ଭିକାରିମାନଙ୍କ ବଦାନ୍ୟତା: କାର୍ତ୍ତିକ ପୂର୍ଣ୍ଣିମା ଭିକ୍ଷା ଅର୍ଥ ମନ୍ଦିରକୁ ଦାନକଲେ 

Spread the love
ବାଲିଗୁଡା, ୨୧/୧୧/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ଭିକାରିମାନଙ୍କ ବଦାନ୍ୟତା! ପବିତ୍ର କାର୍ତ୍ତିକ ମାସ ଶେଷଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଦିନଯାକର ମିଳିଥିବା ଭିକ୍ଷାକୁ ଅର୍ଥକୁ ଏକାଠି କରି ମନ୍ଦିର ଉନ୍ନତି ପାଇଁ ଦାନ କରି ପୁଣ୍ୟ ଅର୍ଜନ କରିଛନ୍ତି। ଏ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ। କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ଶୈବପୀଠ ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଅଧିକ ଭିକ୍ଷା ଆଶାରେ  ମନ୍ଦିର ବାହାରେ ପ୍ରାୟ ସହରର ଅଧିକାଂଶ ଭିକାରିଙ୍କ ଭିଡ଼ ମଧ୍ୟ ଜମିଥିଲା। ଭକ୍ତମାନେ ନିଜ ନିଜ ସମ୍ବଳ ଅନୁସାରେ ଭିକାରିଙ୍କୁ ଚାଉଳ ଓ ଟଙ୍କା ପଇସା ଦେଇ ନିଜ ପାଇଁ ପୁଣ୍ୟ ଅର୍ଜୁଥିଲେ। ଅପରାହ୍ନରେ ମନ୍ଦିରରେ ଭକ୍ତଙ୍କ ଭିଡ଼ କମିବା ପରେ ବାହାରେ ବସି ଭିକ୍ଷା ମାଗୁଥିବା ଭିନ୍ନକ୍ଷମ ପୁରୁଷ ମହିଳା ଭିକାରି ମାନେ ଏକତ୍ରିତ ହୋଇ ନିଜ ନିଜ ଭିତରେ ଆଲୋଚନା କଲେ। ମନ୍ଦିର ଉନ୍ନତି ପାଇଁ କିଛି ଦାନ କରି ସେମାନେ ମଧ୍ୟ ପୁଣ୍ୟ ଅର୍ଜିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରତ୍ୟେକେ ଭିକ୍ଷା ବୃତ୍ତିରୁ ପାଇଥିବା ଅର୍ଥ ଏକତ୍ରିତ କରିଥିଲେ। ଜଣେ ଭିନ୍ନକ୍ଷମ ଭିକ୍ଷୁକ ପ୍ରତିନିଧି ଭାବେ ଯାଇ ମନ୍ଦିର ହୁଣ୍ଡିରେ ଟଙ୍କା ଦାନ କରିଥିଲେ। ଏହି ଦୃଶ୍ୟ ଉପସ୍ଥିତ ସମସ୍ତ ଭକ୍ତ, ସେବାୟତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନ୍ୟକୁ ହାତ ପାତି ଆହାର ମୁଠାଏ ପାଉଥିବା ଲୋକ ମନ୍ଦିରକୁ ଦାନ କରି ନିଜ ନିଜ ବଦାନ୍ୟତା ଦେଖାଇବା ଆଜିର ସମାଜ ପାଇଁ ଏକ ଉଦାହରଣ ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି।

Related Posts

About The Author

Add Comment