ରାୟପୁର,୦୮/୦୬ (ସନ୍ଧାନ ନିଉଜ): ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ମାଆ ସାମ୍ନାରେ ପୁଅକୁ ନିର୍ଦ୍ଧୁମ ଛେଚିଲା ପୋଲିସ । ଖାଲି ଏତିକି ନୁହେଁ, ପୁଅକୁ ବଞ୍ଚାଇବାକୁ ଆସିଥିବା ମା’ଙ୍କୁ ବି ଠେଲି ଦେଲା ପୋଲିସ । ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଛତିଶଗଡ ରାୟପୁରର ଉରଳା ଅଞ୍ଚଳରେ । ଉରଳା ପୋଲିସ ଷ୍ଟେସନରେ ଦାୟିତ୍ୱରେ ଥିବା ନିତିନ୍ ଉପାଧ୍ୟାୟ ଜଣେ ଯୁବକଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୋଲିସ ଷ୍ଟେସନ ଅଧିକାରୀ ଉପାଧ୍ୟାୟ ହାତରେ ବ୍ୟାଗ ଧରି ଯୁବକଙ୍କୁ ମାଡ ମାରିବା ସହ ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ମା’ଙ୍କୁ ଠେଲି ଦେଇଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଭୁପେଶ୍ ବାଘେଲ୍ କହିଛନ୍ତି ଯେ, ଏଭଳି ଅମାନୁଷିକତାକୁ ବରଦାସ୍ତ କରାଯିବ ନାହିଁ । ସେ କହିଛନ୍ତି ଯେ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି । ତାଙ୍କୁ ଛୁଟିରେ ପଠାଯାଇଛି । ରବିବାର ସକାଳେ ଏହି ଭିଡିଓ ରେକର୍ଡ କରାଯାଇଥିବା ଜଣାଯାଇଛି । ଏଥି ସହିତ, ଏହି ପ୍ରସଙ୍ଗରେ ରାୟପୁରର ଏସଏସପି ଆରିଫ ଶେଖ କହିଛନ୍ତି ଯେ, ବିରଗାଓଁ କଣ୍ଟେନମେଣ୍ଟ ଜୋନରେ ଲୋକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସେ କହିଛନ୍ତି ଯେ ଏହି ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ ହୋଇଛି ।
ମାଆ ସାମ୍ନାରେ ପୁଅକୁ ନିର୍ଦ୍ଧୁମ ଛେଚିଲା ପୋଲିସ; ଭିଡିଓ ଭାଇରାଲ
|
June 8, 2020 |



