ନୂଆଦିଲ୍ଲୀ,୧୪ /୩ (ସନ୍ଧାନ ନିୟୁଜ): ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ୍ ଜରିଆରେ ଦିଆଯିବାକୁ ନେଇ କଂଗ୍ରେସ-ବିଜେପି ବାକ୍ ଯୁଦ୍ଧ ଚାଲିଛି। ଏହାରି ଭିତରେ ଆତଙ୍କବାଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ଆତଙ୍କବାଦୀ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ଶୀଲା ଦୀକ୍ଷିତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦି ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଶୀଲା ଦୀକ୍ଷିତ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ ମସିହାରେ ନଭେମ୍ବର ୨୬ରେ ମୁମ୍ବାଇ ତାଜ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୧୫୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣ ବିରୋଧରେ କଂଗ୍ରେସ ସରକାର କାହିଁକି କଡ଼ା ପଦକ୍ଷେପ ନେବାକୁ ସକ୍ଷମ ହୋଇନଥିଲା ବୋଲି ବିଜେପି ପ୍ରଶ୍ନ କରୁଥିବା ବେଳେ ଜମାତ-ଉଦ-ଦାୱାର ମୁଖିଆ ହାଫିଜ ସୟିଦ ଗୃହବନ୍ଦୀରୁ ମୁକ୍ତ ହେବା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଯାହାକି ନିର୍ବାଚନ ପ୍ରଚାରରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି ।