ଚଣ୍ଡିଖୋଲ, ୧୨/୦୩/୨୦୨୨ (ସନ୍ଧାନ ନିଉଜ) – ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଦର୍ପଣ ଗ୍ରାମପଂଚାୟତର ନବ ନିର୍ବାଚିତ ସମିତି ସଭ୍ୟା ମିନତୀ ସେନାପତି ଆଜି ବଡ଼ଚଣା ପଂଚାୟତ ସମିତିର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୯ଟି ଭୋଟ୍ ପାଇଥିବା ସମୟରେ ବରପଦା ଗ୍ରାମ ପଂଚାୟତର ସମିତି ସଭ୍ୟା ସ୍ମରଣୀକା ବଳ ୧୧ ଖଣ୍ଡ ଭୋଟ୍ ପାଇଥିଲେ । ଆଜି ବଡ଼ଚଣା ବ୍ଲକ୍ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ, ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା ନିର୍ବାଚନ ପରିଚାଳନା କରିଥିଲେ । ଅଧ୍ୟକ୍ଷା ପଦ ପାଇଁ ଆଜି ସକାଳେ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜୟୀ ମିନତୀ ସେନାପତିଙ୍କ ପ୍ରସ୍ତାବକ ଭାବେ ଭୁଷଣ୍ଡପୁର ଗ୍ରାମପଂଚାୟତ ସମିତି ସଭ୍ୟ ଜଗନ୍ନାଥ ମୁଦୁଲି, ସମର୍ଥକ ଭାବେ ଦିପକ୍ ସାହୁ ଥିଲେ । ସେହିପରି ସ୍ମରଣୀକା ବଳଙ୍କ ପାଇଁ ଧର୍ମଜିତ୍ ବଳ ପ୍ରସ୍ତାବକ ଓ ସତ୍ୟବ୍ରତ ବରାଳ ସମର୍ଥକ ଥିଲେ । ପୂର୍ବରୁ ସରକାରୀ ଦଳର ସମର୍ଥକମାନେ ଦୀର୍ଘଦିନ ହେଲା ଅଜ୍ଞାତ ବାସରେ ଥିଲେ । ଆଜି ନିର୍ବାଚନ ଆରମ୍ଭ ହେଲା ପରେ ସେମାନେ ଆସି ବଡ଼ଚଣା ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ମତଦାନ କରିଥିଲେ । ବିରୋଧି ସମର୍ଥକମାନଙ୍କର ରାଜନୈତିକ ଅପରିପକ୍ୱତା ଯୋଗୁଁ ସେମାନେ ପରାଜୟ ବରଣ କଲେ ବୋଲି ସାଧାରଣରେ ପ୍ରକାଶ ପାଇଛି । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ରାଜନୈତିକ ଗୋଟି ଚାଳନାରେ ବିରୋଧି ଦଳ ଧରାଶାୟୀ ହୋଇଛନ୍ତି । ବିଜେପି ଦଳର ନେତୃତ୍ୱ ନେଇଥିବା ଅମର ନାୟକ ନିଜର ବିଜୟୀ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ଏକତ୍ରିତ କରିବାରେ ବିଫଳ ଓ ବିରୋଧିମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କର ପରାଜୟ ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜୟୀ ଘୋଷଣା ପରେ ନବ ନିର୍ବାଚିତ ପଂଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି ଓ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଏକ ଶୋଭାଯାତ୍ରାରେ ଚଣ୍ଡିଖୋଲସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବଡ଼ଚଣା ବ୍ଲକ୍ ବିଜେଡ଼ି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟୀ ଅଧ୍ୟକ୍ଷା ଶ୍ରୀମତୀ ସେନାପତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଓ ଦଳର କର୍ମକର୍ତା ଓ ସହଯୋଗୀ ସମିତି ସଭ୍ୟ ସଭ୍ୟାମାନଙ୍କୁ କୃତଜ୍ଞତା ଜଣାଇବା ସହିତ ବଡ଼ଚଣା ପଂଚାୟତ ସମିତିକୁ ବିକାଶ ପଥରେ ଆଗେଇ ନେବାକୁ ସମସ୍ତେ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଥିଲେ । ସମ୍ବର୍ଦ୍ଧନା ସଭାରେ ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ଶାରଦା ପ୍ରସନ୍ନ ମହାନ୍ତି, ୧୬ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟ ଜିତେନ୍ଦ୍ର ନାୟକ, ୧୭ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟ ଗଣେଶ୍ୱର ବରାଳ, ୧୮ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି ସମେତ ଜିଲା ଉପ-ସଭାପତି ଅମର ମହାନ୍ତି, ରାଧାଦେଇପୁର ସରପଂଚ ଆଶିଷ୍ ରଂଜନ ଚୋ÷ଧୁରୀ, ମିହିର ସ୍ୱାଇଁ, ରଶ୍ମି ରଂଜନ ବଳ, ସଂଜୟ ସ୍ୱାଇଁ, ଗୋଲାମ୍ କିବିରିଆ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ମିନତୀ ସେନାପତି ହେଲେ ବଡ଼ଚଣା ପଂଚାୟତ ସମିତି ଅଧ୍ୟକ୍ଷା
|
March 12, 2022 |