ମାନସିକ ବିକାରଙ୍କ ଏକମାତ୍ର ସାହାରା ସହରର ବସ୍ଷ୍ଟପ୍!

Spread the love

ରାଉରକେଲା, ୫/୦୮/୨୦ (ସନ୍ଧାନ ନିଉଜ) : ରାଉରକେଲା ହେଉଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି । ସହରବାସୀଙ୍କ ସୁବିଧା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଅନେକ ଗୁଡ଼ିଏ ଯୋଜନା ହାତକୁ ନିଆଯାଇ ଏହାର ସଫଳ ରୁପାୟନ ପାଇଁ ପ୍ରୟାସ ଜାରି ରହିଛି । ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ଲାଂଟ ସାଇଟ ଛକରେ ଅବସ୍ଥାପିତ ଅଛି ମାତ୍ର ଏଯାଏ ସହରର ଏଣେତେଣେ ଘୁରି ବୁଲୁଥିବା ମାନସିକ ବିକୃତ ପୁରୁଷ ଅବା ମହିଳାଙ୍କ ଥଇଥାନ ପାଇଁ ଆଶ୍ରୟସ୍ଥଳୀ ନଥିବାରୁ ସହରର ବିଭିନ୍ନ ବସଷ୍ଟପରେ ରାତି କାଟୁଛନ୍ତି ଏଭଳି ବ୍ୟକ୍ତିମାନେ । ସହରର ସେକ୍ଟର-୨ ବସଷ୍ଟପ, ସୁଶୀଳାବତୀ ସରକାରୀ ମହିଳା କଲେଜ ନିକଟବର୍ତି ୨ଟି ବସଷ୍ଟପ, ସେକ୍ଟର-୨୧ ଛକ ବସଷ୍ଟପ, ରାଉରକେଲା ମୁଖ୍ୟ ଡାକଘର ସମ୍ମୁଖ ବସଷ୍ଟପ, ବିଶ୍ରାଛକ, ରାଉରକେଲା ମୁ୍ୟନିସପାଲ କଲେଜ, ଛେଣ୍ଡ ପେଟ୍ରୋଲ ପମ୍ପ ବସ ଷ୍ଟପରେ ବିଭିନ୍ନ ଅଂଚଳରୁ ମାନସିକ ବିକୃତ ବ୍ୟକ୍ତି ମାନେ ରାଉରକେଲା ଆସି କୌଣସି ରାହା ନପାଇ ବସଷ୍ଟପକୁ ଆଶ୍ରୟସ୍ଥଳୀରେ ପରିଣତ କରିଛନ୍ତି । ୫୦ରୁ ଉର୍ଦ୍ଧ ମାନସିକ ଚାପଗ୍ରସ୍ତ ବ୍ୟକ୍ତି ସହରର କୋଣ ଅନୁକୋଣରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ଏଭଳି ମାନସିକ ବିକୃତ ବ୍ୟକ୍ତିମାନେ ରାସ୍ତାରେ ଯିବା ବେଳେ, ପଥଚାରୀ ତଥା ବାଇକ ଆରୋହୀଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି । ସମୟ ସମୟରେ ହାତରେ ପଥର ଧରି ଲୋକ ମାନଙ୍କୁ ପିଙ୍ଗିବା ମଧ୍ୟ ନଜିର ରହିଛି । ମାନସିକ ବିକୃତ ମାନଙ୍କୁ ଧରିବା ପାଇଁ ପୁଲିସକୁ ମଧ୍ୟ କୌଣସି ବୁଦ୍ଧି ଦିଶୁନାହିଁ! ପ୍ରଶାସନ ମଧ୍ୟ ଏଦିଗରେ ସତେ ଯେପରି ନୀରବଦ୍ରଷ୍ଟା ସାଜିଛି । ଏଭଳି ମାନସିକ ବିକୃତ ବ୍ୟକ୍ତି ମାନେ ଝାଡଖଣ୍ଡର ରାଂଚି, ଛତିଶଗଡ଼, ବିଳାସପୁର, ମନୋହରପୁର ତଥା ଓଡ଼ିଶାର ଅଧିକାଂଶ ଅଂଚଳରୁ ଚାଲି ଆସୁଥିବା ଅନୁମାନ କରାଯାଉଛି । ରାତ୍ରୀ ସମୟରେ ମହିଳା ମାନସିକ ବିକୃତ ମାନେ ବସଷ୍ଟପରେ ଆଶ୍ରୟ ନେଉଥିବା ବେଳେ ଯୌନ ନିର୍ଯ୍ୟାତନାର ମଧ୍ୟ ଶୀକାର ହେଉଛନ୍ତି! ଏପରିସ୍ଥଳେ ରାଉରକେଲାରେ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରଶାସନ ମାନସିକ ବିକୃତଙ୍କ ଥଇଥାନ ପାଇଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment