ତିର୍ତ୍ତୋଲ, ୧୨/୫ (ସନ୍ଧାନ ନିୟୁଜ)– ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରଠାରେ ଥିବା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚନ୍ଦନ ଯାତ୍ରା ଆଜି ମଧ୍ୟାହ୍ନରେ ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଅଛି। ଆଜି ଦିନ ୧ଟାରେ ମାଙ୍କର ପୂଜାର୍ଚନା ପରେ ଚନ୍ଦନ ଲାଗି କରାଯିବା ପରେ ମାଙ୍କର ଚଳନ୍ତି ପ୍ରତିମାକୁ ମନ୍ଦିରରୁ ଅଣାଯାଇ ବଡ଼ପଣ୍ଡା ପ୍ରଜ୍ଞାଦୀପ୍ତ ପଣ୍ଡା, ସେବାୟତ ଓ ପଣ୍ଡାପଢ଼ିଆରି ମାନେ ଘଣ୍ଟ, କାହାଳୀ, ଭେରୀତୁରୀ, ଆଲଟଚାମାର, ଓ ଶଙ୍ଖହୁଳହୁଳୀ ଧ୍ୱନୀରେ ମନ୍ଦିର ଚତୁପାଶ୍ୱର୍ରେ ଏକ ଘେରା ପରିକ୍ରମା କରିବା ପରେ ମନ୍ଦିରର ମୁଖ୍ୟ ଫାଟକ ନିକଟରେ ଥିବା ଏକ ସୁସଜିତ ବିମାନରେ ମାଙ୍କ ଚଳନ୍ତି ପ୍ରତିମାକୁ ବର୍ଣ୍ଣାଢ଼୍ୟ ପଟ୍ଟୁଆରରେ ଚନ୍ଦନ ପୁଷ୍କରୀଣି ନିକଟରେଥିବା ପାଟ ବେଦୀ ନିକଟରେ ବିମାନ ରଖାଯାଇ ସେଠାରୁ ଚଳନ୍ତି ପ୍ରତିମାକୁ ଚନ୍ଦନ ପୁଷ୍କରୀଣି ଭିତରେ ଥିବା ନୌକାରେ ବିରାଜମାନ କରିଥାଆନ୍ତି। ନୌକାରେ ଦୁଇଜଣ କୌବର୍ତ୍ତ ପ୍ରତିନିଧିଙ୍କ ଦ୍ୱାରା ଚନ୍ଦନ ପୁଷ୍କରୀଣିରେ ଚାପଖେଳ ଆରମ୍ଭ କରାଯାଇଥାଏ। ପ୍ରଥମ ଦିନ ଏହି ଚାପଖେଳ ଏକଘେରା, ଦ୍ୱୀତିୟ ଦିନ ଦୁଘେରା, ତୃତୀୟଦିନ ତିନି ଘେରା, ଚତୁର୍ଥ ଦିନ ଚାରିଘେରା ଏହି ପରି କ୍ରମାନ୍ୱୟରେ ୨୧ ଦିନ ପର୍ଯ୍ୟନ୍ତ ୨୧ ଘେରା ଚାପ ଖେଳ କରାଯାଇଥାଏ। ଶେଷ ଦିନ ଲଟାଭଉଁରିରେ ମା ଚାପ ଖେଳିତାଆନ୍ତି। ପ୍ରତ୍ୟେକ ଦିନ ଦିନରେ ଚାପ ଖେଳ ସରିଲା ମାଙ୍କ ଚନ୍ଦନ ପୁଷ୍କରୀଣିର ମଧ୍ୟଭାଗରେ ଥିବା ଚନ୍ଦନ କୁଣ୍ଡିରେ ମା ବିଶ୍ରାମ ନେଇଥାଆନ୍ତି। ପରେ ରାତିରେ ପୂନର୍ବାର ଚାପ ଖେଳି ମାଙ୍କର ଚଳନ୍ତି ପ୍ରତିମା ପଟ୍ଟୁଆର ସହିତ ମନ୍ଦିରକୁ ଲେଉଟି ଆସନ୍ତି। ଫନିର ପ୍ରଭାବ ମା’ଙ୍କର ଏହି ଚନ୍ଦନ ଯାତ୍ରାରେ ପ୍ରଭାବ ପକାଇ ପାରି ନଥିବା ବେଳେ ପ୍ରତ୍ୟେହ ଏହି ଯାତ୍ରା ଦେଖିବା ପାଇଁ ସହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳୁଛି।




