ନୂଆଦିଲ୍ଲୀ, ୮/୬ (ସନ୍ଧାନ ନିୟୁଜ) : ଦିଲ୍ଲୀ ସଡ଼କରେ ଇଲେକ୍ଟ୍ରିକ ବସର ଯାତ୍ରାର ଯୋଜନା ଏକ ବର୍ଷ ବିଳମ୍ବରେ ଚାଲିଛି | ଦିଲ୍ଲୀ ସରକାରଙ୍କ ବଜେଟ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀ ରାସ୍ତାରେ ଇଲେକ୍ଟ୍ରିକ ବସ ଗଡିବ | ବିଳମ୍ବ ହେଵା ପଛରେ ଲୋକସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଚାର ସଂହିତା ବି କାରଣ ହୋଇଥିବାର ଜଣାପଡିଛି |
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଦ୍ୱାରା ଜାରି କରାଯାଇଥିବା ଆଉଟକମ ରିପୋର୍ଟରେ ଦର୍ଶାଯାଇଛି ଯେ ଦିଲ୍ଲୀ ପାଇଁ କିଣାହେବାକୁ ଥିବା ୧ହଜାର ବସ ମଧ୍ୟରୁ ୩୮୫ ବସର ଟେଣ୍ଡର ପ୍ରକ୍ରିୟା ସରିଥିଲା | ପରେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥିଲା | ଯାହାଫଳରେ ଅନ୍ୟ ବସ ଗୁଡିକ ପାଇଁ ଟେଣ୍ଡର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡିଥିଲା |
ତେଣୁ ବାକି ଥିବା ବସ ପାଇଁ ଜୁଲାଇ ୧୦ ତାରିଖରେ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ | ପ୍ରଥମ ପର୍ଯାୟରେ ୩୮ଟି ବସ ଅଣାଯିବାକୁ ଥିବାବେଳେ ଏହା ପରେ ୨୪୦ଟି ବସ ଅଣାଯିବ | ବସ କିଣିବା ପ୍ରକ୍ରିୟା ୨୦୧୯ ନଭେମ୍ବର ରୁ ଫେବୃୟାରୀ ୨୦୨୦ ମଧ୍ୟରେ ସରିବ |