ରାଫେଲ ବିବାଦ ଥମି ନଥିବା ବେଳେ ଭାରତକୁ ୨ଟି ଲଢ଼ୁଆ ମିରେଜ୍‌- ୨୦୦୦ ବିମାନ ଉପହାର ସ୍ୱରୂପ ଦେବ ଫ୍ରାନ୍ସ

Spread the love

ନୂଆଦିଲ୍ଲୀ, ୨/୧୨ (ସଂଧାନ ନିୟୁଜ) : ଭାରତ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ୩୬ଟି ରାଫେଲ୍‌ ଲଢ଼ୁଆ ବିମାନ କିଣିବା ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ଆରମ୍ଭ ହୋଇଥିବା ବାଦାନୁବାଦ ଥମି ନଥିବା ବେଳେ ଭାରତକୁ ଦୁଇଟି ଲଢ଼ୁଆ ମିରେଜ୍‌- ୨୦୦୦ ବିମାନ ଉପହାର ସ୍ୱରୂପ ଦେବାକୁ ଫ୍ରାନ୍ସ ଘୋଷଣା କରିଛି। ମିରେଜ୍‌- ୨୦୦୦ ଲଢ଼ୁଆ ବିମାନ ଅତ୍ୟାଧୁନିକ ଲଢ଼ୁଆ ବିମାନ ହୋଇ ନଥିଲେ ସୁଦ୍ଧା ପାକିସ୍ତାନ ବିରୋଧରେ ଭାରତ ଲଢ଼ିଥିବା କରଗିଲ୍‌ ଯୁଦ୍ଧରେ ଭାରତୀୟ ବାୟୁସେନା ପକ୍ଷରୁ ମିରେଜ୍‌- ୨୦୦୦ ଲଢ଼ୁଆ ବିମାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଭାରତକୁ ୨ଟି ମିରେଜ୍‌- ୨୦୦୦ ଲଢ଼ୁଆ ବିମାନ ସଂପୂର୍ଣ୍ଣ ବିନା ମୂଲ୍ୟରେ ନହେଲେ ସୁଦ୍ଧା ଏଥିପାଇଁ ନାମମାତ୍ର ମୂଲ୍ୟ ନେଇ ଏହକୁ ଉପହାର ସ୍ୱରୂପ ଦେବାପାଇଁ ଫ୍ରାନ୍ସ ପକ୍ଷରୁ ଦିଆ ଯାଇଥିବା ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି। ସେହିପରି ଫ୍ରାନ୍ସର ଏହି ପ୍ରସ୍ତାବକୁ ଭାରତୀୟ ବାୟୁସେନାର ମଞ୍ଜୁରି ମଧ୍ୟ ମିଳିଛି। ସେଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଜଣେ ସ୍କାଡର୍ନ ଲିଡରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଫ୍ରାନ୍ସ ଗସ୍ତ କରି ଫ୍ରାନ୍ସ ପକ୍ଷରୁ ଭାରତକୁ ମିଳିବାକୁ ଥିବା ୨ଟି ମିରେଜ୍‌- ୨୦୦୦ ବିମାନର ସ୍ଥିତି ପରଖିବେ ବୋଲି ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମିରେଜ୍‌- ୨୦୦୦ ଲଢ଼ୁଆ ବିମାନର ନିର୍ମାଣକାରୀ ମଧ୍ୟ ହେଉଛନ୍ତି ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌।

Related Posts

About The Author

Add Comment