ଘଟଗାଁ, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ୧୮ରୁ ଖୋଲିବ କେନ୍ଦୁଝର ଜିଲ୍ଲାର ଅଧ୍ୟଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ମନ୍ଦିର । ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଏ ନିଷ୍ପତି ନିଆଯାଇଛି । କିନ୍ତୁ ମକର ସଂକ୍ରାନ୍ତ ପୂର୍ବରୁ ମନ୍ଦିର ଖୋଲିବା ଦାବିରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝା ମୌନବ୍ରତରେ ବସିଛନ୍ତି । ମା‘ତାରିଣୀଙ୍କ ମନ୍ଦିର ଡେରିରେ ଖୋଲିବା ନିଷ୍ପତ୍ତିକୁ ବିରୋଧ ଜଣାଇ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝାଙ୍କ ନେତୃତ୍ବରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଦେବେନ୍ଦ୍ର ଜେନା, ରାମଚନ୍ଦ୍ର ସାହୁ, ଅମର ସିଂ, ଗୋଲକ ବଳ, ମକରଧ୍ବଜ ବେହେରା, ଜଗବନ୍ଧୁ ସା, ମମତା ସିଂ, ରଂଜିତ ପାତ୍ର, ଭଗବାନ ସାହୁ, ଶରତ ବେଜ, ଅନନ୍ତ ସାହୁ ପ୍ରମୁଖ ମୌନବ୍ରତ ପାଳନ କରି ଅନଶନରେ ବସିଛନ୍ତି । କରୋନା ପାଇଁ ରାଜ୍ୟର ସମସ୍ତ ଦେବାଦେବୀ ମନ୍ଦିର ୯ ମାସ ହେଲାଣି ବନ୍ଦ ରହିଥିଲା । ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମା ତାରିଣୀ ମନ୍ଦିର ଖୋଲିବା ଦିନକୁ ଭକ୍ତ ବ୍ୟାକୁଳରେ ଚାହିଁ ବସିଥିଲେ । ମାତ୍ର ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ଆଶିଷ ଠାକରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା ୭ ତାରିଖରେ ଖୋଲିବ ବୋଲି ଘୋଷଣା କରିଥିଲେ ଏବଂ ମା ତାରିଣୀ ମନ୍ଦିର ଜାନୁଆରୀ ୧୮ ତାରିଖରେ ଖୋଲାଯିବ କହିଥିଲେ । ଯାହାକୁ ବିରୋଧ କରି ଶ୍ରୀ ମାଝାଙ୍କ ନେତୃତ୍ବରେ ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଘଟଗାଁ ଡାକ ବଙ୍ଗଳାରୁ ବାହାରି ତାରିଣୀ ମନ୍ଦିର ସାମ୍ନାରେ ମୌନବ୍ରତ ପାଳନ କରି ଗୋଟିଏ ଦିନ ଅନଶନରେ ବସିଥିଲେ । ମକର ସଂକ୍ରାନ୍ତିରେ କେନ୍ଦୁଝରବାସୀ ବୈତରଣୀ ନଦୀରେ ବୁଡ଼ ଦେଇ ମା’ ତାରିଣୀଙ୍କ ଦର୍ଶନ କରି ସାନିଲାଭ କରିଥାନ୍ତି । ସେହିଦିନ ଜିଲ୍ଲାବାସୀଙ୍କ ପାଇଁ ମହତ୍ଵପୂର୍ଣ୍ଣ ଥିଲେ ହେଁ ପ୍ରଶାସନ ସେ ସବୁରୁ କାହିଁକି ବଞ୍ଚିତ କରୁଛି ବୋଲି ଶ୍ରୀ ମାଝା ପ୍ରଶ୍ନ କରିଛନ୍ତି । ଦୀର୍ଘମାସ ଧରି ମନ୍ଦିର ବନ୍ଦ ଥିଲାବେଳେ ମନ୍ଦିର ପ୍ରସାଶନ କରୁଥିଲା କ’ଣ ? ସେତେବେଳେ ମନ୍ଦିର କାର୍ଯ୍ୟ ନକରି ଏବେ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିବା ସହିତ ଶୀଘ୍ର ମନ୍ଦିର ଖୋଲିବା ଦାବି ନେଇ ଅନଶନରେ ବସିଛନ୍ତି ଶ୍ରୀଯୁକ୍ତ ମାଝି। ଏନେଇ ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ମନ୍ଦିର ଭିତରେ ଏବଂ ବାହାରେ କିଛି ଉନ୍ନତିମୂଳକ : କାମ ଚାଲିଛି । ଯେଉଁଥିପାଇଁ ମନ୍ଦିର ଡେରିରେ ଖୋଲାଯିବାର ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ଆମେ ଜଣାଇଥିଲୁ । ଆଗାମୀ ଦିନରେ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରି ମନ୍ଦିର ଖୋଲାଯିବା ବୋଲି ସେ ପ୍ରକାଶ କରିଛନ୍ତି ।
ମା’ ତାରିଣୀ ମନ୍ଦିର ଖୋଲିବା ଦାବି
|
January 6, 2021 |