ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସରକାରୀ ଜମି ଜବରଦଖଲ ଅଭିଯୋଗ

Spread the love

କଳିଙ୍ଗନଗର, ୧୫/୩: (ସନ୍ଧାନ ନ୍ୟୁଜ )କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରୀ ଜମି ଜବରଦଖଲ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସାଧାରଣ ଜମିର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ କିଛି ଶିଳ୍ପ ସଂସ୍ଥା ସରକାରୀ ଅନାବାଦୀ ଓ ଶାଳଜଙ୍ଗଲ କିସମ ଜମିକୁ ଜବରଦଖଲ କରି ବହୁ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ପଙ୍କପାଳ ଅଞ୍ଚଳରେ ଅବସ୍ଥିତ ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଅଧୀନରେ ବହୁ ସରକାରୀ ଅନାବାଦୀ ଓ ଶାଳଜଙ୍ଗଲ ଜମି ରହିଥିବା ଅଭିଯୋଗ ଉଠିଛି। ସୂଚନା ଅଧିକାର ଆଇନ (ଆରଟିଆଇ) ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ, ସୁକିନ୍ଦା ତହସିଲ ଅନ୍ତର୍ଗତ ନିମପଲ୍ଲୀ ମୌଜାରେ କମ୍ପାନୀ ନାମରେ ୧୪ ଏକର ୭ ଡିସିମିଲ ଜମି ରହିଛି। ଏହା ହାଲ ଖାତା ନମ୍ବର ୮୪୭/୮ ଓ ପ୍ଲଟ୍ ନମ୍ବର ୧୪୮୦ ରୁ ୧୪୯୫ ପର୍ଯ୍ୟନ୍ତ ଥିବା ୧୬ଟି ପ୍ଲଟ୍ ଅନ୍ତର୍ଗତ ଓ ସରକାରୀ ରେକର୍ଡରେ ଏହାକୁ “ଘରବାରି” କିସମ ଭାବେ ଦର୍ଶାଯାଇଛି।

କିନ୍ତୁ ଆରଟିଆଇ ତଥ୍ୟ ଅନୁସାରେ ଏହି ଜମିର ସାବକ ଖାତା ନମ୍ବର ୨୪୦ ଓ ସାବକ ପ୍ଲଟ୍ ନମ୍ବର ୪୦୧, ଯାହାର କିସମ ଅନାବାଦୀ ଶାଳଜଙ୍ଗଲ ବୋଲି ଉଲ୍ଲେଖ ରହିଛି। ନିୟମ ଅନୁଯାୟୀ ଏପରି ଜମିର କିସମ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଜଣାଯାଏ। ତଥାପି କିଛି ଅସାଧୁ ବନ୍ଦବସ୍ତ କର୍ମଚାରୀ ଓ ରାଜସ୍ୱ ବିଭାଗର କିଛି ଅଧିକାରୀଙ୍କ ମିଳିତ ଚକ୍ରାନ୍ତରେ ଏହି ଜମିକୁ ସ୍ଥିତିବାନ କରାଯାଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହେଉଛି।

ଏହି ସମ୍ପର୍କରେ କମ୍ପାନୀର ସିଇଓଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି ଯେ ସେ ପ୍ଲାଣ୍ଟ ଅପରେସନ ଦାୟିତ୍ୱରେ ଥିବାରୁ ଏହି ବିଷୟରେ କିଛି କହିପାରିବେ ନାହିଁ। ପ୍ଲାଣ୍ଟର ଜିଏମ୍ ଛୁଟିରେ ଥିବାରୁ ସେ ଫେରିଲେ ଏହା ସମ୍ପର୍କରେ ସ୍ପଷ୍ଟତା ଦିଆଯିବ ବୋଲି ସେ କହିଛନ୍ତି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ସରକାରୀ ଜମି କିମ୍ବା ଜମିର କିସମ ପରିବର୍ତ୍ତନ ପୂର୍ବରୁ ଜନଶୁଣାଣୀ ହେବା ଆବଶ୍ୟକ। କିନ୍ତୁ ଏହି ଘଟଣାରେ କୌଣସି ଜନଶୁଣାଣୀ ହୋଇନଥିବା ସେମାନେ ଦାବି କରିଛନ୍ତି।

ସରକାର ପରିବର୍ତ୍ତନ ପରେ ସରକାରୀ ଜମି ଜବରଦଖଲ ମାମଲାରେ କଢ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଥିବା ବେଳେ ମିଶ୍ରିଲାଲ କମ୍ପାନୀ ଅଧୀନରେ ଥିବା ସରକାରୀ ଜମିକୁ କେବେ ସରକାରୀ ଖାତାକୁ ଫେରାଇ ଆଣାଯିବ ସେଥିପାଇଁ ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଘଟଣାର ଶୀଘ୍ର ତଦନ୍ତ କରି ସରକାରୀ ଜମିକୁ ପୁନରୁଦ୍ଧାର ନକରାଯାଇଲେ ଆଗାମୀଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି

Related Posts

About The Author

Add Comment