ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର, ହେଲୋ ଆର୍‌ସି ଶ୍ରେଷ୍ଠ ଚଳଚ୍ଚିତ୍ର

Spread the love

ଭୁବନେଶ୍ବର,୨୭ /୨ (ସନ୍ଧାନ ନିଉଜ) : ବହୁ ପ୍ରତୀକ୍ଷିତ ଜୟଦେବ ପୁରସ୍କାର ଘୋଷଣା ହୋଇଛି। ପ୍ରଥମଥର ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଜ‌ଣେ ବ୍ୟକ୍ତିତ୍ବଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଏହି ସର୍ବୋଚ୍ଚ ସମ୍ମାନ ପାଇଁ ମନୋନୀତ କରାଯାଇଛି। ଏକାଧିକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର ନିଖୁଣ ସମ୍ପାଦନା କରିଥିବା କଟକ ସିଡିଏର ରବି ଶଙ୍କର ପଟ୍ଟନାୟକ ଏହି ସମ୍ମାନ ଲାଭ କରିବେ। ତାଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ପ୍ରଥମ ଓଡ଼ିଆ ଭାବେ ସାହସ ଜୁଟାଇ ପାରିଥିବା ବେଳେ ୧୯୭୭ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଅଭିମାନ’ର ସମ୍ପାଦନା କରିଥିଲେ। ପରେ ସେ ପ୍ରାୟ ୩୮ଟି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ସମ୍ପାଦନାର ସ୍ବାକ୍ଷର ଛାଡ଼ିଛନ୍ତି। କେବଳ ସେତିକି ନୁହେଁ ବଲିଉଡ୍‌ରେ ମଧ୍ୟ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଚଲ୍‌ତେ ଚଲ୍‌ତେ, ସ୍ବୀକାର କିୟା ମୈନେ, କିସ୍ମତ, ସୁଚିତ୍ରା, ଜିନା ଇସିକା ନାମ୍‌ ହୈ, ଉଲ୍‌ଟା ସିଧା, ଭୁଲା ନା ଦେନା, ସାୟଦ, ଦିଲ୍‌ସେ ମିଲେ ଦିଲ୍‌, ଆପ୍‌ କି ଖାତିର୍‌ରେ ମଧ୍ୟ ସମ୍ପାଦନା ଦାୟିତ୍ବ ତୁଲାଇଛନ୍ତି। ଅବତାର କ‌ୌଲ୍‌ଙ୍କ ଚଳଚ୍ଚିତ୍ର ‘୨୭ ଡାଉନ୍‌’ ହିନ୍ଦୀ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଥିଲେ।

ଏଥିସହ ଆରତି, ମହାସତୀ ସାବିତ୍ରୀ, ଶଙ୍ଖା ସିନ୍ଦୂର, ଦଣ୍ଡା ବାଳୁଙ୍ଗା, ବଧୂ ନିରୁପମା, ସ୍କୁଲ୍‌ ମାଷ୍ଟର, କନ୍ୟାଦାନ, ମଝି ପାହାଚ, ଯାହାକୁ ରଖିବେ ଅନନ୍ତ, ଟୋପାଏ ସିନ୍ଦୂର, ଅନ୍ଧ ଦିଗନ୍ତ, ଘର ମୋର ସ୍ବର୍ଗ, ହିସାବ କରିବ କାଳିଆ, ସହର ଜଳୁଛି, ପୁଅ ମୋର ଜଗତଜିତାଠୁ ନେଇ ଚିନି ଭଳି ଚଳଚ୍ଚିତ୍ରର ସମ୍ପାଦନା କରିଛନ୍ତି। ଏହି ପୁରସ୍କାର ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ସମର୍ପଣର ଫଳ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଜଣେ ପରଦା ପଛର ମଣିଷକୁ ସ୍ବୀକୃତି ଦେଇଥିବାରୁ ବିଚାରକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଗତବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାର ଲାଭ କରିବ ‘ହେଲୋ ଆର୍‌ସି’। ପ୍ରଯୋଜକ ଅଜୟ ରାଉତରାୟଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ସେହି ଚଳଚ୍ଚିତ୍ରର ନିର୍ଦେଶକ ସ୍ବର୍ଗତ ସମ୍ବିତ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦେଶକ ଏବଂ ପାର୍ଥସାରଥୀ ରାୟଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରର ସନ୍‌ମୀରା ନାଗେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବଛାଯାଇଛି। ମୋଟ୍‌ ୨୫ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ନିକଟରେ ଜାତୀୟ ପୁରସ୍କାର ଲାଭ କରିଥିବା ଅଜୟ ରାଉତରାୟ ଏବଂ ସମ୍ବିତ ମହାନ୍ତିଙ୍କ ‘ହେଲୋ ଆର୍‌ସି’ ମୋଟ୍‌ ୫ଟି ବର୍ଗରେ ପୁରସ୍କାର ହାତେଇ ନେଇଛି। ମାତ୍ର ‌୨୭ଟି ବର୍ଗରେ ପୁରସ୍କାର ଦେବାର ଥିଲେ ହେଁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ‌ଆଦିବାସୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ବର୍ଗରେ କୌଣସି ଫିଲ୍ମ ଆସି ନଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସମେତ ଚଳଚ୍ଚିତ୍ର ବିଚାରକ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ କର, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା, ଧୀରେନ୍ଦ୍ରନାଥ ମଲ୍ଲିକ, ସଂଘମିତ୍ରା ଶତପଥୀ, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ଜେନା ଉପସ୍ଥିତ ରହି ସୂଚନା ଦେଇଥିଲେ। ଆସନ୍ତା ମାର୍ଚ ୧ ତାରିଖରେ ଉତ୍କଳ ମଣ୍ଡପରେ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

Related Posts

About The Author

Add Comment