ରସୁଲପୁର, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ ଅଂଚଳରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତା ହେଉଛି । ବର୍ଷାଦିନରେ ମାଟିକାମ ବନ୍ଦ କରିବାକୁ ନିଦେ୍ର୍ଦଶ ରହିଛି । ତେବେ ଅନୁକୂଳ ପାଗ ଯୋଗୁଁ ଏହି ବ୍ଲକ ଅଂଚଳରେ ମାଟି କାମ ଆଳରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରାଯାଉଛି । ମାଟି ଓ ମୋରମ ରାସ୍ତା ନିର୍ମାଣ, ପୋଖରୀ ଖନନ,ଖେଳ ପଡିଆର ଉନ୍ନତୀକରଣ ଆଦି ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି । ଏଭଳି ସ୍ଥିତି ସମଗ୍ର ବ୍ଲକ ଅଂଚଳ ହୋଇଥିଲେ ବି ଏହି ବ୍ଲକ ଅଧିନସ୍ଥ ରସୁଲପୁର ପଂଚାୟତ ସୁଆଁସାହି ଗ୍ରାମରେ ନିର୍ମାଣଧିନ ମାଟି ମୋରମ ରାସ୍ତାର ଉନ୍ନତୀକରଣକୁ ଉଦାହରଣ ଭାବରେ ନିଆଯାଇ ପାରେ । ଉକ୍ତ ପଂଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଗଉଡ ଚତୁରୀ ମୁହଁ ପର୍ଯ୍ୟନ୍ତ ଏକ ମାଟି ରାସ୍ତା ନିର୍ମାଣ କରାଯାଉଛି । ଉକ୍ତ ପ୍ରକଳ୍ପଟି ମନରେଗା ଯୋଜନା ଅଧିନରେ ରହିଛି ବୋଲି ଜଣାଯାଇଛି । ତେବେ ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକରେ ଜବକାର୍ଡଧାରୀମାନଙ୍କୁ ନିୟୋଜିତ କରାଯିବାର ବିଧି ରହିଛି । ତେବେ ବ୍ଲକ ପ୍ରଶାସନ ସେଥିପ୍ରତି ଆଖିବୁଜି ଦେଇଛି । ଜବକାର୍ଡଧାରୀ ଶ୍ରମିକ ବଦଳରେ ମେସିନ ଲଗାଇ ରାସ୍ତାର ଉନ୍ନତୀକରଣ କରାଯାଉଛି । ଏହାଛଡା କାର୍ଯ୍ୟ ଆରମ୍ଭ ପୂର୍ବରୁ ରାସ୍ତା ଯେକୌଣସି ଏକ ମୁଣ୍ଡରେ ସୂଚନା ଫଳକ ଲାଗିବାର ବିଧି ରହିଛି । ଏଠାରେ ଏହି ନିୟମରେ ବ୍ୟତିକ୍ରମ ଦେଖାଦେଇଛି । ବିନା ସୂଚନା ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ସାରି ଦିଆଯାଇଛି । ଏବେ ଅଣ ଶ୍ରମିକ ଜବକାର୍ଡଧାରୀମାନଙ୍କୁ ଜମାଖାତାକୁ ବ୍ୟବହାର କରିବାକୁ ପ୍ରୟାସ କରାଯାଉଛି । ଠିକାଦାରମାନେ ଜବକାର୍ଡ ଆଦାୟ କରୁଛନ୍ତି । ମେସିନରେ କାମ କରି ଶ୍ରମିକମଙ୍କ ନାଁରେ ସରାକରୀ ଅର୍ଥକୁ ହଡପ୍ କରିବାକୁ ଠିକାଦାରଙ୍କ ପକ୍ଷରୁ ଯନ୍ତ୍ରୀଙ୍କ ଉପରେ ଚାପ ପକାଯାଉଛି । ଯନ୍ତ୍ରୀ ଓ ଠିକାଦାରଙ୍କ ବୁଝାବଣାରେ ଲକ୍ଷାଧିକ ଟଙ୍କା ଚଳୁ ହେବା ଏକ ପ୍ରକାର ଥୟ ହୋଇସାରିଛି । ପ୍ରକାଶ ଥାଉ କି ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ହେଲେ ଶ୍ରମିକମାନଙ୍କୁ ସି-୧ ଫର୍ମରେ କାମ ପାଇଁ ଆବେଦନ କରିବେ । ଶ୍ରମିକମାନେ ପ୍ରକଳ୍ପରେ ନିୟୋଜିତ ହୋଇ କାମ କରିବା ପାଇଁ ସି-୨ ଫର୍ମରେ ସେମାନଙ୍କୁ ବ୍ଲକ ଅବା ପଂଚାୟତରୁ ନିଦେ୍ର୍ଦଶ ଦିଆଯିବ । ଯେଉଁସବୁ ଜବକାର୍ଡଧାରୀ ପ୍ରକଳ୍ପରେ କାମ କରିବେ ସେମାନଙ୍କ ନାଁକୁ ଅନଲାଇନରେ ଚଢାଯିବ । ଅନଲାଇନରୁ ଶ୍ରମିକମାନଙ୍କର ଉପସ୍ଥାନ ଫର୍ଦ୍ଦ ବାହାରିବ । ପ୍ରତ୍ୟେକଦିନ କାର୍ଯ୍ୟ ତଦାରଖ ଦାଇତ୍ୱରେ ଥିବା ଅଧିକାରୀ ଶ୍ରମିକମାନଙ୍କର ଉପସ୍ଥାନ ନେବେ । ଶ୍ରମିକାମାନେ କେତେ କାମ କଲେ ତାକୁ ମାପଚୁପ୍ କରାଯାଇ ସପ୍ତାହକୁ ସେମାନଙ୍କ ଜମାଖାତାକୁ ଅର୍ଥ ପୈଠ କରାଯିବ । ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହିଭଳି ଭାବରେ ଜାବତୀୟ ନିୟମ କାନୁନ୍ ରହିଛି । ତେବେ ବ୍ଲକ ପକ୍ଷରୁ ଏଠି ସେ ସବୁକୁ ଆଦୌ ପାଳନ କରାନଥିବା ଜଣାଯାଇଛି । ଏ ଦିଗରେ କନିଷ୍ଠ ଯନ୍ତ୍ରୀ ଅନୀଲ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ପ୍ରକଳ୍ପଟି ମନରେଗା ଯୋଜନା ଜରିଆରେ କାର୍ଯ୍ୟାକରୀ ହେଉଛି ବୋଲି ସ୍ୱୀକାର କରିଥିଲେ । ମାତ୍ର ସୂଚନା ଫଳକ ଲାଗିନାହିଁ, ଜବକାର୍ଡଧାରୀମାନଙ୍କ ବଦଳରେ ମେସିନ କାମ କରୁଛି ବୋଲି ପଚାରିବାରୁ ସେ କୌଣସି ଉତ୍ତର ନଦେଇ ଆମ ପ୍ରଶ୍ନର ଉତ୍ତରକୁ ଏଡାଇ ଯାଇଥିଲେ । ଏ ସଂପର୍କରେ ସେ ପରେ କହିବେ ବୋଲି କହି ଫୋନ କାଟି ଦେଇଥିଲେ । (ଫଟୋ ଅଛି)
ରସୁଲପୁର ବ୍ଲକରେ ମନରେଗା ଯୋଜନାରେ ଅନିୟମିତତା ଶ୍ରମିକ ବଦଳରେ ମେସିନ କରୁଛି କାମ, ଠିକାଦାରଙ୍କ ପ୍ରରୋଚନାରେ ବିଲ୍ କରିବାକୁ ଚାଲିଛି ମସୁଧା
|
July 7, 2021 |