ନୂଆଦିଲ୍ଲୀ (ସନ୍ଧାନ ନିୟୁଜ) ଭାରତ ମହାସାଗରର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ଭାରତୀୟ ନୌସେନା ଇନଫରମେସନ ଫ୍ୟୁଜନ ସେଣ୍ଟର ଆରମ୍ଭ କରିଛି । ଏବେ ଭାରତର ସୁରକ୍ଷା ବ୍ୟବସ୍ଥା ସହିତ ୪୩ଟି ଦେଶର ସିଷ୍ଟମ ସଂପର୍କୀତ ତଥ୍ୟ ମିଳିପାରିବ । ଏହା ଦ୍ୱାରା ଭାରତ ମହାସାଗରରେରେ ପ୍ରବେଶ ହେଉଥିବା ଜାହାଜ ଉପରେ ନଜର ପଡ଼ିବ । ଭାରତ ମହାସାଗର ବ୍ୟବସାୟ ଦୃଷ୍ଟିରୁ ସମଗ୍ର ବିଶ୍ୱ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଏଥିରୁ ଅନୁମାନ କରାଯାଇପାରିବ । ବିଶ୍ୱର ବଡ଼ ବଡ଼ କାର୍ଗୋରୁ ଏକ ତୃତୀୟାଂଶ, କଂଟେନର ଜାହାଜ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଏବଂ ତୈଳବୁହା ଜାହାଜର ୨ ତୃତୀୟାଂଶ ଭାରତ ମହାସାଗର ଦେଇ ଅତିକ୍ରମ କରିଥାନ୍ତି । ଫ୍ୟୁଜନ ସେଣ୍ଟରକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉଦଘାଟନ କରିଛନ୍ତି ।
ଇନଫରମେସନ ଫ୍ୟୁଜନ ସେଣ୍ଟର ମାଧ୍ୟମରେ ସମୁଦ୍ରର ପ୍ରତ୍ୟେକ ଘଟଣା ଉପରେ ନଜର ରଖାଯିବ । କେଉଁ ଜାହାଜ କେଉଁଠାରୁ ଆସୁଛି ଏବଂ ଏହା କେଉଁଠାକୁ ଯିବ, ଏହାର କ୍ରମାଗତ ସୂଚନା ଉପଲବ୍ଧ କରାଯିବ । ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି, ଏହା ଦ୍ୱାରା ସମୁଦ୍ର ଲୁଟେରା ଏବଂ ଆତଙ୍କବାଦୀ ଗତିବିଧି ମଧ୍ୟ ହ୍ରାସ ପାଇବ । ସମୁଦ୍ର ଦେଇ ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ମାଦକ ଦ୍ରବ୍ୟ ବ୍ୟବସାୟ, ବେଆଇନ ମାଛ ଧରିବା, ମାନବ ଚାଲାଣ ଆଦି ଉପରେ ନିୟନ୍ତ୍ରର ଲାଗି ପାରିବ । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କିତ ପୂର୍ବ ସୂଚନା ମିଳି ପାରିବ ।
ଜଳସେନା ଆଡମିରାଲ ସୁନିଲ ଲାମ୍ବା କହିଛନ୍ତି, ଏବେ ଇନଫରମେସନ ସେଣ୍ଟର ଭଚ୍ୟୁଆଲ ଆରମ୍ଭ ହୋଇଛି । ଇମେଲ, ଚାର୍ଟ ଏବଂ ଇଲେକଟ୍ରୋନିକ ମାଧ୍ୟମରେ ସବୁ ଦେଶ ଡାଟା ସେୟାର କରୁଛନ୍ତି । ଗୋଟିଏ ଦେଶ ଅନ୍ୟ ଦେଶ ସହିତ ଯୋଡ଼ି ହୋଇ ଯାଇଛି । ସମସ୍ତ ବିଶେଷଜ୍ଞ ଏକାଠି ହୋଇ ଗବେଷଣା କରୁଛନ୍ତି । ଏବେ ୧୦ ରୁ ଅଧିକ ଦେଶ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।