ଭୁବନେଶ୍ୱର ରେଳଷ୍ଟେସନ୍‌ରେ ସେଗ୍‌ୱେ ପାଟ୍ରୋଲିଂ ସିଷ୍ଟମ୍

Spread the love

ଭୁବନେଶ୍ୱର,  ୨୦/୧୧ (ସନ୍ଧାନ ନିଉଜ) : ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଆରମ୍ଭ ହୋଇଛି ସେଗ୍‌ୱେ ପାଟ୍ରୋଲିଂ ସିଷ୍ଟମ୍। ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଭୁବନେଶ୍ୱର, ପୁରୀ ଓ କଟକ ରେଳଷ୍ଟେସନରେ ଆଜିଠାରୁ ଆରମ୍ଭ ହୋଇଛି ଏହି ସେଗ୍‌ୱେ ପାଟ୍ରୋଲିଂ ସିଷ୍ଟମ୍। କେବଳ ଆରପିଏଫ୍‌ ପୁଲିସମାନେ ଏହି ସିଷ୍ଟମ ବ୍ୟବହାର କରିବେ। ରେଲୱେ ଷ୍ଟେସନ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପାଟ୍ରୋଲିଂ କରିବା ପାଇଁ ଯିବାକୁ ଆର୍‌ପିଏଫ୍‌ କର୍ମଚାରୀମାନେ ଏହାକୁ ବ୍ୟବହାର କରିବେ।

ସେଗ୍‌ୱେ ଯାନରେ ଆକ୍ସିଲେରେଟର, ବ୍ରେକ, ଲାଇଟ୍, ଗିୟର, ଇଣ୍ଡିକେଟର ଓ ହର୍ଣ୍ଣ ଭଳି ସୁବିଧା ରହିଛି। ସମତଳ ରାସ୍ତାରେ ଘଣ୍ଟାକୁ ୧୮ରୁ ୩୦ କିଲୋମିଟର ବେଗରେ ଗତି କରିପାରିବ। ଏହି ଯାନ ବ୍ୟାଟେରୀ ଦ୍ୱାରା ପରିଚାଳିତ। ଏହି ଯାନକୁ ୬ ଘଣ୍ଟା ଚାର୍ଜ କଲେ ଯାଇପାରିବ ୩୦ କିଲୋମିଟର। ରାମ୍ପରେ ମଧ୍ୟ ଏହି ଯାନ ଗତି କରିପାରିବ। ଗୋଟିଏ ଗୋଟିଏ ଯାନର ମୂଲ୍ୟ ୮୧ ହଜାର ୯ ଶହ ଟଙ୍କା ବୋଲି ଇଷ୍ଟେକୋଷ୍ଟ ରେଲୱେର ଜେନେରାଲ୍‌ ମ୍ୟାନେଜର ବିଦ୍ୟାଭୂଷଣ କହିଛନ୍ତି।

ସେଗ୍‌ୱେ ହେଉଛି ପରିବେଶ ଉପଯୋଗୀ। ଏହି ଯାନ ଦ୍ୱାରା ରେଳ ଷ୍ଟେସନରେ କାମ କରୁଥିବା ଆର୍‌ପିଏଫ୍‌ କର୍ମଚାରୀମାନେ ଉପକୃତ ହେବେ। ଏଥିସହ ରେଳ ଷ୍ଟେସନର ସୁରକ୍ଷା ସମେତ ଯାତ୍ରୀ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦିଆଯାଇପାରିବ। ପ୍ରାରମ୍ଭିକ ଭାବେ ୧୨ ଜଣ ଆରପିଏଫ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି।

ପୂର୍ବରୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଅହମ୍ମଦାବାଦ୍ ସମେତ ବିଶାଖାପାଟନାମ୍‌ରେ ଏଭଳି ସେଗ୍‌ୱେ ପାଟ୍ରୋଲିଂ ସିଷ୍ଟମ ବ୍ୟବହାର ହୋଇଛି। ପରବର୍ତ୍ତୀ ସମୟରେ ଏହାର ଉପଯୋଗିତାକୁ ନେଇ ଆମ ରାଜ୍ୟର ଅବଶିଷ୍ଟ ରେଳଷ୍ଟେସନରେ ମଧ୍ୟ ବ୍ୟବହାର କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।

Related Posts

About The Author

Add Comment