ମାଲକାନଗିରି, ୩/୭ (ସନ୍ଧାନ ନିୟୁଜ ) ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା। ମୁଦୁଲିପଡା ଓ କାଲିମେଳା ଥାନା ପୁଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରାଯାଇ କାର, ମାର୍ସଲ ଗାଡି ସହ ୨୫୮ କେଜି ଗଞ୍ଜେଇ ଜବତ କରି ଏଥିସହ ୪ଜଣ ଗଞ୍ଜେଇ ଚୋରା ବେପାରିଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ମୁଦୁଲିପଡା ଥାନା ଇନିସପେକ୍ଟର ଜୁଗଳସବରଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଖଇରପୁଟ ଗୌଡଗୁଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଚିତ୍ରକୋଣ୍ଡା ଆଡୁ ଏକ ମାରୁତି ସୁଜିକ କାର ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି ପୁଲିସ ସେହି କାର କୁ ଗୋଡାଇ ଅଟକାଇ ଥିଲେ, ପୁଲିସଙ୍କୁ ଦେଖି ସେଥିରେ ବସିଥିବା ୨ଜଣ କାର ରୁ ଓହ୍ଲାଇ ଜଙ୍ଗଲକୁ ଦୌଡି ପଳାଇବାକୁ ଚେଷ୍ଟାକରିଥିଲେ, ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ। କାର ଖାନତଲାସି କରିବାରୁ ଉକ୍ତ କାର ରେ ବଡ ବଡ ପ୍ଲାଷ୍ଟିକ ବସ୍ତା ରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇରହିଥିଲା। ପୁଲିସ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିବାରୁ ୧୬୫ କେଜି ଓଜନର ଉନ୍ନତମାନର ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ଗୁଡିକୁ ମାଲକାନଗିରି ଥାନା ଏମଭି ୮୬ ଗ୍ରାମର ରଜିଂତ ସିକଦାର, ଓରକେଲ ଥାନା ତୋଟାଗୁଡା ଗ୍ରାମର ସୁବାଷ ଖରା ଛତିଶଗଡ ରାଜ୍ୟକୁ ବିକ୍ରି କରିବାପାଇଁ ନେଉଥିଲେ। ଏହି ଗଞ୍ଜେଇର ମାଲିକ କିଏ ପୁଲିସଙ୍କୁ ସଠିକ ସେମାନେ ଜଣାଇ ନାହିଁନ୍ତି, ମୁଦୁଲିପଡା ଥାନା ପୁଲିସ ଏ ସଂପର୍କରେ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ସେହି ଦୁଇଜଣଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଜବତ କରାଯାଇଛି, ସୁବାଷ ଓ ରଜିଂତଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଠିକ ସେହିପରି କାଲିମେଳା ଥାନା ଆଇଆଇସି ଚନ୍ଦ୍ରଶେଖର ଶବରଙ୍କ ନେତୃତ୍ୱରେ ପୁଲିସ ସଦଳବଳ ମାଓପ୍ରବଣ ପୁଲିମେଟଲା ରାସ୍ତାରେ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଗଞ୍ଜେଇ ବୋଝେଇ ମାର୍ସାଲ ଗାଡିକୁ ଜବତ କରି ସେହି ଗାଡିରୁ ୯୩ କେଜି ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ହେଲେ ମାଲକାନଗିରି ଥାନାସ୍ଥ ଏମପିଭି ୧ ଗ୍ରାମର ମନୋଜ କୁମାର ମଜୁମଦାର(୨୨), ଏମଭି ୩୪ ଗ୍ରାମର ମନୋଜ ବିଶ୍ୱାସ(୩୮) ଏମାନେ ଗଞ୍ଜେଇ ଗୁଡିକୁ ଛତିଶଗଡ ରାଜ୍ୟ ରାଇପୁର ସହରରେ ବିକ୍ରି କରିବାକୁ ନେଉଥିଲେ। ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ଏକ ଲକ୍ଷଟଙ୍କା ପୁଲିସ ଜବତ କରିଛି। ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ଜଗମୋହନ ମୀନା ଜବତ ଗଞ୍ଜେଇ, ଗାଡି ସହ ଗିରଫ ୪ଜଣଙ୍କୁ ହାଜର କରାଇ ସେମାନଙ୍କ ଚୋରା ଗଞ୍ଜେଇ ଚାଲାଣ ସଂପର୍କରେ ସୂଚନା ଦେଇଛନ୍ତି। ଏହି ଦୁଇଟି ଗାଡିରୁ ୨୫୮କେଜି ଗଞ୍ଜେଇ ଜବତ ହୋଇ ୪ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି, ଦୁଇଟି ସ୍ଥାନରୁ ମିଳିଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ୫୮ ଲକ୍ଷଟଙ୍କା ହେବ, ଗତ ୨୦୧୮ ମସିହାରେ ଜିଲ୍ଲା ପୁଲିସ ଓ ବିଭିନ୍ନ ଥାନା ପକ୍ଷରୁ ୧୦୨ଟି କେସ ରୁଜୁ କରାଯାଇ ୧୭, ୧୧୮ କେଜି ଗଞ୍ଜେଇ ଓ ୮୩ଟି ଗାଡି ଜବତ ସହ ୧୭୯ ଜଣଙ୍କୁ ଗିରଫ କରାଯାଇଛି, ଏମାନଙ୍କ ମଧ୍ୟରେ ୮୯ଜଣ ବାହାର ରାଜ୍ୟର ଚୋରା ବେପାରୀ ରହିଛନ୍ତି। ୨୦୧୯ମସିହା ଚଳିତ ମାସ ସୁଦ୍ଧା ୫୭ଟି କେସ ରୁଜୁହୋଇ ୧୪୦୬୨ କେଜି ଗଞ୍ଜେଇ ସହ ୩୫ଟି ଗାଡି ଜବତ ହୋଇ ୧୨୦ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୪୧ଜଣ ବାହର ରାଜ୍ୟର ବେପାରି, ଜିଲ୍ଲାପୁଲିସ ପକ୍ଷରୁ ନିୟମିତ ଭାବେ ଚୋରା ଗଞ୍ଜେଇ ଚାଲାଣ କାରିଙ୍କ ଉପରେ ଚଢାଉ ଜାରି ରହିଛି ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଋଶିକେଶ ଖିଲାରୀ, କାଲିମେଳା, ମୁଦୁଲିପଡା ଥାନା ଆଇଆଇସିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରିଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନାସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁ ଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟ ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେଶ ଲାଭବାନ ହୋଇଥାନ୍ତି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସ.ପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ଗଞ୍ଜେଇ ଚାଲାଣ କୁ ରୋକା ହୋଇ ଯୋରଦାର ଚଢାଉ କରା ଯାଇ କୋଟି କୋଟି ଟଙ୍କାର ଚୋରା ଗଞ୍ଜେଇ ଓ ଗାଡି ଜବତ ସହିତ ଅନେକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଥିବାର ଜଣାପଡିଛି।
ମାଲକାନଗିରି: ୨୫୮ କେଜି ଗଞ୍ଜେଇ ସହ ୨ଟି ଗାଡି ଜବତ, ୪ ଚୋରା ଗଞ୍ଜେଇ ଚାଲାଣକାରୀ ଗିରଫ
|
July 3, 2019 |



