ମାୟାନଗରୀରେ ବିତ୍ପାତ ରଚିଲା ମୌସୁମୀ; ସାଧାରଣ ଜୀବନଯାତ୍ରା ଠପ୍‌, ୨୭ ମୃତ

Spread the love

ମୁମ୍ବାଇ, ୨/୭(ସନ୍ଧାନ ନିଉଜ) : ମାୟାନଗରୀ ମୁମ୍ବାଇରେ ମୌସୁମୀ ବର୍ଷା ବିତ୍ପାତ ରଚିଛି। ମାତ୍ରାଧିକ ବର୍ଷା ଜଳରେ ସମଗ୍ର ମୁମ୍ବାଇ ଜଳାର୍ଣ୍ଣବ ହେବା ସହ ଅର୍ଦ୍ଧାଧିକ ମୁମ୍ବାଇ ସହର ଜଳବନ୍ଦୀ ହୋଇ ପଡ଼ିଛି। ପ୍ରବଳ ବର୍ଷା ଜନିତ ଅଘଟଣରେ ଏଯାବତ୍‌ ୨୭ ଜଣଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି।

ଜଳାର୍ଣ୍ଣବ ମୁମ୍ବାଇ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟାର ଭ୍ରମ। ମୁମ୍ବାଇ ମହାନଗରରୀର ରାଜରାସ୍ତା ଠାରୁ ଆରମ୍ଭ କରି ରେଳଧାରଣା ଉପରେ ଅଣ୍ଟାଏ ଠାରୁ ଆରମ୍ଭ କରି ବେକେ ଉଚ୍ଚତା ପର୍ଯ୍ୟନ୍ତରେ ବର୍ଷା ଜଳର ସୁଅ ଛିଟିଛି। ଆଜି ସକାଳ ଠାରୁ ମୁମ୍ବାଇର ସମସ୍ତ ଲୋକାଲ ଟ୍ରେନ୍‌ର ଚଳାଚଳ ବନ୍ଦ ରହିବା ପରେ ସନ୍ଧ୍ୟାରେ ଅଳ୍ପ କେତେକ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମୁମ୍ବାଇର ସମସ୍ତ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସଂସ୍ଥାକୁ ବାଦ ଦେଲେ ବାକି ଅନ୍ୟ ସମସ୍ତ ସଂସ୍ଥାକୁ ଛୁଟି ଘୋଷଣା କରିଛନ୍ତି। ସାଧାରଣ ଜୀବନ ଯାତ୍ରା ସଂପୂର୍ଣ୍ଣ ରୂପେ ଠପ୍‌ ହୋଇପଡ଼ିଛି।

ଅନେକ ସ୍ଥାନରେ ପାଚେରି ଓ ଘରର କାନ୍ଥ ପ୍ରବଳ ବର୍ଷାରେ ଧସି ଯିବା ଫଳରେ ତା’ତଳେ ଚାପି ହୋଇ ଅନେକ ଲୋକଙ୍କ ମୁତ୍ୟୁ ଘଟିଛି। ସେହିପରି ଗୋଟିଏ ଗୋଟିଏ ଗାଡ଼ି ମଧ୍ୟରେ ଜଳବନ୍ଦୀ ହୋଇ ରହି ଯାଇଥିବା ଦୁଇଜଣ ବ୍ୟକ୍ତି ଗାଡ଼ି ସହ ଭାସି ଯାଇ ପ୍ରାଣ ହରାଇଛନ୍ତି। ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌ର ଏକାଧିକ ଟିମ୍‌କୁ ମୁମ୍ବାଇରେ ମୁତୟନ କରାଯାଇଛି।

ମୁମ୍ବାଇ ମହାନଗରରୀର ବିଭିନ୍ନ ସ୍ଥାନରେ ଅଗ୍ନିଶମ ସେବାସଂସ୍ଥା ପକ୍ଷରୁ ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ ଲଗାଯାଇ ଆଜି ସନ୍ଧ୍ୟା ସୁଦ୍ଧା ୧୪ ହଜାର ମିଲିୟନ ଲିଟର ବର୍ଷା ଜଳକୁ ସମୁଦ୍ର ମଧ୍ୟକୁ ଛଡ଼ା ଯାଇଥିବା ଜାଣିବାକୁ ମିଳିଛି।

ଅନ୍ୟପକ୍ଷରେ ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ଘୋଷଣା କରିବା ପରେ ମହାରାଷ୍ଟ୍ର ସରକାରଙ୍କର ଚିନ୍ତା ବଢ଼ିଯାଇଛି।

Related Posts

About The Author

Add Comment