ରାସଗୋବିନ୍ଦପୁର, ୦୪.୦୨.୨୦୨୧((ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): – ପ୍ରେମ ନିବେଦନ ଅଗ୍ରାହ୍ୟ କରିଦେବାରୁ ଜନୈକ ଯୁବକ ଜଣେ ଯୁବତୀକୁ ଛୁରୀରେ ଆଘାତ କରି ଲହୁ ଲୁହାଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଯେ, ରାସଗୋବିନ୍ଦପୁର ଥାନା ଅଞ୍ଚଳର ବାବୁଲୁ କିସ୍କୁଙ୍କ ଝିଅ ଗୁରୁବାର କିସ୍କୁ (୨୦) ପାରୁ ଳିଆସ୍ଥିତ ସଂପର୍କୀୟ ଭଉଣୀ ଘରକୁ ଯାଇଥିଲେ । ସେଠାରେ ରହୁଥିବା ବେଳେ ଭଉଣୀର ଶ୍ୱଶୁରଙ୍କ ମୃତ୍ୟୁ ହୋଇଯିବାରୁ ପରିବାର ଓ ସଂପର୍କୀୟ ଲୋକମାନେ ଶବଦାହ ପାଇଁ ଶ୍ମଶାନକୁ ଯାଇଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ ଶବ ସତ୍କାର ପରେ ମହିଳା ଓ ଯୁବତୀମାନେ ଗାଧୋଇବାକୁ ପାରୁଳିଆ ବିଲ ମଝିରେ ଥିବା ପୋଖରୀକୁ ସ୍ନାନ କରିବା ପାଇଁ ଯାଇଥିଲେ । ଇତ୍ୟବସରରେ ମୋରଡା ଥାନା ଅନ୍ତର୍ଗତ ମୋହନପୁର ଗ୍ରାମର ଦାସ ମାରାଣ୍ଡି (୨୫) ପୋଖରୀ ନିକଟକୁ ଯାଇ ଗୁରୁ ବାରୀକୁ ପ୍ରେମ ନିବେଦନ ପାଇଁ ପାଖକୁ ଡାକିଥିଲେ । ଯୁବତୀ ଯୁବକର ଉଦ୍ଦେଶ୍ୟ ଜାଣି ପାରି ଏହାକୁ ଅଗ୍ରାହ୍ୟ କରି ଦେଇଥିଲା । ଏଥିରେ ଯୁବକଟି ଉତ୍ୟକ୍ତ ହୋଇ ଏକ ଛୁରୀରେ ଯୁବତୀର ପେଟରେ ଆଘାତ କରିଥିଲା । ଯୁବତୀ ଜଣକ ଚିତ୍କାର କରିବାରୁ ପୋଖରୀରେ ଥିବା ଅନ୍ୟ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଯୁବକଟି ସେଠାରୁ ଫେରାର ହୋଇଯାଇ ଥିଲା । ତେବେ ଗୁରୁବାରୀ ପୂର୍ବରୁ ଦାସ ମାରାଣ୍ଡି କୁ ପୂର୍ବରୁ ବିବାହ କରିଥିଲା ବୋଲି ଶୁଣାଯାଉଛି । ଯୁବତୀଜଣକ ଦାସ ମାରାଣ୍ଡି କୁ ଛାଡି ଚାଲି ଆସିଥିବାରୁ ସେ ଆଜି ଖବର ପାଇ ଗୁରୁବାରୀକୁ ସାକ୍ଷାତ କରିବାକୁ ଆସିଥିବା କୁହାଯାଉଛି । ଖବରପାଇ ରାସଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବତୀକୁ ଉଦ୍ଧାର କରି ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଯୁବତୀର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ପ୍ରକାଶ ।
ଯୁବତୀକୁ ଛୁରୀରେ ଆଘାତ କରି ଲହୁ ଲୁହାଣ କଲେ ଯୁବକ
|
February 4, 2021 |
