ରାଉରକେଲା, ୨୯/୦୬ (ସନ୍ଧାନ ନିଉଜ/ସୁବୋଧ ନାୟକ): ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି । ରାତି ୭ଟାରୁ ସକାଳ ୫ଟା ଯାଏ ଜାରି ରହିଛି କର୍ଫୁ । ପ୍ରଶାସନର ନିର୍ଦ୍ଦେଶରେ ସାରା ରାଜ୍ୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦେଶୀ ଓ ଅବାଧ ବିଦେଶୀ ମଦ ଉପରେ ଚଢଉ କରାଯାଉଛି । ମାତ୍ର ଷ୍ଟିଲ ସିଟି ରାଉରକେଲାରେ ସ୍ଥିତି ଟିକେ ଅଲଗା । ଯଦି ସତ ହୁଏ, ତେବେ ସାଂଘାତିକ! ରାଉରକେଲାର ବିଭିନ୍ନ ଥାନା ଓ ଅବକାରୀ ବିଭାଗ ପକ୍ଷରୁ ସହରରେ ଥିବା ଢାବା, ହୋଟେଲ, କୁଚିଆ ମଦବେପାରୀଙ୍କ ଉପରେ ନିର୍ବାଚନ ପୂର୍ବରୁ ବାରମ୍ବାର ଚଢଉ କରାଯାଇ ମଦ ଜବତ କରାଯାଇ ଡର୍ଜନ ଡର୍ଜନ କୋର୍ଟ ଚାଲାଣ କରାଯାଉଛି । ମାତ୍ର ପୁଲିସ ବିଭାଗର କେତେକ ତଳିଆ କର୍ମଚାରୀ, ଚଢଉ ପୂର୍ବରୁ ମଦବେପାରୀ ଆଗୁଆ ସତର୍କ କରି ଦେଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଉଦିତ ନଗର ଥାନା ଅନ୍ତର୍ଗତ ହରିପୁର ବସ୍ତି ଠାରେ ଏକ ଘରେ ଖୁଲମଖୁଲା ଭାବେ ମଦ ବିକ୍ରୀ କରାଯାଉଥିବା ବେଳେ, ଉକ୍ତ ଘରେ ପୁଲିସର ପାଦ କିପରି ପଡି ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବାରମ୍ବାର ଅଭିଯାଗ ହେଉଛି । ସେହିପରି ଶୀତଳପଡ଼ା, ଉର୍ତମ ବସ୍ତି, ଆମ୍ବେଦକର ବସ୍ତିରେ ମଦ ବେପାରକୁ କଟ୍ରୋଂଲ କରୁଛନ୍ତି ତଳିଆ ପୁଲିସ କର୍ମଚାରୀ ।
ଅପରପକ୍ଷରେ,ଛୋଟମୋଟ ଢାବା ଓ ହୋଟେଲ ଗୁଡ଼ିକରେ ପୁଲିସ ଚଢାଉ କରାଯାଉଥିବା ଯୋଗୁ କୌଣସି ଜାଗାରେ ମଦର ନାଁ ଗନ୍ଧ ବାରି ହେଉନାହିଁ । ମାତ୍ର ପୁଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯିବା ସଦୃଶ ଅସାଧୁ ମଦବେପାରୀ ମାନେ ମଦ ବିକ୍ରୀ କରିବା ଲାଗି ନୂଆ ତରିକା ଆପଣାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିିଛି । ବିଭିନ୍ନ ସ୍କୁଟି ଓ ବାଇକରେ ଅତି ସତର୍କତା ସହିତ ମଦ ବିକ୍ରୀ ଚାଲିଛି । ଯାହାର ଟେର ପାଇ ପାରୁନି ପୁଲିସ । ଫୋନ ଦ୍ୱାରା ଗ୍ରାହକ ମାନଙ୍କୁ ଯୋଗାଯୋଗ ହେବା ପରେ ନିଛାଟିଆ ରାସ୍ତା ଓ ଅନ୍ଧାରୁଆ ଗଳିରେ ଦେଶୀ ମହୁଲି, ପାଉଚ ଓ ବିଦେଶୀ ମଦ ଅତି ତରବରିଆ ଭାବେ ବିକ୍ରୀ କରି ଘଟଣାସ୍ଥଳ ପରିବର୍ତନ କରି ଅନ୍ୟ ସ୍ଥାନକୁ ଚାଲି ଯାଉଛନ୍ତି ମଦ ବେପାରୀ । କିଛି ଅସାଧୁ ତଳିଆ ପୁଲିସ କର୍ମଚାରୀଙ୍କ ମଦ ବେପାରୀଙ୍କୁ ଏଭଳି ପ୍ରୀତି ଉପରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ଧ୍ୟାନ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ରାଉରକେଲାରେ ମଦ ବେପାରୀଙ୍କୁ ସତର୍କ କରୁଛନ୍ତି ତଳିଆ ପୁଲିସ କର୍ମଚାରୀ!
|
June 29, 2020 |
