ବାରିପଦା,୨୫/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓମ୍ବାଡସି) ପାଣ୍ଠିରୁ ବିନିଯୋଗ ହେବ ୩୨୧୦ କୋଟି ଟଙ୍କା। ଏ ପାଣ୍ଠିରେ ୧୫ ନୂଆ ପ୍ରକଳ୍ପ କାମ ହାତକୁ ନିଆଯିବ ।ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୨୧୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ କରାଯିବ। ଆଜି ଓମ୍ବାଡସିର ବୈଠକ ବସି ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଖଣିଜ ଅଞ୍ଚଳରେ ନିଗମର ପାଣ୍ଠି ବିନିଯୋଗ ଓ ପ୍ରକଳ୍ପର ମାନକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ଓଭରସାଇଟ୍ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଏ.କେ ପଟ୍ଟନାୟକ । ଠିକଣା ଭାବେ ପାଣ୍ଠି ବିନିଯୋଗ ପାଇଁ ଜଷ୍ଟିସ୍ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଓମ୍ବାଡସି ବୈଠକରେ ହୋଇଥିବା ନିଷ୍ପଭି ପାନୀୟ ଜଳ ଯୋଗାଇ ଦିଆଯିବ । ଜିଲ୍ଲାର ୧୩ ବ୍ଳକର ଏହି ଗାଁ ଗୁଡ଼ିକୁ ଜଳ ଯୋଗାଣ ପାଇଁ ଓମ୍ବାଡସି ପାଣ୍ଠିରୁ ୧୫୩୧ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ। ଏହାଦ୍ବାରା ଏହି ଗାଁ ଗୁଡ଼ିକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏ ଜିଲ୍ଲାରେ ସ୍ବାସ୍ଥ୍ୟସେବା ପାଇଁ ମଧ୍ୟ ୪୭.୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସବଡ଼ିଭିଜନାଲ ହସପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପିଏଚସି ଆଦିର ଭିତ୍ତିଭୂମି ବିକାଶ କରାଯିବ । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା, ଟାଙ୍ଗରାପାଲି, ସୁନ୍ଦରଗଡ଼, ବରଗାଁ, ସବଡେଗା ଓ ବାଲିସଙ୍କରା ବ୍ଲକର ଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । ଏଥିପାଇଁ ଖର୍ଚ୍ଚ ହେବ ୫୮୫.୧୬ କୋଟି । ଏହାଛଡ଼ା ଦୀର୍ଘମିଆଦି ସୂତ୍ରରେ ଚାଷୀମାନଙ୍କୁ ଜୀବିକା କାର୍ଯ୍ୟକ୍ରମ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର ଓ ଢେଙ୍କାନାଳରେ ଖର୍ଚ୍ଚ ହେବ ୮୨.୨୯ କୋଟି । ସେହିଭଳି ହସ୍ତଶିଳ୍ପ କାମ ମାଧ୍ୟମରେ ଜୀବିକା ପାଇଁ ୩୫.୧୪ କୋଟି ଖର୍ଚ୍ଚ ହେବ । କେନ୍ଦୁଝର ସରକାରୀ ଇଂଜିନିୟରିଙ୍ଗ କଲେଜର ଭିତ୍ତିଭୂମି ବିକାଶ, ପାଠାଗାର, ଗବେଷଣା କେନ୍ଦ୍ର ପାଇଁ ୩୩.୩୯ କୋଟି, ଓମ୍ବାଡସି ଜିଲ୍ଲାରେ ସରକାରୀ ଆଇଟିଆଇ ଓ ପଲିଟେକନିକରେ ସେଣ୍ଟର ଅଫ ଏକ୍ସଲେନ୍ସ ଖୋଲିବାକୁ ୧୨୩.୪୫ କୋଟି ଖର୍ଚ୍ଚ କରାଯିବ । ଗରିବ ମହିଳାମାନଙ୍କୁ ଆତ୍ମ ନିଯୁକ୍ତି ଦେବାକୁ ୩୫.୨୪ କୋଟି, ମେଗା ନର୍ସରୀ ପାଇଁ ୧୧.୭୧ କୋଟି, ଜୀବିକା ପ୍ରୋତ୍ସାହନ ଯୋଜନାରେ ୪୩,୪୩ କୋଟି ଖର୍ଚ୍ଚ କରିବାକୁ ଓମ୍ବାଡସି ବୈଠକରେ ନିଷ୍ପଭି ହୋଇଛି । ପ୍ରକଗୁଡ଼ିକୁ ତ୍ବରାନ୍ବିତ କରିବାକୁ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପରାମର୍ଶ ଦେଇଥିଲେ । ଏପରିକି ଜିଲ୍ଲାସ୍ତରରେ ଏଥିପାଇଁ ଓମ୍ବାଡସି ସେଲ ଖୋଲିବାକୁ କହିଥିଲେ । ଓଡସି ପ୍ରକଳ୍ପଗୁଡ଼ିକର ତୃତୀୟ ପକ୍ଷ ଦ୍ଵାରା ଆକଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଓମ୍ବାଡସି ପ୍ରକଳ୍ପଗୁଡ଼ିକର ତ୍ବରିତ କାର୍ଯ୍ୟକାରିତାକୁ ଓଭରସାଇଟ୍ କମିଟି ପ୍ରଶଂସା କରିଛି । କରୋନା ସମୟରେ ବି ଏହି ପ୍ରକଳ୍ପ ଯୋଗୁଁ ଅର୍ଥନୈତିକ ଚଳଚଞ୍ଚଳ ହୋଇପାରିଥିବାରୁ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପଟ୍ଟନାୟକ ମୁଖ୍ୟସଚିବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଓମ୍ସି ପକ୍ଷରୁ ସିଇଓ ଉମା ନନ୍ଦୁରୀ ସୂଚନା ଦେଇ କହିଲେ, ୧୪ ହଜାର ୩୩୦ କୋଟି ଟଙ୍କାରେ ୩୮ଟି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିସାରିଛି । ଏ ପ୍ରକଳ୍ପଗୁଡ଼ିକ ପାଇଁ ୨୮୪୪ କୋଟିର ପାଣ୍ଠି ମଧ୍ୟ ଦିଆସରିଲାଣି । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ମୟୂରଭଞ୍ଜରେ ମେଗା ପାନୀୟ ଜଳ ପ୍ରକଳ୍ପ
|
December 25, 2020 |