ରାଉରକେଲା , ୦୧/୦୭/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ରାଉରକେଲା ସହରର ବିକାଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପରିବହନ ଦୃଷ୍ଟିକୋଣରୁ ବିଚାର କଲେ ଏହାର ବିକାଶ ମଧ୍ୟ ଯଥେଷ୍ଟ ଭାବରେ ସେହି ଅନୁପାତରେ ବୃଦ୍ଧି ପାଇଛି । ଦିନକୁ ଦିନ ସହରରେ ଦୁଇ ଚକିଆ ଓ ଚାରିଚକିଆ ଯାନର ବହୁଳ ବ୍ୟବହାର ବଢିଛି । ସହରରେ ପ୍ରତିଦିନ ହଜାରରୁ ଅଧିକ ଅଟୋ ତଥା ଯାତ୍ରାବାହୀ ଟାଉନବସ ଯାତ୍ରୀ ମାନଙ୍କୁ ପରିବହନ କରିବା ପାଇଁ ପ୍ରତିଦିନ ସହରର ବିଭିନ୍ନ ଅଂଚଳକୁ ଚଳାଚଳ କରୁଛି । ଏସବୁ ପ୍ରତିଯୋଗିତା ମୂଳକ ବଜାରରେ ଯେପରି ହଜି ଯାଇଛି ପାଦଚଲା ରିକ୍ସା । ପ୍ରତିଯୋଗିତାର ଏହି ଦୌଡରେ ରିକ୍ସା ଚାଳକର ଅଂଟା ଏକ ପ୍ରକାର ଭାଙ୍ଗି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କଷ୍ଟମଷ୍ଟେ ଛଅ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ ସହରର କିଛି ରିକ୍ସା ଚାଳକ ଏବେ ମଧ୍ୟ ଅବିରତ ସଂଗ୍ରାମ ଜାରି ରଖିଛନ୍ତି । ଷାଠିଏ ଦଶକରେ ସହରରେ ଯିବା ଆସିବା କରିବା ଲାଗି ଏକମାତ୍ର ମାଧ୍ୟମ ଓ ଭରସା ଥିଲା ରିକ୍ସା । ସେ ସମୟରେ ସହରରେ ୨୦୦ରୁ ଉର୍ଦ୍ଧ ରିକ୍ସା ଚଳାଚଳ କରୁଥିଲା । ପଡୋଶୀ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଆଦି ଅଂଚଳରୁ କିଛି ଲୋକ ଇସ୍ପାତ ସହର ରାଉରକେଲା ଆସି ରିକ୍ସା ଚାଳନା କରି ପରିବାର ପ୍ରତିପୋଷଣ କରୁଥିଲେ ।
ଏ ରିକ୍ସା ବାଲା… ବୋଲି ଡାକ ମାରିଲେ ଘର ପାଖରେ ମାଲିକ ଲାଗି ରିକ୍ସା ଲଗାଇ ଦେଉଥିଲା ରିକ୍ସା ଚାଳକ । କମ ଭଡା ଯେପରି ୧୦ ଟଙ୍କାରୁ ୨୦ ଟଙ୍କା ମଧ୍ୟରେ ରିକ୍ସାରେ ଯାତାୟତ ସମ୍ଭବପର ହୋଇ ପାରୁଥିଲା । ଷ୍ଟେସନ ଯିବାକୁ ହେଉକି, ସ୍କୁଲ । ବଜାର ଯିବାକୁ ହେଉକି ଦପ୍ତର, ସିନେମା ଯିବାକୁ ହେଉ ଅବା ଡାକ୍ତରଖାନା, ସବୁ ସୁଖଦୁଃଖରେ ସାହରା ପାଲଟିଥିଲା ରିକ୍ସା । ସେ ସମୟରେ ହଜାରରୁ ଉର୍ଦ୍ଧ ରିକ୍ସା ଚାଳକ ପ୍ରତିଦିନ ରାଉରକେଲା ସହରରେ ରିକ୍ସା ଚାଳନ କରି ନିଜର ଜୀବନଜିବିକା ନିର୍ବାହ କରୁଥିଲେ । ମାତ୍ର ସମୟ ବଦଳିବା ସଙ୍ଗେ ସଙ୍ଗେ ରିକ୍ସାର ଚାହିଦା କମିବାକୁ ଲାଗିଲା । ରିକ୍ସା ବଦଳରେ ସ୍ଥାନ ପାଇଲା ମୋଟର ଚାଳିତ ଅଟୋ ରିକ୍ସା । ଖୁବ ଅଳ୍ପ ସମୟ ମଧ୍ୟରେ ଯାତ୍ରୀ ଅଟୋରେ ନିଜ ଗନ୍ତ୍ୟବ ସ୍ଥଳରେ ପହଂଚି ପାରିଲେ । ଧିରେ ଧିରେ ରିକ୍ସାର ଗୁରୁତ୍ୱ କମିବାରେ ଲାଗିଲା । ଏହା ଦ୍ୱାରା ସହରର ବହୁ ରିକ୍ସା ଚାଳକ ପ୍ରଭାବିତ ହୋଇ ନିଜ ରିକ୍ସାକୁ ବିକ୍ରି କରି ଅନ୍ୟାନ କାମଧନ୍ଦା କରିବାକୁ ଲାଗିଲେ । ରାଉରକେଲା ସହରର ଗୋପବନ୍ଧୁପାଲ୍ଲୀ ଅଂଚଳରେ ରହୁଥିବା କରିମ ସାହା ଦୀର୍ଘ ୩୦ ବର୍ଷ ହେଲା ରିକ୍ସା ଚାଳନା କରୁଛନ୍ତି । ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ରିକ୍ସା ଚାଳନା କରି ଦିନକୁ ୨୦୦ ଟଙ୍କା ରୋଜଗାର ହୋଇ ପାରୁଥିଲା । ମାତ୍ର ଏବେ ୫୦ ଟଙ୍କା ଆୟ ହେବା ମୁସ୍କିଲ ବେପାର ହୋଇ ପଡୁଛି । ହେଲେ ପେଟ ଚାଖଣ୍ଡକ ପାଇଁ ସେ ଏବେ ମଧ୍ୟ ରିକ୍ସା ଚାଳନା କରୁଛନ୍ତି । ସେହିପରି ନାଲାରୋଡ଼ ରହୁଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତି ସତୁରୀ ଦଶକରେ ରାଉରକେଲାରେ ରିକ୍ସା ଚାଳନା କରୁଥିଲେ । ସେତେବେଳେ ଡେଲି ମାର୍କେଟରୁ ଷ୍ଟେସନକୁ ଜଣେ ରିକ୍ସାରେ ଗଲେ ୨୦ ଟଙ୍କା ଭଡା ଦେବାକୁ ପଡୁଥିଲା । କାଳକ୍ରମେ ରିକ୍ସା ବେପାର ମାନ୍ଦା ପଡିବାରୁ ସେ ରିକ୍ସା ଚାଳନା ବନ୍ଦ କରି ଅନ୍ୟ କାରବାର ପ୍ରତି ଧ୍ୟାନ ଦେଲେ ବୋଲି ପ୍ରକାଶ କରିଥିଲେ । ସହରର କେତେକ ରିକ୍ସା ଚାଳକ ଯାତ୍ରୀ ଅଭାବରୁ ବିଭିନ୍ନ ଲଗେଜ, ଦୋକାନ ସାମଗ୍ରୀ, କୋରିୟର ସାମଗ୍ରୀ ରିକ୍ସାରେ ପରିବହନ କରି ଦୁଇ ପଇସା ରୋଜଗାର କରୁଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ଆଜି ଯାଏ ରିକ୍ସା ଚାଳକଙ୍କ ଏଭଳି ଦୟନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ କି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ଜୀବନର ଦୋ’ ଛକିରେ ଅଟକି ଯାଇଛି ରିକ୍ସା ଚାଳକଙ୍କ ଭାଗ୍ୟ । କେବଳ ରାମ ଭରୋସେ ଦିନ କାଟୁଛନ୍ତି ସହରର ରିକ୍ସା ଚାଳକ ।
ରାମ ଭରୋସେ ଦିନ କାଟୁଛନ୍ତି ରାଉରକେଲାର ରିକ୍ସା ଚାଳକ!
|
July 1, 2020 |
