ଭୁବନେଶ୍ୱର:୨୧/୦୭ (ସନ୍ଧାନ ନ୍ୟୁଜ୍)-: କବାଡ଼ିଖାନାରେ ମୋ ସାଇକେଲ୍ ବିକ୍ରି ହେବା ଘଟଣାକୁ ନେଇ ସହର ହୁଲସ୍ତୁଲ ହୋଇଛି । ବିଜେପି ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି । ତେବେ ଏତେ ସବୁ ପରେ ବି ଏହି ମାମଲାର ତଦନ୍ତ ଆଗେଇ ପାରୁନି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସ୍ସିଏଲ୍) ସହିଦନଗର ଥାନାରେ ଏତଲା ଦେଇ ନିଜ ହାତ ଟେକି ଦେଇଛି । ସେପଟେ ଦୁଇ ଦିନ ତଳୁ ଏତଲା ଦିଆଯାଇଥିଲେ ବି ଥାନା ପକ୍ଷରୁ ଏ ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇନି ।
ବିଏସ୍ସିଏଲ୍ ପକ୍ଷରୁ ହେକ୍ସି ସାଇକେଲ ଚଲାଉଥିବା ମୂଳ କମ୍ପାନି ‘ହିରୋ ୟୁ ଅନ୍’ ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଥିଲା । ପୂର୍ବରୁ ହେକ୍ସିର ଅପରେସନ୍ ମ୍ୟାନେଜର ଥିବା ସୂର୍ଯ୍ୟକାନ୍ତଙ୍କ ନାଁ ମଧ୍ୟ ଏତଲାରେ ଯୋଡା ଯାଇଥିଲା । ଦୁଇ ଦିନ ତଳୁ ଏତଲା ଦିଆଯାଇଥିଲେ ବି ଏ ଯାଏ ତଦନ୍ତ ଆରମ୍ଭ ହୋଇନି । କବାଡିଖାନା ମାଲିକ, ସୂର୍ଯ୍ୟକାନ୍ତ, ହେକ୍ସିର ଅନ୍ୟ ଅଧିକାରୀ ବା ବିଏସ୍ସିଏଲ୍ ଅଧିକାରୀଙ୍କୁ କୌଣସି ପଚରାଉଚରା କରାଯାଇନି ।
ସହିଦନଗର ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କୁ ଏହି ଏ ସମ୍ପର୍କରେ ପଚାରିବାରୁ ଏବେ ଯାଏ ତଦନ୍ତ ଆରମ୍ଭ କରିନୁ । ଖୁବ୍ଶୀଘ୍ର ପଚରାଉଚରା କରାଯିବ ବୋଲି କହିଛନ୍ତି । ସେପଟେ ମୋ ସାଇକେଲ କବାଡିଖାନାରେ ମିଳିବା ପରେ ବିଏସ୍ସିଏଲ୍ ପକ୍ଷରୁ ଗତ ୧୩ ତାରିଖରେ ଏହାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ପୂର୍ବରୁ ମଧ୍ୟ ଚୁକ୍ତି ଖିଲାପି ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଏହା ବିରୋଧରେ ଲକ୍ଷେ ଟଙ୍କାର ଜରିମାନା କରାଯାଇଥିଲା । ବାରମ୍ବାର ଚୁକ୍ତି ଉଲଙ୍ଘନ କରୁଥିଲେ ବି ଏହାକୁ କଳା ତାଲିକାଭୁକ୍ତ କରାଯାଉନି କାହିଁକି? ଏହାକୁ ନେଇ ବିଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଆଡକୁ ଅଙ୍ଗୁଳି ଉଠିଛି । ପୁଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି ।
କୋଟି କୋଟି ଟଙ୍କା ଖର୍ଚ୍ଚରେ ପବ୍ଲିକ୍ ବାଇ ସାଇକେଲ ସେୟାରିଂ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଥିଲେ ବି ଏହାକୁ ନିୟମିତ ଅଡିଟ୍ କରାଯାଉନଥିଲା । ପ୍ରତି ସାଇକେଲକୁ ୨୫ହଜାର ଟଙ୍କା ଦେଇ କିଣା ଯାଇଥିଲା । ପୁଣି ମରାମତି ବାବଦରେ ସାଇକେଲ ପିଛା ବର୍ଷକୁ ୫ ହଜାର ଟଙ୍କା ଦିଆଯାଉଥିଲା । କେବଳ ମରାମତି ପାଇଁ ୨୦୦୦ ସାଇକେଲ ପାଇଁ ବର୍ଷକୁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ବର୍ଷତମାମ ହେକ୍ସିର ଅଧିକାଂଶ ସାଇକେଲ ଓ ଅନ୍ୟ କମ୍ପାନିର ଆଉ କିଛି ସାଇକେଲ ଖରାପ ହୋଇ ପଡୁଥିଲା ।
ବିଏସ୍ସିଏଲ୍ ହାତକୁ ମୋ ସାଇକେଲର ଦାୟିତ୍ୱ ଆସିବା ପରେ ଏହାକୁ ନିୟମିତ ତଦାରଖ କରାଯାଉନଥିଲା । ଏହାର ସୁଯୋଗରେ ସାଇକେଲ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦାୟିତ୍ୱରେ ଥିବା ଅଧିକାରୀ ଜାଣିଶୁଣି ଏହାକୁ ଯାଞ୍ଚ କରୁନଥିଲେ ବି ବିଜେପି ଆଜି ଅଭିଯୋଗ କରିଛି । ମୋ ସାଇକେଲ ତଦାରଖ ଦାୟିତ୍ୱରେ ଥିବା ବିଏସସିଏଲ୍ ଜେନେରାଲ ମ୍ୟାନେଜର(ଜିଏମ୍) କମଳଜିତ୍ ଦାସଙ୍କ ବିରୋଧରେ ମଧ୍ୟ ବିଜେପି ସିଧା ଅଭିଯୋଗ ଆଣିଛି । ତାଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା ଦାବି କରିଛନ୍ତି । ମୋ ସାଇକେଲକୁ ୨୫ହଜାରରେ କିଣି ୫୦୦ ଟଙ୍କାରେ କବାଡ଼ିଆଙ୍କୁ ବିକ୍ରି କରିଛନ୍ତି । ଏହି ଦୁର୍ନୀତିରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେପି ଲିଗାଲ ସେଲ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ ଚେତାଇ ଦେଇଛନ୍ତି ।
ଦୀର୍ଘ ଦିନ ଧରି ମୋ ସାଇକେଲ ଦାୟିତ୍ୱରେ ଥିଲେ ବି ବିଏସସିଏଲ୍ ଜିଏମ୍ ଶ୍ରୀ ଦାସ କୌଣସି ସୂଚନା ଦେବାକୁ ଥତମତ ହେଉଛନ୍ତି । ଯୋଗାଯୋଗ କରିବାକୁ।