ରାଉରକେଲା, ୦୧/୦୬/୨୦ (ସନ୍ଧାନ ନିଉଜ) : ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -19 ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ଆସି ରାଉରକେଲା ଷ୍ଟେସନ୍ ରେ ପହଂଚିଛି। ମୋଟ 699 ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲା ରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାର 72 ଜଣ ଥିବାବେଳେ ଅନ୍ୟମାନେ ପଶ୍ଚିମବଙ୍ଗ ଓ ବିହାର ସମେତ ଆମ ରାଜ୍ୟର 17 ଟି ଜିଲ୍ଲାର ପ୍ରବାସୀ ଅଟନ୍ତି। ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ଖାଦ୍ୟ ଓ ପାଣି ପ୍ରଦାନ କରାଯାଇଥିଲା। ତା ପରେ ପ୍ରଶାସନ ପକ୍ଷରୁ ରାଉରକେଲା ଆରଟିଓଙ୍କ ଜରିଆରେ ବିଭିନ୍ନ ଜିଲ୍ଲା ଓ ବ୍ଲକକୁ ପ୍ରବାସୀଙ୍କୁ ନେଇ ଯିବାଲାଗି ବସ ର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବସ ରେ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଲାଗି କରାଯାଇଥିବା ବ୍ୟବସ୍ଥାରେ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା, ଏଡି ଏମ ଆବୋଲି ସୁନୀଲ ନରବଣେ, ଆର ଏମ ସି ଉପାୟୁକ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।
ରାଉରକେଲାରେ ଟ୍ରେନ ଯୋଗେ ପହଁଚିଲେ ପ୍ରବାସୀ
|
June 1, 2020 |



