ମେଗା ପାନୀୟଜଳ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ: ସ୍ଥାନ ଚିହ୍ନଟ ନକରି ଫେରିଲା ପ୍ରଶାସନ

Spread the love

ଯାଜପୁର, ୨୫/୧୧ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାଲିକୁଦିଆ ମୌଜାରେ ହେବାକୁ ଥିବା ପ୍ରସ୍ତାବିତ ମେଗା ଜଳ ଯୋଗାଣ ପ୍ରକଳ୍ପକୁ ୪ର୍ଥ ଥର ପାଇଁ ସ୍ଥାନୀୟ ଲୋକମାନେ ଘୋର ବିରୋଧ କରିଛନ୍ତି । ସୂଚନା ମୁତାବକ ମଙ୍ଗଳବାର ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ସମ୍ପୃକ୍ତ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ବଳରାମପୁର – ୨ଆରଆଇ ସୁଶାନ୍ତ କୁମାର ସ୍ୱାଇଁ,  ଯାଜପୁର ସଡ଼ିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ଆଇଆଇସି,କଳିଙ୍ଗ ନଗର ଆଇଆଇସି, ଓ ଜେନାପୁର ଥାନା ଅଧିକାରୀ  ଆଶିଷ କୁମାର ସାହୁଙ୍କ ସମେତ ୨ ପ୍ଲାଟୁନ ଫୋର୍ସଙ୍କ ସହ ଉକ୍ତ ଜଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଜେସିବି ମେସିନ ନେଇ ଉକ୍ତ ସ୍ଥାନରେ  ପହଁଚି ଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ଘୋର ବିରୋଧ ଯୋଗୁଁ ଶେଷରେ ପ୍ରଶାସନ ଦୀର୍ଘ ୪ ଘଣ୍ଟାର ଯୁକ୍ତିତର୍କ ପରେ ଫେରିଆସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ନଦୀ ବଢ଼ି ସମୟରେ ଉକ୍ତ ଗୋଚର ଜମିରେ ସେମାନେ ଅସ୍ଥାୟୀ ଭାବେ କୁଡ଼ିଆ କରି ଆଶ୍ରୟ ନେବା ସହ ଅନ୍ୟ ଦିନ ମାନଙ୍କରେ ଗୃହ ପାଳିତ ପଶୁ ଚରା ବୁଲା କରିଥାନ୍ତି । ଆହୁରି ମଧ୍ୟ ଶବଦାହ କରିବା ପାଇଁ କୌଣସି ପ୍ରକାର ସରକାରଙ୍କ ପକ୍ଷରୁ ସୁବିଧା ସୁଯୋଗ ନଥିବାରୁ ଉକ୍ତ ସ୍ଥାନରେ ଶବଦାହ ମଧ୍ୟ କରିଥାନ୍ତି । ଉକ୍ତ ପ୍ରକଳ୍ପ ହେଲେ ସେମାନଙ୍କର ନାନା ଅସୁବିଧା ହେବା ଦର୍ଶାଇ ଶତାଧିକ ମହିଳା ଓ ପୁରୁଷ ଉକ୍ତ ପ୍ରକଳ୍ପକୁ ଘୋର ବିରୋଧ କରିଥିଲେ । ଖବର ମୁତାବକ ବାଲିକୁଦିଆ ମୌଜାର ଖାତା ନଂ ୯୧୬ ଓ ପ୍ଲଟ ନଂ ୧୮୪୨ ଉପରେ ୧୦ ଏକର ଗୋଚର ଜମି ମଧ୍ୟରୁ ୫ ଏକର ଜାଗାରେ ସରକାରୀ ସ୍କୁଲ, କ୍ଲବ,ମଠ ଓ ପୋଖରୀ ହୋଇଛି । ବାକି ଥିବା ୫ ଏକର ଜାଗାରେ ଯଦି ଉକ୍ତ ପ୍ରକଳ୍ପ ହୁଏ ତାହେଲେ ସେମାନେ ଘୋର ଅସୁବିଧାରେ ସମ୍ମୁଖିନ ହେବେ ବୋଲି ଦର୍ଶାଇଥିଲେ ।  ୨୧୪ କୋଟି ବ୍ୟୟ ବରାଦ ରେ ବୃହତ ଜଳ ଯୋଗାଣ ପ୍ରକଳ୍ପ କୁ ଉକ୍ତ ଜାଗାରେ ନକରିବାକୁ ସ୍ଥାନୀୟ ଲୋକମାନେ ଏକ ପ୍ରକାର ଅଡିବସିଥିଲେ । ଯାହାଦ୍ୱାରା ପ୍ରଶାସନ ମେସିନ ନେଇ ଶେଷରେ ଉକ୍ତ ସ୍ଥାନରୁ ଫେରି ଆସିଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ଯରୁ କିଛି ଲୋକଙ୍କୁ ନେଇ ଆଲୋଚନା କରିବା ପାଇଁ ଉପ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ଏଠାରେ ପ୍ରକଳ୍ପକୁ ନକରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ରେ ଅଟଳ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଗତ  ୧୫ ଜୁଲାଇରେ  ପ୍ରଥମେ ପ୍ରଶାସନକୁ ବିରୋଧ କରାଯାଇଥିଲା । ପରେ ଜେନାପୁର ଥାନାରେ ୨ଥର ସ୍ଥାନୀୟ ଲୋକଙ୍କୁ ଡକାଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ଆଲୋଚନା ବିଫଳ ହୋଇଥିଲା । ଅନ୍ୟ ପଟରେ ଉକ୍ତ ଜଳ ଯୋଗାଣ ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକଙ୍କ ସହ ସମଗ୍ର ଧର୍ମଶାଳା ବାସୀ ବିଶୋଧିତ ପାନୀୟ ଜଳ ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment