ମୟୁରଭଞ୍ଜ, ୧୨/୫ (ସନ୍ଧାନ ନିୟୁଜ) ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଆଜକୁ କିଛି ଦିନ ହେବ ଲୁଟେରାଙ୍କ ଆତଙ୍କ ଲାଗିରହିଥିଲା, ଫଳରେ ଜନସାଧାରଣରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ଲୁଟେରାମାନେ କେତେବେଳେ ରାସ୍ତାରେ ଯାତାୟତ କରୁଥିବା ବାଟୋଇଙ୍କ ଠାରୁ ତ କେତେବେଳେ ବିଭିନ୍ନ ଆଳରେ ଅନେକ ଲୋକଙ୍କ ଘର ମଧ୍ୟରୁ ମହିଳାଙ୍କ ଠାରୁ ସୁନାଗହଣା ଲୁଟି ବାଇକ୍ ଯୋଗେ ଚମ୍ପଟ ମାରୁଥିଲେ। ଏମାନଙ୍କୁ ଧରିବା ପାଇଁ ଗ୍ରାମର ଲୋକମାନଙ୍କ ଠାରୁ ଆରମ୍ଭ କରି ପୋଲିସ ସମସ୍ତେ ବିଫଳ ହେଉଥିଲେ। ଆଜି ବସକୁ ଅପେକ୍ଷା କରି ଛକରେ ଥିବା ଜଣେ ଯୁବକର ମୋବାଇଲ ଓ ଟଙ୍କା ଥିବା ବ୍ୟାଗକୁ ଧମକଚମକ୍ ଦେଖାଇ ଛଡାଇ ନେଇ ବାଇକରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଖସି ପଳାଇଥିବାରେ ବିଫଳ ହୋଇ ମୋରଡ଼ା ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଖବର ଅନୁଯାୟୀ ଭୁବନେଶ୍ୱର ଯିବାକୁ ବାହାରି ଥିବା ରାସଗୋବିନ୍ଦପୁର ଥାନା ରଖଣିସାହିର ଶ୍ୟାମସୁନ୍ଦର ହାଁସଦା(୨୨) ମୋରଡ଼ା ଥାନା ଭରଡ଼ାନଣ୍ଡାର ମାମୁଁ ବୁଢ଼ାନ ହାଁସଦାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ସେଠାରେ କିଛି ସମୟ ରହି ଖାଇବା ପିଇବା ସାରି ପ୍ରାୟ ୧୧ ଘଟିକା ସମୟରେ ଗ୍ରାମ ନିକଟସ୍ଥ ବସ ଷ୍ଟାଣ୍ଡକୁ ଯାଇଥିଲେ। ବସ ଆସିବାର ବିଳମ୍ବ ଥିବାରୁ ବ୍ୟାଗକୁ ପାଖରେ ରଖି ଗୋଟିଏ ଗଛମୂଳରେ ବସି ବିଶ୍ରାମ ନେଉଥିଲେ। ସେହି ସମୟରେ ହଠାତ୍ ଏକ (ଓଡି ୦୧ ଏ ୧୮୪୫) ନମ୍ବର ବିଶିଷ୍ଟ ବଜାଜ୍ ଡ଼ିସ୍କୋଭର ମଟର ସାଇକେଲ ଯୋଗେ ୨ଜଣ ଲୁଟେରା ଆସି ଧମକଚମକ ଦେଇ ମୋବାଇଲ ଓ ପାଞ୍ଚ ହଜାର ଟଙ୍କା ଥିବା ବ୍ୟାଗକୁ ଛଡାଇ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଶ୍ୟାମସୁନ୍ଦର ବଡ ପାଟି କରି ଲୋକମାନଙ୍କୁ ଡାକ ପକାଇଥିଲେ, ଡାକ ଶୁଣି ସ୍ଥାନୀୟ ଲୋକମାନେ ଦୌଡି ଆସିଥିଲେ ଓ ଲୁଟେରାଙ୍କ ପିଛା କରିଥିଲେ।ଅନ୍ୟପଟେ କୌଣସି ସୂତ୍ରରୁ ଖବର ପାଇ ମୋରଡ଼ା ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା। ଥାନା ଏଏସ୍ଆଇ ଶ୍ରୀ ଝୁଣ୍ଟିଆ ଓ ବିଭାଗୀୟ ଅନ୍ୟକର୍ମୀଙ୍କ ସହ ଝିଙ୍କିରିଆ ହାଟପଡିଆ ରାସ୍ତାରେ ଛପି ରହିଥିଲେ। ଲୁଟେରାମାନେ ସେହି ରାସ୍ତା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ, ଖସି ପଳାଇବାରେ ବିଫଳ ହୋଇ ପୋଲିସ ହାତରେ ଧରା ପଡିଥିଲେ। ୨ ଲୁଟେରାଙ୍କ ସହ ଲୁଟ ହୋଇଥିବା ବ୍ୟାଗକୁ ପୋଲିସ ଜବତ କରିଛି, ହେଲେ ମୋବାଇଲ କିମ୍ବା ଟଙ୍କା ମିଳିନଥିଲା। ଉକ୍ତ ଲୁଟେରାମାନେ ବସ୍ତା ଥାନା ଅଞ୍ଚଳର ସେକ.ସମିରୁଦ୍ଦିନ ଓ ସେକ.ଖଇବର ବୋଲି ଜଣାପଡ଼ିଛି। ପୋଲିସ ସଂପୃକ୍ତ ଘଟଣାର ଅନ୍ୟ ଲୁଟେରାଙ୍କ ହାତ ଥିବାନେଇ ଅଧିକରୁ ଅଧିକ ତଦନ୍ତଜାରୀ ରଖିଥିବାର ଜଣାପଡ଼ିଛି।
ମୋରଡା ପୋଲିସକୁ ବଡ ସଫଳତା, ୨ ଲୁଟେରା ସହ ବାଇକ୍ ଜବତ
|
May 12, 2019 |