ଧର୍ମଶାଳା, ୨୮/୧୧ (ସନ୍ଧାନ ନିଉଜ) : ଶିଳ୍ପୀ ତାର ନିଆଣ ମୁନରେ ଜୀବନ୍ତ କରିଥାଏ ନିର୍ଜୀବ ପଥରକୁ । ସେହି ମୂର୍ତିଗୁଡିକୁ ବେଶ୍ ବିଦେଶକୁ ରପ୍ତାନି କରାଯାଇଥାଏ । କିଛି ମୂର୍ତି ସଂଗ୍ରହାଳୟରେ ସ୍ଥାନ ପାଉଥିବା ବେଳେ ଆଉ କିଛି ମୂର୍ତି ପୂଜା ମଣ୍ଡପରେ ପୂଜା ପାଇଥାଏ । ସେହିପରି କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥାଏ ସହରର ପ୍ରମୁଖ ସ୍ଥାନରେ । ଅନ୍ୟ ଉପାଦାନରେ ଗଢ଼ା ମୂର୍ତିଠାରୁ ଅଧିକ ମାତ୍ରାରେ ଦେଖିବାକୁ ମିଳେ ପଥର ମୂର୍ତି । ପୁରାତନ ଯୁଗରୁ ଆବିଷ୍କୃତ ହୋଇଥିବା ମୂର୍ତିଗୁଡିକ ସବୁ ପଥର ତିଆରି । ବହୁ ବର୍ଷ ପୂର୍ବରୁ ପଥର ଶିଳ୍ପୀଙ୍କ ନିରୁତା କାରୁକାର୍ଯ୍ୟର ପ୍ରତିଫଳନ ଦେଖିବାକୁ ମିଳେ ମୂର୍ତି ଗୁଡିକରୁ । ହେଲେ ଆଜି ପଥର ଶିଳ୍ପୀଟି ତାର ଶିଳ୍ପ ଜଗତରୁ ବିଗତ ହେବାକୁ ବସିଛି । ସମୟକ୍ରମରେ ଅନେକ ସଂପ୍ରଦାୟର ଲୋକମାନେ ତାଙ୍କ କୈାଳିକ ବୃତି ହରାଉଥିବା ବେଳେ ସେଥିରୁ ବାଦ ପଡିନାହିଁ ପଥର ଶିଳ୍ପୀ । ଏଭଳି ସମୟରେ ପଥର ଶିଳ୍ପୀ ରଞ୍ଜନ ମହାରଣା ଶିଳ୍ପକୁ ଆପଣାର କରି ସ୍ୱଳ୍ପ ଆୟରେ ପରିବାର ପ୍ରତିପୋଷଣ କରୁଛି । ତାଙ୍କୁ ପଚାରିଲେ କଳାପ୍ରତି ବିଶେଷ ଆଗ୍ରହ ଥିବାରୁ ମୁଁ ଶିଳ୍ପୀ ହୋଇ ବଂଚିବାକୁ ଭଲ ପାଉଛି । ନଚେତ ଅଭାବୀ ପଥରକୁ ବହୁ ମୂଲ୍ୟଦେଇ ମୂର୍ତି ନିର୍ମାଣ କରିବାର ସାମର୍ଥ୍ୟ ମୋର ନାହିଁ ବୋଲି କୁହନ୍ତି । କେନ୍ଦ୍ରପଡା ଜିଲା ଡେରାବିଶ ଥାନା ଅନ୍ତର୍ଗତ ରଖଣ୍ଡ ଗ୍ରାମର ବିରଂଚି ମହାରଣାଙ୍କ ପୁଅ ରଞ୍ଜନ (୩୬) କିଛି ବର୍ଷ ହେବ ଜାରକାସ୍ଥିତ କୁମାରୀ ଗ୍ରାମରେ ରହି ପଥର ଶିଳ୍ପୀ ଭାବେ କାର୍ଯ୍ୟ କରୁଛି । ଷସ ଏହି କାର୍ଯ୍ୟ ୧୫ ବର୍ଷ ହେବ ଆରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ ଗଣ୍ଡମୁଣ୍ଡା ଟ୍ରେନିଂ ସେଂଟରରୁ ୩ ବର୍ଷ କାଳ ପଥର ଶିଳ୍ପର ଶିକ୍ଷା ଗ୍ରହଣ କରିଛି । ଶିକ୍ଷା ଗ୍ରହଣ ପରେ ଶିଳ୍ପ କଳାକୁ ଆପଣାଇ ପରିବାରକୁ ପ୍ରତିପୋଷଣ କରୁଛି । ସେ ବିଭିନ୍ନ କିସମର ପଥରରେ ମୂର୍ତି ନିର୍ମାଣ କରୁଛନ୍ତି । ଖୋର୍ଦ୍ଧା ଅଂଚଳରୁ ଆସୁଥିବା ତାପଙ୍ଗ ପଥର, ମୟୁରଭଞ୍ଜ ଜିଲା ଖିଚିଂଙ୍ଗ ଅଂଚଳରୁ ଓ ବାଲେଶ୍ୱର ଜିଲା ନୀଳଗିରିରୁ ଆସୁଥିବା ଜିଲା ନେଥକା-ଚଣ୍ଡିଆରୁ ଆସୁଥିବା ମୁଗୁନି ପଥର, ରାଜସ୍ଥାନରୁ ଆସୁଥିବା ମାର୍ବଲ, ଗ୍ରାନାଇଟ ଓ ଚିପ୍ସ ଗ୍ରାନାଇଟ୍ ପଥରକୁ ନେଇ ରଞ୍ଜନ ମୂର୍ତି ନିର୍ମାଣ କରିଥାନ୍ତି । ଗଣେଶ, ଗଜସିଂଘ, ହନୁମାନ, ସମେତ ବିଭିନ୍ନ ମନ୍ଦିରରେ ଦେବାଦେବୀ ଓ ପାଶ୍ୱର୍ମୂର୍ତି ନିର୍ମାଣ କରୁଛନ୍ତି । ସେହିପରି ବହୁ ମହାପୁରୁଷଙ୍କ ପ୍ରତିମୂର୍ତି ନିର୍ମାଣ କରିଥିବା ବେଳେ ଘୋଡା, ହାତୀ, ସିଂଘ ଓ ଷଣ୍ଢ ମଧ୍ୟ ଶିଳ୍ପୀ ତାର ନିଆଣରେ ଜୀବନ୍ତ କରିଛନ୍ତି । ତାଙ୍କର ମୂର୍ତି ଗୁଡିକ ଇସ୍ପାତ ନଗରୀ, ରାଉଳକେଲା, କଟକର ସାଆନ୍ତ ସାହି, ଜଗତସିଂହପୁର, ନିଆଳି, ବଡଚଣାର ଜମୁନାମଠ, ଭବାସ ଆଶ୍ରମ, ଗୁଣଣ୍ଠୁଣୀ ଆଶ୍ରମ, ଚଣ୍ଡିଖୋଲ ମହାବିନାୟକ ଛକ, , ଗଡମଧୁପୁର ସ୍ଥିତ ଭୁବନପୁର ଓ ଜାରକାର କିଛି ସ୍ଥାନରେ ସ୍ଥାପନ କରାଯାଇଛି । ବହୁ ମୂର୍ତି କାର୍ଯ୍ୟ ଚାଲୁ ରହିଛି ।ସେଗୁଡିକର ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ବୋଲି ଶ୍ରୀ ମହାରଣା କହିଛନ୍ତି । ତାଙ୍କର ଏଭଳି ନିପୁଣ କାରୁକାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ବିଭିନ୍ନ ସଂଗଠନରୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ଚଣ୍ଡିଖୋଲ ସ୍ଥିତ ଉଦୟମାନ ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ସମ୍ବର୍ଦ୍ଧିତ କରିଛି । ତାଙ୍କର କାରୁକାର୍ଯ୍ୟକୁ ରାଜ୍ୟ ସରକାର ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏପରିସ୍ଥଳେ ଜଣେ ଶିଳ୍ପୀର ଜୀବନ-ଜୀବିକା ସଙ୍କଟରେ ଥିବା ଜଣାଯାଏ । ବର୍ତମାନ ସରକାରଙ୍କ ନିୟମ ଅନୁସାରେ ଖଣିଖାଦାନ ନିୟମକୁ କଡାକଡି କରାଯାଇଛି । ଫଳରେ ପଥର ସେହି ପରିମାଣରେ ମିଳିପାରୁ ନାହିଁ । ଉଚ୍ଚାରେଟ୍ରେ ଶିଳ୍ପୀଟିଏ ପଥର କିଣୁଛି । ବଜାରରେ ମୂର୍ତିର ଚାହିଦା ରହିଥିବା ବେଳେ ଶ୍ରମ ଅନୁଯାୟୀ ଟଙ୍କା ମିଳିପାରୁ ନାହିଁ । ଯାହାଦ୍ୱାରା ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ବାଧା ସୃଷ୍ଟି କରୁଛି । ସରକାରୀ ସ୍ଥଳରେ ଶିଳ୍ପୀଙ୍କୁ ଯଦି ୠଣ ଯୋଗାଇ ଦିଆଯାଆନ୍ତା ତେବେ ସେମାନେ ଅଧିକ ପଥର କିଣି ପାରନ୍ତେ ।
ଭିନ୍ନ ଜଣେ ପଥର ଶିଳ୍ପୀ ରଞ୍ଜନ ମହାରଣା
|
November 28, 2019 |


