କେନ୍ଦୁଝର, 11.02.2021 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):- ବିବାହ ପରେ ଝିଅ ମାଆ ବଦଳରେ ପାଇଥାଏ ଶାଶୁ । କିନ୍ତୁ ଏଠି ଶାଶୂ ସାଜିଲା ବୁଢୀ ଅସୁରୁଣୀ । ସାମାନ୍ୟ ଯୌତୁକ ଲୋଭରେ ନିଜ ବିଧବା ବୋହୂକୁ ନିଆଁ ଲଗାଇଦେଇଛି ଶାଶୂ । କେନ୍ଦୁଝର ଜିଲ୍ଲା ସଦରଥାନା କାଠାବାଉଁଶୁଳୀ ଗାଁରେ ଘଟିଛି ଘଟଣା । ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୋହୂ ସସ୍ମିତା ବାରିକଙ୍କ ବାପା ଯୋଗେନ୍ଦ୍ର ମହାକୁଡ଼ । ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ୯ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ଗାଁର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସସ୍ମିତା ସଦର ଥାନା କାଠବାଉଁଶୁଳୀ ଗାଁର ସୁରଥ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୭ ବର୍ଷର ପୁଅ ମଧ୍ୟ ଅଛି । ବିବାହ ପରେ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ସସ୍ମିତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ଯାହାଲାଗି ପରିବାରରେ ବିଶୃଙ୍ଖଳା ହୋଇଥିଲା । ଏପିରିକି ମାମଲାଟି ଫାଣ୍ଡିରେ ଯାଇ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାରେ ସମାଧାନ ହୋଇଥିଲା । କିନ୍ତୁ ୬ ମାସ ତଳେ ସସ୍ମିତାଙ୍କ ସ୍ୱାମୀ ସୁରଥ ଦୁର୍ଘଟଣାରେ ଆରପାରିକି ଚାଲିଗଲେ । ଏହାପରେ ସସ୍ମିତାଙ୍କ ଉପରେ ଅତ୍ୟାଚାର ବଢିଥିଲା । ତାଙ୍କୁ ମାର୍ପିଟ୍ ସହ ଗାଳିଗୁଲଜ କରୁଥିଲେ । ତେବେ ଗତ ୫ ତାରିଖ ସକାଳେ ଚୂଲି ପାଖରେ ବସି ପିଠା କରୁଥିବା ସମୟରେ ସସ୍ମିତାର ଶାଶୂ ସାଇବାଣୀ ବାରିକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସସ୍ମିତା ଜୀବନ ବିକଳରେ ରକ୍ଷା କର କହି ଘର ଭିତରୁ ବାହାରକୁ ଦୌଡିଥିଲେ । ତାଙ୍କ ଉପରେ ପରିବାର ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସସ୍ମିତା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ବାପାଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି କେନ୍ଦ୍ରକୁ ଆସି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ଯୋଗେନ୍ଦ୍ର । ସ୍ୱାମୀଙ୍କୁ ହରାଇ ୭ ବର୍ଷର ପୁଅ ସହିତ ଦୁଃଖେ କଷ୍ଟେ ଦିନ କାଟୁଥିବା ସସ୍ମିତା ଏଭଳି ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ବାପଘର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ।



