ହାଟଡ଼ିହି,୨୦/୫ (ସନ୍ଧାନ ନିୟୁଜ) ପୁରୁଣାକାନ୍ଥରେ ରଙ୍ଗମାରି ଜାତୀୟ ସ୍ୱାସ୍ଥ୍ୟମିଶନ ଅନୁଦାନ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ମୁଗୁପୁର ନୁତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବାୱେ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ନିର୍ମାଣ ପାଇଁ ଅଢ଼େଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦିଆଯାଇଥିଲା। ଏଥିରେ ଚାରିପାଖ କାନ୍ଥ କରାଯାଇ ଗ୍ରିଲ ଲଗାଯିବା ସହିତ ବର୍ଯ୍ୟବସ୍ତୁ ପକାଯିବା ପାଇଁ କୁଣ୍ଡ ମାନ ନିର୍ମାଣ ହେବା କଥା। ଏପରିକି ଏହା ଡାକ୍ତରଖାନାର ପଛପଟେ ହେବାର ନିୟମ ରହିଥିବାବେଳେ ଏଠାରେ କାମ କରୁଥିବା ଠିକାଦାର ଅତି ଚତୁରତାର ସହ ଡାକ୍ତରଖାନାର ଆଗପଟେ ନିର୍ମାଣ କରିଛି। ଆଗପଟେ ପୁରୁଣା ପାଚେରୀ ଥିବାରୁ ତାହାକୁ ଲଗାଇ ଏହି ପ୍ରକଳ୍ପ କାମ କରିଛି। ଯେଉଁଥିରେକି ମାତ୍ର ଦୁଇପଟେ ଦୁଇ ଫୁଟ ଉଚ୍ଚତାର କାନ୍ଥି ନିର୍ମାଣକରି ସେଥିରେ ଗ୍ରିଲ ଲଗାଇ ଦେଇଛି। ଏପରିକି ଭିତରେ ବସାଇଥିବା କୁଣ୍ଡ ଗୁଡିକରୁ ଅନେକ ପୁରୁଣା କୁଣ୍ଡ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପୁରୁଣାକାନ୍ଥରେ ରଙ୍ଗବୋଳି ଦେଇ ସମ୍ପୂର୍ଣ୍ଣ ବିଲ ଉଠାଇ ନେଇଛି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ଏଷ୍ଟିମେଟ ଅନୁଯାଇ କାମ କରାଯାଇଥବବା କହି ବାହାଷ୍ପୋଟ ମାରୁଛନ୍ତି। ସେହିପରି କନିଷ୍ଠଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ସେଠୀଙ୍କୁ ପଚାରିବାରେ ସେ ପୁରୁଣାକାନ୍ଥରେ ରଙ୍ଗ ମରାଯାଇଥବବା ଅଭିଯୋଗକୁ ସ୍ୱୀକାର କରିବା ସହିତ କିଛି ଯଙ୍କା ବଳିପଡିବାରୁ ରାସ୍ତାଟି କଂକ୍ରିଟ କରାଯାଇଛି ବୋଲି କହିଛନ୍ତି। ମାତ୍ର ୬୦/୭୦ହଜାର ଟଙ୍କାର କାମ କରାଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ଟଙ୍କାକୁ ଅନୁଦାନକୁ ହରିଲୁଟ କରାଯାଇଥିବା ପଞ୍ଚୁଗୋଛିଆ ଓ ମୁଗୁପୁର ଗ୍ରାମବାସୀମାନେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି।