ଭାରତ ଶୃଙ୍ଖଳା ବିଜୟୀ, ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୨୨ ରନ୍‌ରେ (ଡି/ଏଲ୍‌) ହାରିଲା ଇଣ୍ଡିଜ୍

Spread the love

ଲୌଡରହିଲ, ୫/୮ (ସନ୍ଧାନ ନିଉଜ) : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଜିତି ନେଇଛି। ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ୪ ୱିକେଟ୍‌ରେ ବିଜୟୀ ହୋଇଥିବା ଭାରତ ରବିବାରର ଦ୍ବିତୀୟ ମୁକାବିଲାକୁ ଡକୱର୍ଥ/ଲୁଇସ୍ ନିୟମରେ ୨୨ ରନ୍‌ରେ ଜିତିଛି। ଫଳରେ ୨-୦ରେ ଆଗୁଆ ହେବା ସହ ବିଶ୍ବକପ୍ ପରେ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍‌ର ଗୟନାଠାରେ ମଙ୍ଗଳବାର ଖେଳାଯିବ। ହେଲେ ଏହାର କୌଣସି ପ୍ରଭାବ ଭାରତର ଶୃଙ୍ଖଳା ବିଜୟ ଉପରେ ପଡ଼ିବ ନାହିଁ। ଭାରତ ପାଇଁ ସେହି ମ୍ୟାଚ୍‌ରେ ଶୃଙ୍ଖଳା ପୋଛିବା ସୁଯୋଗ ରହିବ। ଅନ୍ୟପକ୍ଷରେ ଇଣ୍ଡିଜ୍ ଘରୋଇ ମାଟିରେ ସାନ୍ତ୍ବନାମୂଳକ ବିଜୟ ଆଶାରେ ପଡ଼ିଆକୁ ଓହ୍ଲାଇବ।

ଆମେରିକାର ଫ୍ଲୋରିଡାରେ ଖେଳା ଯାଇଥିବା ରବିବାର ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ଭାରତ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୱେଷ୍ଟଇଣ୍ଡିଜ୍ ୮ ରନ୍‌ରେ ୨ ୱିକେଟ୍ ହରାଇ ପୁଣି ଥରେ ସଙ୍କଟରେ ପଡ଼ିଥିଲା। ହେଲେ ରୋଭମନ ପାୱେଲ (୫୪)ଙ୍କ ଅର୍ଧଶତକ ପାଇଁ ୧୫.୩ ଓଭରରେ ୪ ୱିକେଟ୍ ହରାଇ ୯୮ ରନ୍ କରିଥିଲା। ହେଲେ ଠିକ୍ ସେତିକି ବେଳେ ବର୍ଷା ଆରମ୍ଭ ହୋଇ ଛାଡ଼ି ନଥିଲା। ଖେଳ ଆଉ ପୁନର୍ବାର ଆରମ୍ଭ ବି ହୋଇ ପାରି ନଥିଲା। ସେତେବେଳର ଡି/ଏଲ୍ ପାର୍ ସ୍କୋର ୧୨୦ ଥିବାରୁ ଭାରତ ୨୨ ରନ୍‌ରେ ବିଜୟୀ ‌ହୋଇଥିଲା। ରବିବାର ଭାରତୀୟ ଅଧିନାୟକ ‌ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ବି ତୁଳନାତ୍ମକ ଭାବେ ଭଲ ଆରମ୍ଭ କରିଥିଲା। ଶିଖର ଧାୱନ (୨୩ ରନ୍, ୧୬ ବଲ୍ , ୩ ଚୌକା) ରିଭ୍ୟୁରେ ବର୍ତିବା ପରେ ପ୍ରଥମ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ୬୭ ରନ୍ ମିଳିଥିଲା। ରୋହିତ ଶର୍ମା (୬୭ ରନ୍, ୬ ଚୌକା, ୩ ଛକା) କିନ୍ତୁ ପୁଣି ଥରେ ଦଳର ତ୍ରାଣକର୍ତା ସାଜିଥିଲେ। କ୍ରିସ୍ ଗେଲ୍‌ଙ୍କ ଛକା କୀର୍ତ୍ତିମାନ ଭାଙ୍ଗିବା ସହ ସେ ହିଁ ଭାରତୀୟ ପାଳିର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ତେବେ ବିଶ୍ବକପ୍‌ରୁ ଆରମ୍ଭ ହୋଇଥିବା ମଧ୍ୟକ୍ରମ ବିଫଳତା ଆହୁରି ଲମ୍ବିଥିଲା। ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ (୪)ଙ୍କ ସହ ‌ଓ ମନୀଷ ପାଣ୍ଡେ (୬) ନିରାଶ କରିଥିଲେ। ନିଜେ କୋହଲି ଅବଶ୍ୟ ୨୮ ରନ୍‌ର ( ୨୩ ବଲ୍‌, ୧ ଚୌକା, ୧ ଛକା) ଉପଯୋଗୀ ପାଳି ଖେଳିଥିଲେ। ପନ୍ତଙ୍କୁ ଓସାନେ ଥୋମାସ ଶିକାର କରିବା ପରେ କୋହଲିଙ୍କ ମଝି ଖାଡ଼ିକୁ ସେଲଡନ୍ କଟ୍ରେଲ ଉଡ଼ାଇ ଦେଇଥିଲେ। ୱେଷ୍ଟଇଣ୍ଡିଜର ଏହି ଦୁଇ ଯୁବ ବୋଲର ୪ ୱିକେଟ୍ ବାଣ୍ଟିନେଇ ଭାରତକୁ ଦୋହଲାଇ ଦେଇଥିଲେ। ଫଳରେ ୧୮.୩ ଓଭରରେ ‌କୋହଲି ବାହିନୀ ୫ ୱିକେଟ୍ ବିନିମୟରେ ୧୪୩ ରନ୍ କରିଥିଲା। ତେବେ କିମୋ ପଲ୍‌ଙ୍କ ଶେଷ ଓଭରରୁ ରବୀନ୍ଦ୍ର ଜାଦେଜା (୯* ରନ୍, ୪ ବଲ୍, ୧ ଛକା) ଓ କ୍ରୁନାଲ ପାଣ୍ଡ୍ୟା (୨୦* ରନ୍, ୧୩ ବଲ୍, ୨ ଛକା) ତିନିଟି ଛକା ସହ ୨୦ ରନ୍ ଅମଳ କରିବାରୁ ଭାରତ ସ୍କୋର ୧୬୭/୫ରେ ପହଞ୍ଚିଥିଲା। ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୬୭/୫ (ରୋହିତ ଶର୍ମା ୬୭, ବିରାଟ କୋହଲି ୨୮, ଶିଖର ଧାୱନ ୨୩, ଓସାନେ ଥୋମାସ ୨/୨୭, ସେଲଡନ୍ କଟ୍ରେଲ୍ ୨/୨୫)।

ଗେଲ୍‌ଙ୍କୁ ଟପିଲେ ରୋହିତ
ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ନିଜ ନାମକୁ ନେଇଯାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ରୋହିତ ତାଙ୍କ ଅର୍ଧଶତକୀୟ ପାଳିରେ ୩ ଛକା ମାରିଥିଲେ। ଫଳରେ ସେ ୱେଷ୍ଟଇଣ୍ଡିଜ୍‌ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଥିବା କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଗେଲ୍‌ ଏହି ଫର୍ମାଟ୍‌ରେ ୧୦୫ ଛକା ମାରିଥିଲେ। ରୋହିତ ପ୍ରଥମ ୨ ମ୍ୟାଚ୍‌ରେ ୫ ଛକା ସହ ଏହାକୁ ଟପି ୧୦୭ରେ ପହଞ୍ଚିଯାଇଛନ୍ତିି। ଗେଲ୍‌ (୧୦୫)ଙ୍କ ପଛକୁ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ (୧୦୩) ତୃତୀୟରେ ରହିଛନ୍ତି। ରୋହିତ ରବିବାର ପ୍ରଥମେ କିମୋ ପଲ୍‌, ସୁନିଲ ନରିନ୍‌ ଓ କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ଙ୍କୁ ଗୋଟିଏ ଲେଖାଏଁ ଛକା ମାରିଥିଲେ।

Related Posts

About The Author

Add Comment