ଚଣ୍ଡିଖୋଲ,୧/୨(ସନ୍ଧାନ ନିୟୁଜ/ମାନସ ରାଉତ):-ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ କଂଟିଗଡିଆ ମୌଜାର ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀଛକ ଠାରେ ଦୀର୍ଘ ୪୦ ବର୍ଷ ଧରି ରହିଆସୁଥିବା ୪୦ଆଦିବାସୀ ପରିବାରଙ୍କୁ ଉଛେଦ ପାଇଁ ପ୍ରଶାସନ ତତ୍ପର ହୋଇ ପଡିଛି । ଓଡିଶାର ଜଣେ ଜଣାଶୁଣା ମଦ ବ୍ୟବସାୟୀ ଗୌତମ ଦାସ ଏଠାରେ ମଦ ଷ୍ଟକୟାର୍ଡ କରିବା ପାଇଁ ପ୍ରଶାସନକୁ ହାତବାରିସ କରି ସଂପୃକ୍ତ ଜମିକୁ ମଦ ନିଗମ ନାମରେ କିସମ ପରିବର୍ତନ କରିଥିବା ଅଭିଯୋଗ ହୋଇଛି । ସେହି ଆଦିବାସୀ ବସ୍ତି ନିକଟରେ କିଛି ବର୍ଷ ପୂର୍ବରୁ ଶ୍ରୀ ଦାସଙ୍କର ଏକ ମଦ ଦୋକାନ ଖୋଲାଯାଇଅଛି । ସେହି ବସ୍ତିରେ ରହୁଥିବା ଆଦିବାସୀ ସଂପ୍ରଦାୟ ଓ କିଛି ଅନ୍ୟ ଜମି ସମେତ ପ୍ରାୟ ୮ ଏକର ଜମିକୁ କିସମ ପରିବର୍ତନ କରାଯାଇ ରାଜ୍ୟ ମଦ୍ୟ ନିଗମ ନାମରେ ହସ୍ତାନ୍ତର କରାଯାଇଛି । ଏଠାରୁ ଉଛେଦ ହୋଉଥିବା ଆଦିବାସୀ ପରିବାରକୁ କଂଟିଗଡିଆ ପାହାଡ ତଳେ ଥଇଥାନ କରାଯିବ ବୋଲି ଧର୍ମଶାଳା ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ୪୦ ବର୍ଷ ଧରି ରହି ଆସୁଥିବା ଏହି ଦିନ ମଜୁରିଆ ଆଦିବାସୀ ପରିବାର ବର୍ଗଙ୍କୁ ଉଛେଦ କରାଯାଇ ସେଠାରେ କେଉଁ ନ୍ୟାୟରେ ମଦ ଗୋଦାମ ଖୋଲାଯିବ । ପୂର୍ବରୁ ସେହି ଆଦିବାସୀପଡାକୁ ଯାତାୟତ ପାଇଁ ସରକାରୀ ଅର୍ଥ ବିନିଯୋଗ କରାଯାଇ ୫ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା, ପାନୀୟ ଜଳ ସୁବିଧା ଯୋଗାଇ ଦେବା ପାଇଁ ସୋଲାର ପଏଂଟ ମାଧ୍ୟମରେ ୭ ଲକ୍ଷ ଟଙ୍କା ବିନିଯୋଗ ଏବଂ ପୂର୍ବରୁ ସେଠାରେ ଶିଶୁ ଉଦ୍ୟାନ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି । ନିରୀହ ଆଦିବାସୀ ମାନଙ୍କୁ ଭ୍ରମିତ କରି ତୁମ୍ଭର ଏଠାରେ ଏକ ଅଙ୍ଗନାବାଡି କେନ୍ଦ୍ର ଖୋଲାଯିବ କହି ରାଜସ୍ୱ ନିରୀକ୍ଷକ ଓ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ଏକ ନୋଟିସରେ ସେମାନଙ୍କର ସ୍ୱାକ୍ଷର କରାଇ ନେଇଛନ୍ତି । ସେମାନଙ୍କୁ ଉଛେଦ କରାଯିବା ପାଇଁ କୌଣସି ପଲ୍ଲୀସଭା କିମ୍ବା ଡୁଙ୍ଗୁରା ପ୍ରଚାର ପ୍ରସାର କରାଯାଇ ନାହିଁ ।
ଶନିବାର ଦିନ ସକାଳୁ ଶ୍ରୀ ଦାସଙ୍କ ସହ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ସେହି ଆଦିବାସୀ ପଡାକୁ ଭାଙ୍ଗିବା ପାଇଁ ଜେସିବ ମେସିନ ଆଣି ପହଂଚିବା ପରେ ସ୍ଥାନୀୟ ଲୋକମାନେ ଏହାକୁ ପ୍ରତିବାଦ କରିଥିଲେ । ଶ୍ରୀ ଦାସଙ୍କ ସହିତ ଆସୁଥିବା କେତେକ ବ୍ୟକ୍ତି ପ୍ରତିବାଦ କରୁଥିବା ଆଦିବାସୀ ମାନଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ସମସ୍ତ ଅଧରବାସୀ ଉତ୍ୟକ୍ତ ହୋଇ ଚଣ୍ଡିଖୋଲ-ପାରାଦୀପ ୫୩ନଂ ଜାତୀୟ ରାଜପଥ ଉପରେ ଟାୟାର ଜାଳି ବସି ଯିବାରୁ ଦୀର୍ଘ ସମୟ ଧରି ଉଭୟ ପଟେ ଶହ ଶହ ଗାଡି ଅଟକି ଯାଇଥିଲା । ଧର୍ମଶାଳା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ଯେତେ ବୁଝାଇବା ପାଇଁ ଚେଷ୍ଟା କଲେ ବି ସେହି ସ୍ଥାନ ଛାଡି ନଯିବାକୁ ଜିଦ ଧରି ବସିଥିଲେ । ପରେ ଏସ.ଡି.ପି.ଓ ଚିନ୍ମୟ ନାୟକ, ବଡଚଣା ଥାନା ଅଧିକାରୀ ଦୀପକ ଜେନା, ସୁକାନ୍ତ ପାତ୍ର ଘଟଣା ସ୍ଥଳରେ ପହଂଚି ଶେମାନଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟାଇଥିଲେ । ସରକାର ଯେଉଁ ଘୋଷଣାନାମା କରିଛନ୍ତି ମୋ ସରକାର ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆଦିବାସୀ ମାନଙ୍କ ପ୍ରତି ସରକାରଙ୍କ କେତେ ଦରଦ ରହିଛି ।