ନୂଆଦିଲ୍ଲୀ, ୨୧/୨/୨୦ (ସନ୍ଧାନ ନିଉଜ) : ଦିଲ୍ଲୀରୁ ମାର୍ଚ୍ଚ ୨୮ ତାରିଖରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୦ଟି ବଗିର ବ୍ୟବସ୍ଥା ଥିବାବେଳେ ୫ଟି ନନ୍-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟର ଏସି କୋଚ ରହିବ। ପ୍ରଥମେ ଯିଏ ବୁକିଂ କରିବେ ତାଙ୍କୁ ଏଥିରେ ଆଗେ ସ୍ଥାନ ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଲୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ ଧରିପାରିବେ। ୧୬ଟି ରାତି ଓ ୧୭ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡ଼ିତ ସମସ୍ତ ପର୍ଯ୍ୟଟନସ୍ଥଳୀ ଦର୍ଶନ କରିପାରିବେ। ଏଥିଲାଗି ସ୍ଲିପର୍ କ୍ଲାସ୍ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬, ୭୭୫ ଟଙ୍କା ରହିଛି। ଏଥିରେ ଯେଉଁ ସ୍ଥାନକୁ ନେବା ଲାଗି ବସର ବ୍ୟବସ୍ଥା ରହିବ ସେଥିଲାଗି ଯାତ୍ରୀଙ୍କୁ ଅତିରିକ୍ତ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ଯାତ୍ରୀମାନଙ୍କୁ ବିନା ପିଆଜ ରସୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।



