ଯାଜପୁର, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ । ପିଲା ଚୋର ଭାବି ଧରି ପକାଇଲେ ଲୋକେ । କୌତୁହଳର ବିଷୟ ହେଲା ବାବାଙ୍କ ବୟସକୁ ଦାଢ଼ି ଜଟ ମ୍ୟାଚ୍ କରୁନଥିଲା । କିଛି ଲୋକ ସନ୍ଦେହ କରି ଦାଢ଼ି ଟାଣିଦେବାରୁ ଭାଣ୍ଡାମୀ ଧରାପଡ଼ିଯାଇଥିଲା । ଅନୁଗୁଳର ଜଣେ କଲେଜ ଛାତ୍ର ନିଜ ପ୍ରେମିକାକୁ ଭେଟିବାକୁ କେମିତି ବାବା ବେଶରେ ଯାଜପୁର ରୋଡ ଫେରୋକ୍ରୋମ ଗେଟ୍ କଲୋନୀକୁ ଆସି ହଟହଟା ହୋଇଛନ୍ତି। ଅନୁଗୁଳର ବାବା, ହିମାଳୟରୁ ଆସିଛନ୍ତି ବୋଲି କହିଥିଲେ । ମୁଣିରେ ପଡ଼ିଥିଲା ଅଧକିଲୋ ଚାଉଳ ଆଉ ଦି, ଚାରିଟା ୫ଟଙ୍କିଆ କଏନ୍ । ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଜଟ ସାଙ୍ଗକୁ କିନ୍ତୁ ମ୍ୟାଚ୍ କରୁନଥିଲା ବୟସ। ପିଲାଚୋର ଭାବି ମାଡ଼ିବସିଲେ ଲୋକେ । ମୁହଁରୁ ଖସି ପଡ଼ିଲା ନକଲି ଦାଢ଼ି । ଧରାପଡ଼ିଗଲା ବାବାଙ୍କ ଭାଣ୍ଡାମୀ। ସବୁଥର ଭଳି ଏଥର ମଧ୍ୟ ନାଟକର ଶେଷ ସିନ୍ରେ ପୋଲିସର ଏଣ୍ଟ୍ରି ହୋଇଥିଲା । ଆପଣ ଭାବୁଥିବେ ଇଏ ପୁଣି କେଉଁ ନାଟକ ? ଆଜି ଯାଜପୁର ରୋଡ୍ ଥାନା ଅଂଚଳରେ ଥିବା ଫେରୋକ୍ରୋମ୍ କଲୋନୀ ନିକଟରେ ଏମିତି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ । ଧରାପଡ଼ିଥିବା ଯୁବକ ଜଣକ ଅଗୁଗୁଳର ଏକ କଲେଜରେ ପଢ଼ନ୍ତି । ଯୁକ୍ତ ୨ରେ ପଢ଼ୁଥିବା ଏହି ଛାତ୍ର ଜଣକ ବାବା ବେଶ ଧାରଣ କରି ତାଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଜପୁର ରୋଡ଼ ଆସିଥିଲେ । ତାଙ୍କ ହାବଭାବ ଦେଖି କିଛି ଲୋକଙ୍କ ସଂଦେହ ହେଲା । ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ବାବାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବା ନଅଟକିବାରୁ ସେ ତାଙ୍କ ହାତ ଧରିପକାଇଥିଲେ । ବାବା ତମେ କୋଉଠୁ ଆସିଛ ବୋଲି ପଚାରିଥିଲେ । ବାବା କହିଥିଲେ ହିମାଳୟରୁ ଆସିଛନ୍ତି । ବାବାଙ୍କ ବୟସ ଓ ତାଙ୍କ ଚୁଟି, ଦାଢ଼ି ଦେଖି ବ୍ୟକ୍ତିଜଣଙ୍କ ସଂଦେହ ହୋଇଥିଲା । ବାବାଙ୍କ ଦାଢ଼ି ଟାଣିଦେବାରୁ ଖସି ଯାଇଥିଲା ନକଲି ଦାଢ଼ି । ଚାହୁଁ ଚାହୁଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଗଲା। ପିଲାଚୋର ଭାବି ପୋଲିସକୁ ଡାକିଥିଲେ ଲୋକେ । ଶେଷରେ ପୋଲିସ ଆସି ବାବା ସାଜିଥିବା ଛାତ୍ରଙ୍କୁ ଉଠାଇନେଇଥିଲା । ବୁଝୁ ବୁଝୁ ଜଣାପଡ଼ିଲା ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିଲେ । ତେଣୁ ଛାତ୍ର ଜଣକ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲେ ।
ଯୋଗୀ ବେଶରେ ବାନ୍ଧବୀଙ୍କୁ ଦେଖା କରିବାକୁ ଯାଇ ହଟହଟା ହେଲେ ଛାତ୍ର
|
January 31, 2021 |