ରସୁଲପୁର,୧୩/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତର ଓଡଙ୍ଗ ରାମ ମନ୍ଦିର ପରିସରରେ ରାମନବମୀ ଉତ୍ସବ ପାଳନ ହୋଇଯାଇଛି । ହିନ୍ଦୁମାନଙ୍କ ଆରଧ୍ୟ ଦେବତା ପ୍ରଭୂ ଶ୍ରୀ ରାମଙ୍କ ଜନ୍ମ ଉତ୍ସବରେ ଯୁବକମାନଙ୍କ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ଯୁବକମାନେ ବିଭିନ୍ନ ପଂଚାୟତ ବୁଲି ହିନ୍ଦୁ ଧର୍ମର ଓ ହିନ୍ଦୁମାନଙ୍କ ମଧ୍ୟରେ ଭାଇଚାର ଭାବ ଜାଗ୍ରତ ଦିଗରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।
ଏହି ଅବସରରେ ପ୍ରାତଃହରେ ମନ୍ଦିରରେ ପାରମ୍ପାରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୋଗଦେଇ ପୂଜାକାର୍ଯ୍ୟକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ । ଅପରାହ୍ନରେ ବାରବାଟୀ ପଂଚାୟତର ଯୁବକମାନେ ହାତରେ ପ୍ରଭୂ ଶ୍ରୀ ରାମ ଓ ଭକ୍ତ ହନୁମାନଙ୍କ ପ୍ରିୟ ଗେରୁଆ ରଂଗର ପତାକା ହାତରେ ଧରି, ଶ୍ରୀରାମ ଲେଖାଥିବା କପଡା ମୁଣ୍ଡରେ ବାନ୍ଧି ଯୁବକମାନେ ମାଣତୀର, ଜଗନ୍ନାଥପୁର, ସିଂହାପୁର, ବେତଣ୍ଡା, ବାରବାଟୀ, ଓଡଙ୍ଗ, ଝାଟିଆ, ଭଗତପୁର ଆଦି ଗ୍ରାମ ପରିକ୍ରମା କରିଥିଲେ । ଏ ନେଇ ଗାଁରେ ଯୁବକମାନଙ୍କର ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାକୁ ଆର୍ତ୍ତ ପରିଡା, ଦେବୀପ୍ରସନ୍ନ ସାମଲ, ପ୍ରଶାନ୍ତ ସ୍ୱାଇଁ, ସରୋଜ ପଣ୍ଡା, ଚନ୍ଦ୍ରମଣି ବେହେରା, ଅରବିନ୍ଦ ରାଉତ, ତପନ ରାଉତ, ରାଜେଶ ମଳିକ ପ୍ରମୁଖ ପରିଚାଳନା କରିଥିଲେ ।