ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳର ପଦଯାତ୍ରା ଉଦଯାପିତ

Spread the love

ଯାଜପୁର, ୧୩/୧୧ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟସ୍ତରରେ ଆରମ୍ଭ ହୋଇଥିବା ନଫରତ୍ ଛାଡ ସମ୍ବିଧାନ ବଞ୍ଚାଅ ଅଭିଯାନକୁ ସମର୍ଥନ କରି ଗତକାଲି ଯାଜପୁର ଜିଲ୍ଲାର ରସୁଲପୁର ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା କଲଣ ଠାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ପଦଯାତ୍ରୀମାନେ ସ୍ବାଧୀନତା ସଂଗ୍ରାମୀ ଭଗବାନ ରଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ପଦଯାତ୍ରା ସିଂଘାପୁର, ହାଟ ସିଂଘାପୁର, ସରଭଣା, ସୁଳିଆ, ବାମଦେଇପୁର, ଜଗନ୍ନାଥପୁର ଦେଇ କଲଣ ଛକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚିବା ପରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳର ସମ୍ପାଦକ ଦେଵବ୍ରତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ମୁଖ୍ୟ ବକ୍ତା ଭାବେ ସର୍ବୋଦୟ ନେତା ଡଃ ବିଶ୍ଵଜିତ୍, ସମ୍ମାନିତ ଅତିଥି ଭାବେ ସ୍ବାଧିନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ମିହିର ପ୍ରତାପ ଦାସ, ଶରତ ଚନ୍ଦ୍ର ପ୍ରଧାନ, କଲ୍ୟାଣ ଆନନ୍ଦ ପ୍ରମୁଖ ଯୋଗଦେଇ କହିଲେ ଯେ, ଦେଶ ଆଜି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର ଆଦାନୀ – ଆମ୍ବାନୀ ଭଳି କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାକୁ ଲାଗିଛନ୍ତି। ତେଣୁ ଗାନ୍ଧୀଙ୍କ ବିକଳ୍ପ ଧାରାର ସମାଜ ପରିଚାଳନା ଅପରିହାର୍ଯ୍ୟ ହୋଇପଡିଛି।

ଆଦିତ୍ୟ ମାହୁନ୍ତ, ମକରଧ୍ଵଜ ଦାସ, ଗୋଲକ ବିହାରୀ ମଲ୍ଲିକ, କୃଷକ ଲକ୍ଷ୍ମଣ ଦାସ ସମେତ ଶତାଧିକ ଯୁବଛାତ୍ର ପଦଯାତ୍ରାରେ ସାମିଲ ହୋଇଥିଲା ବେଳେ ଦୀପ୍ତିମୟ ନାୟକ, ପଙ୍କଜ ମଲ୍ଲିକ, ସାମ୍ବାଦିକ ପ୍ରବୋଧ କୁମାର ମିଶ୍ରଙ୍କୁ ସର୍ବୋଦୟ ମଣ୍ଡଳ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ପଦଯାତ୍ରାରେ ଗ୍ରାମୀଣ ଏକତା ମଞ୍ଚ, ଭୂମିକା, ଠେଙ୍ଗା ବାହିନୀ, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସୁକିନ୍ଦା ଶାଖା) ସହଯୋଗ କରିଥିଲେ। ପରିଶେଷରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment