ମେଡ଼ିକାଲ କଲେଜ ପ୍ରସଙ୍ଗ ରେ ଭଦ୍ରକ ନେତା ଫେଲ୍

Spread the love

ଭଦ୍ରକ, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)):- ମାଟିର ସ୍ଵର ପାଇଁ ପାଟି ବଡ଼ ନୁହେଁ । ମାତ୍ର ପାଟି ପାଇଁ ମାଟିର ଲଢେଇରେ ଭଦ୍ରକ ଜିଲ୍ଲାର ରାଜନେତାମାନେ ଫେଲ୍ ମାରିଛନ୍ତି । ଗଲା ୨୦ ବର୍ଷରୁ ଅଧିକ ସମୟ ଧରି ଭଦ୍ରକ ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ଆନ୍ଦୋଳନ, ଧାରଣା, ବିକ୍ଷୋଭ କରି ଆସୁଛନ୍ତି । ନିର୍ବାଚନ ସମୟରେ ଏହି ପ୍ରସଙ୍ଗକୁ ଆଧାର କରି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭରପୂର ଫାଇଦା ମଧ୍ୟ ଉଠାଇଛନ୍ତି । ହେଲେ ନିର୍ବାଚନ ସରିଯିବା ପରେ ସମସ୍ତେ ଚୁପ୍ କାହା ମୁହଁରୁ କଥା ବାହାରୁନି। ପଡ଼ୋଶୀ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ସରକାରୀ ମୋହର ବାଜି ସାରିଥିବାବେଳେ ଭଦ୍ରକରେ କାହିଁକି ଏହା ହୋଇ ପାରୁନାହିଁ ? ନିଜ ମାଟି ପାଇଁ ଏମାନଙ୍କର ସ୍ବର ଏତେ କ୍ଷୀଣ କାହିଁକି ? ରାଜନେତାଙ୍କୁ ଏମିତି ସିଧା ପ୍ରଶ୍ନ କରିଛନ୍ତି ଜିଲ୍ଲାର ସହସ୍ରାଧିକ ଜନତା ଓ ବୁଦ୍ଧିଜୀବୀ ୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇବା ପରେ ଏହା ଭିତରେ ୨୭ ବର୍ଷ ବିତିଯାଇଛି। ମାତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ଢେର ପଛରେ ପଡ଼ିଛି। ଆଜିକୁ ତିନି ବର୍ଷ ତଳେ ଜିଲ୍ଲାରେ ୧୦ ସିଟ୍ ବିଶିଷ୍ଟ ଏକ ନସିଂ ସ୍କୁଲ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଥିଲା। ହେଲେ ତାହା ବି ଘୋଷଣାରେ ରହିଗଲା। ଭଦ୍ରକର ଗେଲପୁର ମୌଜାରେ ୧୦ ଏକର ଜମିରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏହାର ନିର୍ମାଣ ଦିଗରେ ରାଜନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ, କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ନିର୍ମିତ ହେବାକୁ ଥିବା ୭ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ପାଚେରି କାମ ଏବେ ଆରମ୍ଭ ହୋଇଛି। ତାହା ପୁଣି କଚ୍ଛପ ଗତିରେ। କେବେ ସରିବ, ସ୍ବାସ୍ଥ୍ୟବିଭାଗର ବଡ଼ପଣ୍ଡାଙ୍କୁ ହିଁ ଜଣା। ସେହିପରି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜର ନିର୍ମାଣ ଅନିଶ୍ଚିତତା ଭିତରେ ରହିଛି । ଯାହାକୁ ପଚାରିଲେ କେହି ଏହାର ଉତ୍ତର ଦେଉନାହାନ୍ତି । କେବଳ ରାଜନେତାମାନେ ସଭାସମିତିରେ ଭଦ୍ରକରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ବୋଲି ଭାଷଣବାଜି ମାରୁଛନ୍ତି। ଗେଲପୁର ମୌଜାରେ ୧୦ ଏକରରୁ ଉଦ୍ଧ ଜମି ଉପରେ ୫୦ ଶଯ୍ୟର ମେଡିକାଲ ନିର୍ମାଣ ପାଇଁ ଆରମ୍ଭରୁ ସରକାରଙ୍କୁ ପ୍ରସ୍ତାବ ଯାଇଥିଲା । ହେଲେ ଏହାକୁ ମୋଡିମାଡି ୩୦ ଶଯ୍ୟାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରାଯିବାକୁ ଘୋଷଣା ବେଳେ ଜିଲ୍ଲାର କୌଣସି ଜଣେ ବିଧାୟକ ବି ପାଟି ଖୋଲିଲେନି। ପରିତାପର ବିଷୟ ହେଉଛି, ୩ ଶହ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ପାଇଁ ୧୦୦କୋଟି ଟଙ୍କା ଅର୍ଥ ମଂଜୁର ହୋଇଥିଲେ ମଧ୍ୟ କାମ କାଣିଚାଏ ଆଗେଇନି। ୨୦୦୮ ମସିହାରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଆରମ୍ଭ ହୋଇ ୨୦୧୮ ମସିହାରେ ଉଗ୍ରରୂପ ନେଇଥିଲା। ମାସ ମାସ ଧରି ଆନ୍ଦୋଳନ, ଧାରଣା, ଧର୍ମଘଟଠାରୁ ଆରମ୍ଭ କରି ଦସ୍ତଖତ ଅଭିଯାନ ଚାଲିଥିଲା । ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା ମଧ୍ୟ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ କେନ୍ଦ୍ର ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଥିଲେ। କିନ୍ତୁ ଦୁର୍ବଳ ରାଜନୈତିକ ନେତୃତ୍ବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା ଭଦ୍ରକରେ ସମ୍ଭବ ହୋଇ ପାରିନାହିଁ, ଯଦିଓ ପଡୋଶୀ ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାରେ ମେଡିକାଲ କଲେଜ ଖୋଲିସାରିଛି। ଏବେ ଯାଜପୁରରେ ମେଡିକାଲ କଲେଜ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ତେଣୁ, ମେଡିକାଲ କଲେଜ ପ୍ରସଙ୍ଗରେ ଜିଲ୍ଲାର ନେତାମାନେ ଫେଲ୍ ହୋଇଥିବା ଜିଲ୍ଲାବାସୀ ମତ ଦେବାକୁ ପଛଉ ନାହାନ୍ତି।

Related Posts

About The Author

Add Comment