ବାରିପଦା, ୩୦/୯ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାପାଳଙ୍କ ବିଚିତ୍ର ନ୍ୟାୟ, ହକ ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଥିବା ନିରୀହ ଅଧିବାସୀଙ୍କ ନାମରେ ମାମଲା | ସୋମବାର ପୂର୍ବାହ୍ନ ସାଢେ ୧୧ଟାଠାରୁ ଅପରାହ୍ନ ଅଢେଇଟା ପର୍ଯ୍ୟନ୍ତ ରଘୁନାଥପୁରର ଝୁନୁ ମୁଖ୍ୟଙ୍କ ନେତୃତ୍ୱରେ ଇନ୍ଦପାହି, ବିରିଡିହି, ହଦହଦି, କାର୍ଥିନିଦି ଗ୍ରାମର ୫୨ରୁ ୬୦ ଜଣ ଗ୍ରାମବାସୀ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିନା ମାସ୍କରେ ସାମାଜିକ ଦୂରତା ନ ରଖ୍ ଧାରଣା ଦେଇଥିବା ନେଇ ଅଭିଯୋଗ ହୋଇଛି । ଏ ସଂପର୍କରେ ବାରିପଦା ଟାଉନ ଥାନାରେ ପୁଲିସ ଏସଆଇ ମାମିନୀ ପ୍ରଧାନଙ୍କ ଅଭିଯୋଗକ୍ରମେ ଧାରଣକାରୀମାନଙ୍କ ବିରୋଧରେ ୬୭୦/୨୦ ନମ୍ବରର ଏକ ମାମଲା ୧୪୩, ୧୪୭, ୧୪୮, ୧୮୬, ୨୯୪, ୨:୪୯, ୨୭୦ ଓ ୧୪୯ ଦଫା ସହ ବିପର୍ଯ୍ୟୟ ପରିଚାଳନା ଆଇନର ୫୧ ଧାରାରେ ରୁଜୁ ହୋଇଥିବା ଜଣାଯାଇଛି । ଏହି ମାମଲାରେ ଲକ୍ଷ୍ମୀପୋଷି ଆଉଟପୋଷ୍ଟର ପ୍ରବୋଧ ଚନ୍ଦ୍ର ପଣ୍ଡା ତଦନ୍ତ କରୁଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ବାରିପଦା ରଘୁନାଥପୁରର ମଇଳାଖାଦାନଠାରେ କରୋନା ଆକ୍ରାନ୍ତଙ୍କ ଶବଦାହ ବନ୍ଦ କରାଯିବା ଦାବିରେ ଉପରୋକ୍ତ ଗ୍ରାମବାସୀମାନଙ୍କ ପକ୍ଷରୁ ଗତକାଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ରାସ୍ତା ଅବରୋଧ କରାଯାଇଥିଲା । ଏହା ପୂର୍ବରୁ ଏହି ଦାବି ନେଇ ଗତ ୨୩ ତାରିଖରେ ଉକ୍ତ ମଇଳାଖାଦାନ ନିକଟରେ ୪ ଘଣ୍ଟା ଧରି ରାସ୍ତାରୋକ ଆନ୍ଦୋଳନ କରାଯାଇଥିବା ବେଳେ ପୁଣି ଗତ ୨୭ ତାରିଖ ଦିନ ମଇଳାଖାଦାନ ନିକଟ ବାରିପଦା ପୌରାଂଚଳ ଓ ଲକ୍ଷ୍ମୀପୋଷି ଫଚାୟତର ସୀମାନ୍ତ ମଧ୍ୟବର୍ତ୍ତୀ ସ୍ଥାନ ଇନ୍ଦପାହି ଛକଠାରେ ୬ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା। ଏହି ଦୁଇ ଥର ହୋଇଥିବା ରାସ୍ତାରୋକ ନେଇ ମଧ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ଗତ ୨୩ ତାରିଖରେ ୬୪୬/୨୦ ନମ୍ବରୁ ଏବଂ ଗତ ୨୭ ତାରିଖରେ ୬୬୮/୨୦ ନମ୍ବରର ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ପ୍ରକାଶ।
ମୟୁରଭଞ୍ଜ ଜିଲ୍ଲାପାଳଙ୍କ ବିଚିତ୍ର ନ୍ୟାୟ, ହକ ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଥିବା ନିରୀହ ଅଧିବାସୀଙ୍କ ନାମରେ ମାମଲା
|
September 30, 2020 |