଇଥିଲା ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ସାଧାରଣ ସହମତିକୁ ଗୁରୁତ୍ୱ ଦେଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଦାୟିତ୍ୱ ନେଇଛନ୍ତି । ସେମାନେ ଲଗାତାର ବିଭିନ୍ନ ଦଳ ସହିତ କଥାବାର୍ତ୍ତା କରୁଛନ୍ତି । ସେମାନେ ଅଖିଳେଶ ଯାଦବ ଓ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି । ବିଜେପି ଅଧ୍ୟକ୍ଷ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଉପରେ ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରୁଛି ।

Related Posts

About The Author

Add Comment