ରାଉରକେଲା, ୧୧/୧୦/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସ୍ଥିତ ବାଲିଯୋଡ଼ି ଠାରେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ଶ୍ରଦ୍ଧାଜଂଳି ସଭା ତଥା କରୋନା ନିରାକରଣ ପାଇଁ ଏକ ସଚେତନତା କର୍ମଶାଳା କୋଭିଡ଼ କଟକଣାରେ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଯୋଡ଼ି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ବିଡ଼ିଓ ପ୍ରଶାନ୍ତ କୁମାର ତରେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୋପବନ୍ଧୁଙ୍କର ସେବା, ତ୍ୟାଗ, ସମାଜସେବା, ସ୍ୱାଧୀନତା ସଂଗ୍ରାମୀ, ବଢି ମରୁଡ଼ି ସମୟରେ ଗରିବକୁ ସହାୟକ ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ ଏବଂ ମହାମାରୀ କରୋନା ନିରାକରଣ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସଚେତନ କରାଇଥିଲେ ।
ବାଲିଯୋଡ଼ି ଗ୍ରାମ୍ୟ କମିଟିର ସଭାପତି ତଥା ଡାକ୍ତର ଫକୀର ଚରଣ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ପଣ୍ଡିତ ଗୋପବନ୍ଧୁଙ୍କ ପରି ଜଣେ ଅସାମାନ୍ୟ ପ୍ରତିଭାଧାରୀ ରୁଷିପ୍ରତିମ ଯୁଗପୁରୁଷଙ୍କୁ ଏ ଜାତି, ଏ ଦେଶ ସବୁଦିନ ପାଇଁ ମନେରଖିବ । ସେହି ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜିର ଯୁବ ଛାତ୍ର ସମାଜ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ଓ କୋଭିଡ଼-୧୯ ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ହେବା ପାଇଁ ସେ କହିଥିଲେ । ଦତ ପ୍ରାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଡଃ ଧର୍ମେନ୍ଦ୍ର ମିଶ୍ର କହିଲେ ସେବାର ପ୍ରତୀକ ଓଡ଼ିଶାର ଅନ୍ୟତମ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, କବି, ଜନନାୟକ, ଚିରବନ୍ଦ୍ୟ ପଣ୍ଡିତ ଗୋପବନ୍ଧୁ ଦାଶ । ସେ ଉତ୍କଳର ମଣି ନଥିଲେ, ସେଥିଲେ ବିଶ୍ୱର ମଉଡ଼ମଣି । ତାଙ୍କ ଜୀବଦଶା ସମୟରେ ନିଜ ପୁତ୍ରକୁ ମୃତ୍ୟୁମୁଖରେ ପକାଇ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ତାହା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ, ସେ ପୁନଶ୍ଚ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନ ଆଇନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି. ପି. ରାୟ ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ଓଡ଼ିଆ ଖବରକାଗଜ ପ୍ରତିଷ୍ଠା କରି ରାଜ୍ୟରେ ହଜାର ହଜାର ସାମ୍ବାଦିକ ସୃଷ୍ଟି କରିଛନ୍ତି । । ସେ କୋଟି ଓଡ଼ିଆର ପ୍ରାଣବିନ୍ଦୁ ଥିଲେ । ମଧୁବାବୁଙ୍କ ସହିତ ମିଶି ଉତ୍କଳ ସମ୍ମିଳନୀ ଗଠନ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଆ ଭାଷା, ଜାତି, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ବଂଚାଇବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ସମାଜସେବିକା ପଦ୍ମିନୀ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁଙ୍କ ସ୍କୃତିଚାରଣ କରି ଗଭୀର ଶ୍ରଦ୍ଧାଂଜଳି ଦେଇଥିଲେ ଓ କରୋନା ଭୂତାଣୁ ନିରାକରଣ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ । ‘ସମାଜ’ର ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଂଜନ ଦାଶ, ସାମ୍ବାଦିକ କୁଂଜବିହାରୀ ରାଉତ, ସାମ୍ବାଦିକ ମନୋଜ ସାମଲ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ପୂଜ୍ୟପୂଜା ପରିଷଦର ସାଧାରଣ ସମ୍ପାଦକ ସନାତନ ସାହୁ, ନମିତା ଜେନା, ଧନେଶ୍ୱର ସାହୁ, ଦମୟନ୍ତୀ ମିଶ୍ର, ଦେବେନ୍ଦ୍ର ସାହୁ, ନିର୍ମଳା ବାରିକ, ବାସୁଦେବ ସାହୁ, ଲକ୍ଷ୍ମୀ ହାଁସଦା, ପ୍ରଫୁଲ୍ଲ ସାହୁ, ବାସୁଦେବ ସାମଲ, ପ୍ରଭାସିନୀ ରାଉତ, ଚାନ୍ଦମଣି ମାଝୀ, ଚିତରଂଜନ ନନ୍ଦ, ଅନ୍ତର୍ଯ୍ୟାମୀ ବେଉରିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବରିଷ୍ଠ ଶିକ୍ଷାଧିକାରୀ ଡଃ ଧର୍ମେନ୍ଦ୍ର ମିଶ୍ର, ବିଡ଼ିଓ ଲାଠିକଟା ପ୍ରଶାନ୍ତ କୁମାର ତରାଇ, ସମାଜ ସେବିକା ପଦ୍ମିନୀ ପାଣିଗ୍ରାହୀ ଓ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ୧୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଡାକ୍ତର ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ପ୍ରେରଣ କରିଥିବା ବାର୍ତା ସଭାରେ ପାଠ କରା ଯାଇଥିଲା ।
ରାଉରକେଲାରେ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ
|
October 11, 2020 |
