ଯାଜପୁରରେ ଫନି ରିଲିଫ ଚାଉଳ ଓ କିରୋସିନି ହଡପ: ଚପାଇଦେବାକୁ ବାଟ ଖୋଜୁଛି ପ୍ରଶାସନ

Spread the love

ଲୋକେ ଅଧିକ ଚାଉଳ ଦାବି କରୁଥିବା ବେଳେ ପ୍ରଶାସନ ଉଠଇଲା ନାହିଁ ୧ ହଜାର ୬୪୨ କୁଇଂଟାଲ ଚାଉଳ: ଦେଉନାହିଁ ଦୁଇମାସର କିରୋସିନି

ଯାଜପୁର, ୨୨/ ୬ (ସନ୍ଧାନ ନିୟୁଜ) ପ୍ରାକୃତିକ ଦୁର୍ବିପାକ କାହା ପାଇଁ ସର୍ବନାଶ କାହାପାଇଁ ପୁଷମାସ । ଫନୀ ପରି ଗୋଟିଏ ଗୋଟିଏ ବାତ୍ୟା ଭଳି ଦୁର୍ବିପାକ ନାମରେ ହରିଲୁଟ ପାଇଁ ଅନେକ ସୁଯୋଗ ଅପେକ୍ଷାରେ ରହିଥାନ୍ତି । ଏ କ୍ଷେତ୍ରରେ ବଡ ଖବର ପାଲଟିଛି ଯାଜପୁର ଜିଲ୍ଲାର ରିଲିଫ ଚାଉଳ ଏବଂ କିରୋସିନି ।
ଯାଜପୁର ଜିଲ୍ଲାରେ ଫନୀ ରିଲିଫ ବାବଦରେ ଚାଉଳ ବଂଟନ ପାଇଁ ସରକାରୀ ଭାବେ ବରାଦ ହୋଇଥିଲା ୫୪ ହଜାର ୬୪୨ କୁଇଂଟାଏ । ମେ ୧୬ ତାରିଖ ସୁଦ୍ଧା ରିଟେଲରମାନେ ୫୩ ହଜାର ୩୪୩ କୁଇଂଟାଲ ରିଲିଫ ଚାଉଳ ଉଠାଇଛନ୍ତି । ଅବଶିଷ୍ଟ ୧ ହଜାର ୬୪୨ କୁଇଂଟାଲ ଚାଉଳ ଉଠାଇଲେ ନାହିଁ । ସେଥିରୁ ୩୧ ହଜାର କୁଇଂଟାଲ ଚାଉଳ ବଂଟନ କରିଛନ୍ତି । ବଂଟନ ପ୍ରକିୟା ସରିବାର ୧ ମାସ ବିତିଲା । ଅବଶିଷ୍ଟ ୨୨ ହଜାର କୁଇଂଟାଲ ଚାଉଳ ଏ ଯାଏ ମିଲର ମାନଙ୍କ ଗୋଦାମକୁ ଆସିନାହିଁ । ଫେରି ନଥିବା ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ହେବ । ଅନେକ ରିଟେଲର ମାନଙ୍କ ଗୋଦାମ ଘର ନଥିବା ବେଳେ ସେହି ଚାଉଳ କିପରି କେଉଁ ଅବସ୍ଥାରେ ରହିଛି ତାହା କେବଳ ନାମକୁ ମାତ୍ର ପ୍ରଶ୍ନବାଚୀ ହୋଇଛି ସିନା ବାସ୍ତବରେ ଏହି ଚାଉଳକୁ କଳାବଜାରରେ ବିକ୍ରି କରି ଦିଆଯାଇଛି । ଏଥିନେଇ ଜିଲ୍ଲା ଯୋଗାଣ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ବ୍ଲକସ୍ତରୀୟ ଅଧିକାରୀଙ୍କୁ ପତ୍ର ଦେଇ ନାହାନ୍ତି କିମ୍ବା ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ନାହାନ୍ତି । ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି ।
ଯେଉଁ ୫୩ ହଜାର ୩୪୩ କୁଇଂଟାଲ ଚାଉଳ ବଂଟନ ହୋଇଛି ବୋଲି କୁହାଯାଉଛି ତାହା ମଧ୍ୟ ମିଛ । ଶିଶୁ କିଶୋର ଯୁବକ ବୃଦ୍ଧ, ଧନୀ ଗରୀବ, ଭଡାଟିଆ, ପର୍ଯ୍ୟଟକ, ଶରଣାର୍ଥି ଆଦି ସମସ୍ତଙ୍କୁ ରିଲିଫ ପ୍ରଦାନ ବ୍ୟବସ୍ଥା ଥିଲା । ଅନେକ ଥିଲା ବାଲା, ଭଡାଟିଆଙ୍କ ଚାଉଳକୁ ହଡପ କରାଗଲା । ଉଷୁନା ଚାଉଳରେ ଖାଇବାକୁ ଚାହୁଁଥିବା ଜିଲ୍ଲାବାସୀଙ୍କୁ ଅରୁଆ ଦିଆଗଲା । ଧର୍ମଶାଳା ବ୍ଲକର ଅଂଜିରା ପଂଚାୟତର ଗମାରିଆ ପରି କେତେକ ଗ୍ରାମରେ ଶିଶୁ ଓ କିଶୋର ମାନଙ୍କୁ ଆଦୌ ରିଲିଫ ଚାଉଳ ଦିଆଯାଇ ନାହିଁ । ଏହାସହ ଧର୍ମଶାଳାର ଶତାଧିକ ଗ୍ରାମରେ ଏହିଭଳି ଅବ୍ୟବସ୍ଥା କରାଯାଇଛି । ସେହିପରି ସାହାଣିଢିହ ପଂଚାୟତର ଚାରଗୋଠ ଗ୍ରାମରେ ଶକ୍ତି ରାଉତ, ନଣ୍ଡା ଗୁରୁ, କାର୍ତିକ ସ୍ୱାଇଁଙ୍କ ପରି ବହୁ ଜନସାଧାରଣଙ୍କ ପରିବାରକୁ ଆଦୌ ରିଲିଫ ଚାଉଳ ମିଳିନାହିଁ । ଏହା କେବଳ ଗୋଟିଏ ଦୃଷ୍ଟାନ୍ତ ମାତ୍ର । ଏହିପରି ଭାବେ ଧର୍ମଶାଳା ବ୍ଲକର ତରଞ୍ଜିଆ, ଆରୁହା, ପୋବଳ, ପାଖର, କମାଗଡ, ଗଡମଧୁପୁର, ମହିସରା, ସଂପାରୁ, ମର୍ଯ୍ୟାଦାପୁର, ଅଂଜିରା, ଚକ୍ରଧରପୁର, ବଉଳମାଳ, ଦେଓଦା, ଅରାବଳ, ପାଟପୁର, ମିର୍ଜାପୁର, ମଧୁସୁଦନପୁର, ଥାନୁଆଳ , ହରିଦାସପୁର, ପଟୁଣିଆ, କଂଟିଗଡିଆ ଆଦି ବହୁ ପଂଚାୟତରେ ରିଲିଫ ଚାଉଳ ବଂଟନରେ ବ୍ୟାପକ ଜାଲିଆତି କରାଯାଇଛି । କାଗଜପତ୍ରରେ ଯାହା ଚାଉଳ ଦିଆଯାଇଛି ବୋଲି ଦର୍ଶାଯାଉଛି, ବାସ୍ତବରେ ବହୁ ଅନୁସୁଚିତ ଜାତି ଓ ଜନଜାତି ଲୋକଙ୍କୁ ସେହି ଅନୁସାରେ ରିଲିଫ ଚାଉଳ ଦିଆ ନଯାଇ ଉକ୍ତ ଚାଉଳକୁ ହରିଲୁଟ କରାଯାଇଛି । ସବୁଠାରୁ କୌତୁହଳର କଥା ଏହି କି, ଏହି ରିଲିଫ ଚାଉଳ ହଡପ ପ୍ରସଙ୍ଗ ସାଧାରଣରେ ଆଲୋଚନା ହେବା ସହ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏଥିନେଇ ପ୍ରଶ୍ନ ଉଠାଇବା ପରେ ଏହି ବଳକା ଚାଉଳକୁ ଆସନ୍ତା ବନ୍ୟା ପାଇଁ ରିଟେଲର ମାନଙ୍କ ପାଖରେ ଗଚ୍ଛିତ ରଖାଯିବାକୁ ନିଦେ୍ର୍ଦଶ ହୋଇଛି ବୋଲି ଏବେ ଜିଲ୍ଲା ଯୋଗାଣ ଅଧିକାରୀ ଆତ୍ମରକ୍ଷା ପାଇଁ କହୁଛନ୍ତି । ଯଦି ଏହା ସତ୍ୟ, ତେବେ ଏଥିନେଇ କେତେ ତାରିଖରେ ଅଧସ୍ତନ ବ୍ଲକ ସ୍ତରର ଅଧିକାରୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ନିଦେ୍ର୍ଦଶପତ୍ର ଦେଲେ, ପ୍ରତ୍ୟେକ ରିଟେଲରଙ୍କ ପାଖରେ କେତେ ଚାଉଳ ବଳିଛି ଏଥିନେଇ କେତେ ତାରିଖରେ କେଉଁ ପତ୍ରରେ ଜିଲ୍ଲା ଯୋଗାଣ ଅଧିକାରୀ ଜାଣିଲେ, କେଉଁ ଉପରିସ୍ଥ ଅଧିକାରୀଙ୍କ ନିଦେ୍ର୍ଦଶ ବଳରେ ଆସନ୍ତା ବନ୍ୟା ପର୍ଯ୍ୟନ୍ତ ଏହି ଚାଉଳ ରିଟେଲରଙ୍କ ପାଖରେ ରହିବ ବୋଲି ନିଷ୍ପତି ନିଆଗଲା, ମୁଣ୍ଡପିଛା କମ ଚାଉଳ ଦିଆଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବଳକା ଚାଉଳକୁ ଫନୀ ବାତ୍ୟା ବେଳେ ମୁଣ୍ଡପିଛା ଅଧିକ ଚାଉଳ ଦେଇ ବାତ୍ୟା ଦୁର୍ଗତଙ୍କୁ ବାଂଟିଦେବାକୁ କିଏ ମନାକରିଥିଲା କିମ୍ବା କେଉଁ ନିୟମ ମନାକରିଥିଲା ନାଁ ଉଦେ୍ଦଶ୍ୟ ମୂଳକ ଭାବେ ଚାଉଳ ବଳାଇ ହଡପ କରିବାର ଯୋଜନା ଥିଲା, ବନ୍ୟା ପାଇଁ ରିଟେଲର ମାନଙ୍କ ପାଖରେ ବଳକା ଚାଉଳ ରହିବା ନିଷ୍ପତି ନେଇ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଅର୍ଥାତ ୫ ଟି ‘ଟି’ ର ସଫଳ ରୂପାୟନ ପାଇଁ ଗଣମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତି କରାଗଲା ନାହିଁ କାହିଁକି, ଜିଲ୍ଲାରେ ଅଧିକାଂଶ ଅଂଚଳ ବନ୍ୟାଂଚଳ ହୋଇନଥିବା ବେଳେ ସେଠାରେ ଏହି ବଳକା ଚାଉଳ ନେଇ କଣ କରାଯିବ ଆଦି ଆଦି ପ୍ରଶ୍ନ ନେଇ ଯୋଗାଣ ବିଭାଗ ପାଖରେ କୌଣସି ଉତ୍ତର ନାହିଁ ।
ମେ ମାସରେ ଫନୀ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏହି ମାସରେ କିରୋସିନୀ ଆଦୌ ଦିଆଯାଇ ନାହିଁ । ଆଜିସୁଦ୍ଧା ଜୁନ ୨୧ ତାରିଖ ହୋଇଥିଲେ ବି ଉଭୟ ମେ ଓ ଜୁନ ମାସରେ କିରୋସିନୀ ଦିଆଯାଇ ନାହିଁ । ସରକାର ରିଲିଫ ଆକାରରେ କିରୋସିନି ପ୍ରଦାନ କରିନଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିବା ଆଶ୍ଚର୍ଯ୍ୟ ଜନକ । ଯଦି ଏହା ସତ୍ୟ ତେବେ ମେ ଓ ଜୁନ ମାସର ସାଧାରଣ କିରୋସିନି କୋଟା ବି କିପରି ସରକାର ଦେଲେ ନାହିଁ ବୋଲି ଧର୍ମଶାଳା ବ୍ଲକର ମଧୁପୁରଗଡ, ମହିସରା, ସଂପାରୁ ଆଦି ବହୁ ପଂଚାୟତର ଶତାଧିକ ଖାଉଟି ପ୍ରଶ୍ନ ଉଠାଇଛନ୍ତି । ତେବେ ଉଭୟ ଚାଉଳ ଓ କିରୋସିନି ପ୍ରସଙ୍ଗ ନେଇ ରାଜ୍ୟସ୍ତରର ସ୍କ୍ୱାର୍ଡ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟ ସରକାର ଫନୀ ନେଇ ଯଥେଷ୍ଟ ଯତ୍ନବାନ ଥିବା ବେଳେ କେତେକ ଦୁର୍ନିତିଗ୍ରସ୍ତ ପ୍ରଶାସକଙ୍କ ପାଇଁ ସରକାର ବଦନାମ ହେବାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଫନୀ ପାଇଁ ସରକାର ଯଥେଷ୍ଟ ଆନ୍ତରିକତା ଦେଖାଇଥିବା ବେଳେ ଚାଉଳ ଗଚ୍ଛିତ ଥାଇ ଏବଂ ବରାଦ ମୁତାବକ ସବୁ ଚାଉଳ ନଉଠାଇ ବି ଲୋକଙ୍କୁ କମ ପରିମାଣର ଚାଉଳ ବଂଟନ କରାଯିବା ଏବଂ ଆଦୌ କିରୋସିନି ନମିଳିବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

Related Posts

About The Author

Add Comment