ମହାପ୍ରଭୁଙ୍କୁ ଲାଗିହେଲା ଫୁଲୁରି ତେଲ

Spread the love

ପୁରୀ,4/7 (ସନ୍ଧାନ ନିୟୁଜ) : ଜ୍ୱର ପୀଡା ଲାଘବ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରି ତେଲ । ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଶ୍ରୀଜୀଉ ଅସୁସ୍ଥ ହୋଇଛନ୍ତି । ଅଣସରଘରେ ଦଇତାପତି ପ୍ରଭୁଙ୍କ ସେବା କରୁଛନ୍ତି । ସପ୍ତାବରଣ ଏବଂ ଶ୍ରୀଅଙ୍ଗ ଫିଟା ପରେ ମଙ୍ଗଳବାର ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପ ଦିଆଯାଇଛି । ପଟିଦିଅଁଙ୍କ ମଧ୍ୟାହ୍ଣ ଧୂପ ପରେ ଓଡ଼ିଆ ମଠରୁ ଫୁଲୁରି ତେଲ ଅଣାଯାଇଥିଲା। ତିନିଟି ମାଟି ପାତ୍ରରେ ୬ସେର ତେଲ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ବଟଗଣେଶଙ୍କ ମନ୍ଦିର ସମ୍ମୁଖ ସରଘରେ ତାହାକୁ ରଖାଯାଇଥିଲା। ଅଣସର ତାଟି ଖୋଲିବା ପରେ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ଫୁଲୁରିତେଲ ଅଣସର ଘରକୁ ପଠାଇଥିଲେ। ପତିମହାପାତ୍ର ସଂସ୍କାର କରିବା ପରେ ଚାରି ବାଡ଼ଗ୍ରାହୀ ଦଇତାପତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଫୁଲୁରିତେଲ ଲେପ ଦେଇଛନ୍ତି। ଘଣାପେଡ଼ା ରାଶିତେଲରେ ବାସ୍ନା ଧାନ, ବାସ୍ନା ଚାଉଳ, ମେଥି, ବେଣାଚେର, ସାତ ପ୍ରକାର ଔଷଧୀୟ ମୂଳ, ମଲ୍ଲି, ଚମ୍ପା, କିଆଫୁଲ, ବଉଳଫୁଲ, କସ୍ତୁରୀ, କର୍ପୂର, ଚୁଆ ଓ କେଶର ପକାଯାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା। ଜ୍ୱର ସମୟରେ ସୁବାସିତ ତେଲ ମାଲିସ କରାଗଲେ ଶରୀର ବ୍ୟଥା ଦୂର ହୋଇଥାଏ।
ପରମ୍ପରା ଅନୁଯାୟୀ ବର୍ଷକ ପୂର୍ବରୁ ଶ୍ରୀଜୀଉଙ୍କ ଉଦେଶ୍ୟରେ ଫୁଲୁରିତେଲ ପ୍ରସ୍ତୁତି ଆରମ୍ଭ ହୁଏ। ଗତବର୍ଷ ହେରାପଞ୍ଚମୀ ତିଥିରେ ମଠ ମହନ୍ତ ଦୁଇଟି ମାଠିଆରେ ଘଣାପେଡ଼ା ରାଶିତେଲ ରଖି ମାଟିତଳେ ପୋତିଥିଲେ। ସେଥିରେ ବିଭିନ୍ନ ଚେରମୂଳି ସମେତ ସୁବାସିତ ଫୁଲ ପକାଯାଇଥିଲା। ଚଳିତବର୍ଷ ସ୍ନାନପୂର୍ଣ୍ଣମୀ ପୂର୍ବଦିନ ସହସ୍ର କୁମ୍ଭବରଣ ସମୟରେ ମାଟିରୁ ତେଲମାଠିଆ ବାହାର କରାଯାଇ ଛଣାଯିବା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ବହୁବର୍ଷ ଧରି ମଠ ମହନ୍ତ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବା ପାଇଁ ଅଣସର ସମୟରେ ଫୁଲୁରି ତେଲ ଯୋଗାଇ ଆସୁଛନ୍ତି। ପ୍ରଭୁଙ୍କ ଶରୀରରେ ତେଲ ଲାଗିକରିବା ଦଇତାପତିଙ୍କ ସାମୂହିକ ସେବା । ଫୁଲୁରି ତେଲ ଲେପ ଦିଆଯିବା ପରେ ଶ୍ରୀଜୀଉଙ୍କ ଶରୀରର ତାତି ହ୍ରାସ ପାଇଛି।

Related Posts

About The Author

Add Comment